43.9 C
Bhubaneswar
Friday, April 19, 2024
Homeଅପରାଧକଣିହା ପୁଲିସର ଦାଦାଗିରି : କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବା ବଦଳରେ ଉଠାଇନେଲା

କଣିହା ପୁଲିସର ଦାଦାଗିରି : କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବା ବଦଳରେ ଉଠାଇନେଲା

କଣିହା : କଣିହା ବ୍ଲକର ଡେରେଙ୍ଗସ୍ଥିତ ଜେଆଇଟିପିଏଲ କମ୍ପାନୀରେ ବ୍ଲକର ସାରଥୀପାଳ ଗ୍ରାମବାସୀ କ୍ଷତିଗ୍ରସ୍ତ ହୋଇଛନ୍ତି । କମ୍ପାନୀର ପାଇପ ଲାଇନ କାମ ଚାଲିଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରି ନ୍ୟାୟ ଦାବି କରିଥିଲେ । ତେବେ କଣିହା ପୁଲିସ ପୂର୍ବଦିନ ଗୋଟେ କଥା କହି ପରେ ଜୋରଜବରଦସ୍ତ ଉଠାଇ ନେବା ନେଇ ପୁଲିସର ଏହା କି ପ୍ରକାର ନ୍ୟାୟ ବୋଲି ଚର୍ଚ୍ଚା ହେଉଛି ।
ସୂଚନା ଅନୁଯାୟୀ, କଣିହା ବ୍ଲକ ଏନଟିପିସି ଟାଉନ ଥାନା ଅଧିନସ୍ଥ ସାରଥିପାଳ ଗ୍ରାମର ପୁରୁଷ ଓ ମହିଳା ଗୁରୁବାର ଏକଜୁଟ୍ ହୋଇ ଜେଆଇଟିପିଏଲ୍ ପାଇପ ଲାଇନ ମରାମତି କାମକୁ ବିରୋଧ କରିଥିଲେ । ସାରଥିପାଳ ଗ୍ରାମର ଆମ୍ବୁରୀ ଠାରେ ଆଜି ପାଇପ ଲାଇନ ମରାମତି କାମ ଚାଲୁଥିଲା । ଘଟଣାସ୍ଥଳରେ ଏନଟିପିସି ଓ କଣିହା ପୁଲିସ୍ ପହଞ୍ଚି କମ୍ପାନୀକୁ ସହଯୋଗ କରିବା ପାଇଁ ଘଟଣାସ୍ଥଳରୁ ୯ ଜଣ ମହିଳା ଓ ଜଣେ ଯୁବକଙ୍କୁ ବଳପୂର୍ବକ ଏନଟିପିସି ଥାନାକୁ ଉଠାଇ ଆଣିଥିଲା । କନକଲତା ପ୍ରଧାନ, ସୁକାନ୍ତି ସାହୁ, ଶାନ୍ତିଲତା ପ୍ରଧାନ, ଉତ୍ତମା ପ୍ରଧାନ, ମନ୍ଦାକିନୀ ପ୍ରଧାନ, ସରସ୍ୱତୀ ପ୍ରଧାନ, ହୀରା ପ୍ରଧାନ, ସୌଦାମିନି ପ୍ରଧାନ, ଗୁଞ୍ଜର ପ୍ରଧାନ, ସୌଭାଗୀନି ପ୍ରଧାନ ପ୍ରମୁଖଙ୍କୁ ଉଠାଇ ନେଇଛି । ପୁଲିସ ଚଲାଇଥିବା ଦମନ ଲୀଳାକୁ ଗ୍ରାମବାସୀ ନାପସନ୍ଦ କରିବା ସହିତ ଆଇନର ଆଶ୍ରୟ ନେବାକୁ କହିଛନ୍ତି । ପୁଲିସ ବୁଧବାର ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସମସ୍ୟା ସମାଧାନ ପରେ ପାଇପ ଲାଇନ କରିବା ପାଇଁ ପ୍ରତିଶୃତି ଦେଇଥିବା ବେଳେ ଆଜି କାହା ଚାପରେ ଓ କାହା ସ୍ୱାର୍ଥରେ ଗ୍ରାମବାସୀଙ୍କୁ ଗିରଫ କଲା ତାହା ଗ୍ରାମବାସୀଙ୍କୁ ଚକିତ କରିଛି ବୋଲି କହିଛନ୍ତି ।
ଅପରପକ୍ଷରେ ଗୁଞ୍ଜରୀ ପ୍ରଧାନ ନାମକ ଜଣେ ମହିଳାଙ୍କୁ ପୁଲିସ୍ ମାଡ ମାରି ଏନଟିପିସି ମେଡିକାଲରେ ଚିକିତ୍ସା କରାଇବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି । ଉଲ୍ଲେଖ ଯେ, ଗ୍ରାମବାସୀ ପୁରୁଷାନୁକ୍ରମେ ଥିବା ଗୋଚର, ଶ୍ମଶାନ, ଉଠା ଜଳସେଚନ, ସଂରକ୍ଷିତ ଜଙ୍ଗଲ ଓ ପାଣିମାହାରା ଉପରେ ଜେଆଇଟିପିଏଲ ଡେରେଙ୍ଗ କମ୍ପାନୀର ପାଣି ପାଇପ୍ ଲାଇନ ଗଢି ଉଠିଛି । ଗ୍ରାମବାସୀଙ୍କ ସହିତ ଜେଆଇଟିପିଏଲ କର୍ତ୍ତୃପକ୍ଷ ୨୦୧୨ ମସିହାରେ ଗ୍ରାମବାସୀଙ୍କୁ ୧୦ଲକ୍ଷ ଟଙ୍କା ପାରିପାର୍ଶିକ ଉନ୍ନୟନ ବାବଦ ଦେବା ପାଇଁ ଚୁକ୍ତି କରି ପରେ ଆଉ ଧରାଛୁଆଁ ଦେଉନଥିଲା ବୋଲି ଗ୍ରାମ ସଭାପତି କାଳନ୍ଦୀ ଚରଣ ପ୍ରଧାନ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ କଣିହା ଥାନା ଆଇଆଇସି ପ୍ରଭାତ କୁମାର ତ୍ରିପାଠୀ, ଏନଟିପିସି ଆଇଆଇସି ଦୀପିକା ଦେବୀ ରାଓ ଏବଂ ଅନ୍ୟ ପୁଲିସ କର୍ମଚାରୀ ମୁତୟନ ଥିବା ବେଳେ କମ୍ପାନୀ ଅଧିକାରୀ ଓ ଶ୍ରମିକ ମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking