29.4 C
Bhubaneswar
Thursday, April 18, 2024
Homeଓଡିଶାଭୁବନେଶ୍ୱରପୁଲିସକୁ ଅପରାଧୀଙ୍କ ଭୟ ନାହିଁ: ମଝିରାସ୍ତାରେ ଅଟକିଲେ , ଚା’ ଦୋକାନୀଙ୍କୁ ଗୋଡ଼ାଇ ହାଣିଲେ

ପୁଲିସକୁ ଅପରାଧୀଙ୍କ ଭୟ ନାହିଁ: ମଝିରାସ୍ତାରେ ଅଟକିଲେ , ଚା’ ଦୋକାନୀଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର : ରାଜଧାନୀରେ ପୁଲିସ ଲୋକାଭିମୂଖି ହୋଇ କାମ କରୁଛି । ହେଲେ ଅପରାଧୀମାନେ ଏବେ ଆତଙ୍କ ସୃଷ୍ଟି କରୁଛନ୍ତି । ସ୍ପଷ୍ଟ ଦିବାଲୋକରେ ବେଫିକର୍ ହୋଇ ଖଣ୍ଡା, ଭୁଜାଲି ବୁଲାଉଛନ୍ତି । ଏହି ଚିତ୍ର ଦେଖିଲେ ଅପରାଧୀ ଆଉ ପୁଲିସକୁ ଭୟ କରୁନଥିବା ଭଳି ମନେହେଉଛି । ଏଭଳି ଘଟଣା ମଞ୍ଚେଶ୍ୱର ଥାନା ଅଞ୍ଚଳରେ ରବିବାର ଦେଖିବାକୁ ମିଳିଛି । ଏଭଳି କାଣ୍ଡ ଭିଆଇଥିବା ଦୁଇଜଣ ଯୁବକଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଳାଶୁଣିର ରାକେଶ ରଞ୍ଜନ ମହାନ୍ତି (୩୫) ଓ ଜଗନ୍ନାଥ କଲୋନୀର ଅଜିତ ଗିରି ଓରଫ ବାଦଲ(୨୧) । ଏମାନଙ୍କ ଠାରୁ ଗୋଟିଏ ଖଣ୍ଡା, ଷ୍ଟିଲ ପାଇପ, ୨ଟି ମୋବାଇଲ ଜବତ କରାଯାଇଛି । ଏନେଇ ପୁଲିସ କେସ୍ ନଂ ୧୬୭/୨୨ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରିଛି ।
ସୂଚନା ଅନୁଯାୟୀ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ରୟାଲ ଯୁକ୍ତଦୁଇ ବିଜ୍ଞାନ ମହାବିଦ୍ୟାଳୟ ନିକଟରେ ପ୍ରୀତମ ପ୍ରଭାତ ମଲ୍ଲ(୨୯) ନାମକ ଜଣେ ଯୁବକଙ୍କ ଏକ ଚା’ ପାନ ଦୋକାନ ରହିଛି । ରବିବାର ମଧ୍ୟାହ୍ନ ସାଢ଼େ ୧୨ଟା ସମୟରେ ତାଙ୍କ ଦୋକାନ ଭିଡ଼ ଥିଲା । ଏହି ସମୟରେ ଅଭିଯୁକ୍ତ ରାକେଶ ଓ ସହଯୋଗୀ ଅଜିତ ଏକ କାର ଯୋଗେ ପ୍ରଭାତଙ୍କ ଦୋକାନ ଆଗ ରାସ୍ତାରେ ଓହ୍ଲାଇଥିଲେ । ପୁରା ନିଶାରେ ଥିବା ସହ କାର୍‌ରୁ ଫିଲ୍ମ ଷ୍ଟାଇଲରେ ବାହାରିଥିଲେ ।
କିଛି ସମୟ ଚାରିଆଡ଼େ ଦେଖିଥିଲେ । ପରେ କାର୍‌ରୁ ଏକ ଷ୍ଟିଲପାଇପ୍ କାଢ଼ି ପ୍ରଭାତଙ୍କୁ ଆକ୍ରମଣ କରିଥିଲେ । ଏଥିସହ ଦୋକାନରେ ଗଚ୍ଛିତ କରି ରଖାଯାଇଥିବା ମୃଦ୍ୟୁ ପାନୀୟ ବୋତଲ ଗୁଡିକୁ ଭାଙ୍ଗିଦେଇଥିଲେ । ଏଭଳିକାଣ୍ଡ ଦେଖି ଦୋକାନରେ ଚା’ ପିଉଥିବା ଲୋକମାନେ ଏହାକୁ ବିରୋଧ କରିଥିଲେ । ହେଲେ ଅଭିଯୁକ୍ତଦ୍ୱୟ ଖରାପ ଭାଷାରେ ଗାଳିଗୁଲଜ କରି କିଛି ସମୟ ପର୍ଯ୍ୟନ୍ତ ଉକ୍ତ ଜାଗା ଛାଡି ପଳାଇଯାଇଥିଲେ । ଏହାର ୧୫ ମିନିଟ୍ ପରେ ପୁଣି ସେଠାକୁ ଆସିଥିଲେ । ପରେ ଗାଡିରୁ ଖଣ୍ଡା ବାହାର କରି ପୁଣି ନିଜର ଦବଦବା ଦେଖାଇଥିଲେ । ପ୍ରଭାତଙ୍କୁ ନାଲି ଆଖି ଦେଖାଇ ଗୋଡ଼ାଇ ଗୋଡ଼ାଇ ମୁଣ୍ଡକୁ ଲକ୍ଷ କରି ଆକ୍ରମଣ କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ପ୍ରଭାତ ବଞ୍ôଚ ଯାଇଥିଲେ ମଧ୍ୟ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଛି ।
ଖାଲି ଏତିକି ନୁହେଁ, ପ୍ରଭାତଙ୍କ ପଡ଼ୋଶୀ ଦୋକାନ ସଟର ଗୁଡ଼ିକୁ ମଧ୍ୟ ଅଭିଯୁକ୍ତଦ୍ୱୟ ଖଣ୍ଡାରେ ହାଣି ପକାଇଥିଲେ । ଦୁର୍ବୃତ୍ତଙ୍କ ଏଭଳି ରୂପ ଦେଖି ପାଖରେ ଥିବା ଲୋକ ପଡି ଉଠି ଦୌଡିବା ଆରମ୍ଭ କରିଥିଲେ । ପରେ ସ୍ଥାନୀୟ ଲୋକେ ପିସିଆରକୁ ଫୋନ କରି ଘଟଣାସମ୍ପର୍କରେ ଜଣାଇବାରୁ ୩୦ମିନିଟ୍ ପରେ ପୁଲିସ ପହଞ୍ଚିଥିଲା । ଅଭିଯୁକ୍ତଦ୍ୱୟଙ୍କୁ ପୁଲିସ କାବୁ କରିବାକୁ ଚେଷ୍ଟା କରିବାବେଳେ ସେମାନେ ପୁଲିସକୁ ଆକ୍ରମଣ କରିବାକୁ ଗୋଡ଼ାଇ ଆସିଥିଲେ । କିଛି ସମୟ ପରେ ଅଭିଯୁକ୍ତଦ୍ୱୟଙ୍କୁ କାବୁ କରି ଥାନାକୁ ଆଣିଥିଲେ । ପଚରାଉଚରା ପରେ ସେମାନେ ନିଜ ଦୋଷ ସ୍ୱୀକାର କରିଛନ୍ତି । ହେଲେ କାହିଁକି ପ୍ରଭାତଙ୍କୁ ଆକ୍ରମଣ କରିବାକୁ ଆସିଥିଲେ , ସେନେଇ କିଛି କହିନାହାନ୍ତି । ତେଣୁ ଭାଇଗିରି ଦେଖାଇବାକୁ ଯାଇ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking