ରାତିଅଧରେ ଘରେ ପଶି ପିଟିଲା ପୁଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାତିଅଧରେ ପୋଲିସର ଉନ୍ନତ୍ତ କାଣ୍ଡ । ପୋଲିସ ବାବୁଙ୍କ ଏଭଳି କାରନାମା ବହୁଥର ଦେଖିବାକୁ ମିଳିଛି । ତେବେ ଗତ କିଛି ଦିନ ପୂର୍ବରୁ ଲୋୟର ପିଏମଜି ଠାରେ ଆନ୍ଦୋଳନରତ ଶିକ୍ଷକଙ୍କୁ କ୍ୟାପିଟାଲ ଥାନା ଇନ୍ସପେକ୍ଟରଙ୍କ ଠିଆ ଗୋଇଠାର ଦୃଶ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଆଉ ଜଣେ ପୁଲିସ ବାବୁଙ୍କ ଦାଦାଗିରି ସାମ୍ନାକୁ ଆସିଛି । କବାଟ ଖୋଲିବାରେ ବିଳମ୍ବ ହେବାରୁ ରାତି ଅଧିଆ ଗେଟ୍ ଡେଇଁ ଏକ ଘରୋଇ ଅଫିସ୍ରେ ପଶି କର୍ମଚାରୀଙ୍କୁ ନିର୍ଧୂମ୍ ମାଡ଼ ମାରିଛନ୍ତି । ଏହି ଘଟଣା ସହିଦନଗର ଅଞ୍ଚଳରେ ହୋଇଥିବା ଜଣାପଡିଛି । ଏହାର ଭିଡିଓ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି । ତେବେ ସେତିକିରେ ପୋଲିସ ବାବୁଙ୍କ ରାଗ ଶାନ୍ତ ହୋଇନଥିଲା ରାତି ଅଧରେ ଘରେ ପଶି ମାରିଲେ ଏବଂ ଖଣ୍ଡଗିରି ଥାନାକୁ ଟେକି ଆଣି ସେଠାରେ ମଧ୍ୟ ନିସ୍ତୁକ ଛେଚି ଥିଲେ । ମାଡ ଖାଇଥିବା କର୍ମଚାରୀଦ୍ୱୟ ଏନେଇ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ପୂର୍ବରୁ ଏଭଳି ଅଭିଯୋଗକୁ ମିଛ କହି ଆସୁଥିବା କମିସନରେଟ୍ ପୁଲିସ୍ ଏହି ମାମଲାରେ ପ୍ରମାଣ ରହି ଯାଇଥିବାରୁ ଫସି ଯାଇଛନ୍ତି । ସାଦା ପୋଷାକରେ ଥିବା ପୁଲିସ ମାଡ଼ ମାରୁଥିବା ବେଳେ ପୋଷାକରେ ଥିବା ପୁଲିସ ଦେଖଣାହାରୀ ସାଜିଛି ।
ସୂଚନା ଅନୁସାରେ, ଭୁବନେଶ୍ୱରର ସହିଦ ନଗରସ୍ଥିତ ଏକ ଘରୋଇ ସଂସ୍ଥାର ମାଲିକ ହେଉଛନ୍ତି କୈଳାସ ଚନ୍ଦ୍ର ମୁଦୁଲି । ନିଜର ଡ୍ରାଇଭର ନ ଥିବାରୁ କିଛି ଦିନ ପାଇଁ ରମେଶ ବାରିକ ନାମକ ଜଣେ ଡ୍ରାଇଭରଙ୍କୁ ଆଣି ରଖିଥିଲେ। ତେବେ ରମେଶଙ୍କ ନାମରେ ଖଣ୍ଡଗିରି ଥାନାରେ ମାମଲା ରହିଥିଲା । ରମେଶଙ୍କୁ ଖୋଜିବାକୁ ଆସି ଗତ ରାତି ୧୨ଟା ବେଳେ ୩ଜଣ ପୁଲିସ କର୍ମଚାରୀ ଏହି ସଂସ୍ଥାର ଅଫିସ କବାଟ ବାଡ଼େଇଥିଲେ। ଖୋଲିବାରେ ବିଳମ୍ବ ହେବାରୁ ଗୋଇଠା ମାରି କବାଟ ଭାଙ୍ଗି ଭିତରେ ପଶିଥିଲେ । ଉଭୟଙ୍କୁ ବାହାରକୁ ଭିଡ଼ି ଆଣି ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ମାଡ଼ ମାରିଥିଲେ। ପରେ ରମେଶଙ୍କୁ ଖଣ୍ଡଗିରି ଥାନା ନିଆଯାଇ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ କାମ କରୁଥିବା ଅନ୍ୟ କର୍ମଚାରୀ ଶିବୁନା ଓ ବିକାଶ ଏନେଇ ଅଭିଯୋଗ କରିଛନ୍ତି।
ତେବେ କର୍ମଚାରୀଙ୍କ ନାମରେ କୌଣସି ମାମଲା ନାହିଁ। ଯଦି ଗିରଫ କରିବାର ଥିଲା, ତେବେ ଦିନରେ ଆସି ପାରିଥାନ୍ତେ। କିନ୍ତୁ ରାତି ଅଧରେ ଅଫିସରେ ପଶି ତାଙ୍କୁ ମାଡ଼ ମାରି ଥାନାକୁ ନିଆଗଲା କାହିଁକି? ମାନବ ଅଧିକାର ଉଲ୍ଲଂଘନ କରିବାକୁ କିଏ ଆଦେଶ ଦେଲା ବୋଲି ପ୍ରଶ୍ନ କରିଛନ୍ତି କୈଳାସ। ଏନେଇ ସେ କୋର୍ଟର ଆଶ୍ରୟ ନେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।