ଭୁବନେଶ୍ୱର: ନିଶା ବେପାରୀଙ୍କ ବିରୋଧରେ କୋଠର ମନୋଭାବ ପୋଷଣ କରିଛି କମିଶନରେଟ ପୁଲିସ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜଧାନୀରେ ଆଇନଶୃଙ୍ଖଳା ବ୍ୟବସ୍ତା ସଠିକ୍ ରୂପେ ପରିଚାଳନା କରିବା ପାଇଁ ନିଶା କାରବାର କରୁଥିବା ସମସ୍ତ ଛୋଟ୍ ବଡ଼ ବ୍ରାଉନ ସୁଗର, ଗଞ୍ଜେଇ ଏବଂ ବେଆଇନ ଦେଶୀ ଓ ବିଦେଶୀ ମଦ କାରବାର କରୁଥିବା ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛନ୍ତି କମିଶନରେଟ୍ ପୁଲିସର ବିଭିନ୍ନ ଥାନା ପୁଲିସ । ସେହି ପରିପେକ୍ଷୀରେ ବଡ଼ଗଡ ଥାନାର ଏକ ସ୍ପେଶାଲ ଟିମ ଗୁରୁବାର ବିଳମ୍ବିତ ରାତିରେ ପୁରୀ ବାଇପାସ ରାସ୍ତାରେ ଥିବା ମାଷ୍ଟର୍ସ ସୋରୁମ ନିକଟରେ ଅତର୍କିତ ଚଢଉ କରିଥିଲେ ।
ଯାହା ଫଳରେ ସେଠାରେ ବେଆଇନ ବ୍ରାଉନ ସୁଗାର ବିକ୍ରି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଜଣଙ୍କୁ କାବୁ କରି ସେମାନଙ୍କ ଠାରୁ ୧୮ ଗ୍ରାମ ଓଜନର ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ, ଗୋଟିଏ ସ୍କୁଟି ଏବଂ ୫୩୬୦ ଟଙ୍କା ଜବତ କରିଥିଲା ପୁଲିସ । ଗିରଫ ଯୁବକମାନେ ହେଲେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏସକେ ଜମସିଡ୍ ଏବଂ ଏସକେ ପରବେଜ୍ ମୁଶାରଫ୍ । ପଚରାଉଚରା ସମୟରେ ଦୁହେଁ ବେଆଇନ ବ୍ରାଉନ ସୁଗର ବିକ୍ରି ନେଇ ନିଜର ଅପରାଧ ସ୍ୱୀକାର କରିଥିବାରୁ ଆଜିି କୋର୍ଟ ଚାଲାଣ ହୋଇଛନ୍ତି । ସେହିଭଳି ବେଆଇନ ଗଞ୍ଜେଇ ଚାଲାଣ ବେଳେ ୨ ଜଣଙ୍କୁ ଗିରଫ କରିଛି ବାଲିପାଟଣା ଥାନା ପୁଲିସ । ସେମାନେ ହେଲେ ବାଲିପାଟଣା ଥାନା ଅଞ୍ଚଳର ଗୋବିନ୍ଦ ଚନ୍ଦ୍ର ସାହୁ(୨୬) ଏବଂ ନିତ୍ୟାନନ୍ଦ ସାହୁ(୩୫) ।
ସୂଚନା ମୁତାବକ ଥାନାର ଏକ ସ୍ପେଶାଲ ପୁଲିସ ଟିମ ଶେଖପାଟଣାରୁ ବାଲିପାଟଣା ଛକ ମଧ୍ୟରେ ଥିବା ଠାକୁରାଣୀ ମନ୍ଦିର ନିକଟରେ ଅତର୍କିତ ଚଢଉ କରି ଗଞ୍ଜେଇ ଚାଲାଣ କରୁଥିବା ଉକ୍ତ ଦୁଇ ଯୁବକଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପୁଲିସ ସେମାନଙ୍କ ନିକଟରୁ ୨୨ କେଜି ୪୦୦ ଗ୍ରାମ ଓଜନର ଗଞ୍ଜେଇ, ୨ ଟି ମୋବାଇଲ ଫୋନ, ୧୦୦୦ ଟଙ୍କା ସହ ଗୋଟିଏ ସ୍କୁଟି ଜବତ କରାଯାଇଥିଲା । ଆଜି ପୁଲିସ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି । ଏହା ସହ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ଉତ୍ତର ପ୍ରଦେଶର ଅନିଲ୍ ଯାଦବ(୨୮) । ତମାଣ୍ଡୋ ଥାନାର ଏକ ପାଟ୍ରୋଲିଂ ଟିମ ତମାଣ୍ଡୋ ମାଛ ମାର୍କେଟ ପଛପଟେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀ ମଦ ବିକ୍ରି କରୁଥିବା ସମୟରେ ଅନୀଲକୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ୍ ବେଳେ ପୁଲିସ ତା ନିକଟରୁ ୫ ଲିଟର ଆସ୍କା-୪୦ ମଦ ଜବତ କରିଥିଲେ । ଏହି ଦେଶୀମଦ ବିକ୍ରି ପାଇଁ ତାଙ୍କ ପାଖରେ କୌଣସି ଅନୁମତି ପତ୍ର ନଥିବାରୁ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।