27.1 C
Bhubaneswar
Friday, March 29, 2024
Homeଓଡିଶାଅଭିଯୁକ୍ତକୁ ଧରିବାକୁ ଯାଇ ପୁଲିସ-ଗ୍ରାମବାସୀ ମୁହାଁମୁହିଁ

ଅଭିଯୁକ୍ତକୁ ଧରିବାକୁ ଯାଇ ପୁଲିସ-ଗ୍ରାମବାସୀ ମୁହାଁମୁହିଁ

ବାଲେଶ୍ୱର : ଜଣେ ଅଭିଯୁକ୍ତକୁ ଧରିବାକୁ ଯାଇଥିବା ପୁଲିସ ଗ୍ରାମବାସୀଙ୍କ ସହ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତକୁ ଗ୍ରାମ୍ୟ ପ୍ରଜାକୋର୍ଟରେ ଦଣ୍ଡ ଦେବାପାଇଁ ପୁଲିସ ଅନୁମତି ଦାବିକରି ଗ୍ରାମବାସୀ ନୀଳଗିରି-ପଞ୍ଚଲିଙ୍ଗେଶ୍ୱର ରାସ୍ତାର ନିଶ୍ଚିତପୁର ଛକରେ ଗ୍ରାମବାସୀ ବୁଧବାର ସକାଳୁ ଟାୟାର ଜାଳି ରାସ୍ତାରୋକ କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ନୀଳଗିରି ଥାନାଧିକାରିଣୀ ମିନତି ବିଶ୍ୱାଳ ୨ ପ୍ଲାଟୁନ୍ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।
ସୂଚନା ଅନୁଯାୟୀ, ନୀଳଗିରି ଥାନା ଅଧୀନ ନିଶ୍ଚିତପୁର ଗ୍ରାମର ରବୀନ୍ଦ୍ର ଦଳେଇର ପୁଅ ବିଶ୍ୱଜିତ୍ ଦଳେଇ ଓରଫ ରାଜା (୨୬) ନିଶାସକ୍ତ ଅବସ୍ଥାରେ ଗତ ମଙ୍ଗଳବାର ରାତିରେ ଉକ୍ତ ଗ୍ରାମର ଗୌରାଙ୍ଗ ପାତ୍ର (୫୦)ଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ଠେଙ୍ଗାରେ ମାଡ଼ ମାରିଥିଲା । ଗ୍ରାମବାସୀ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା । ଏ ନେଇ ମଙ୍ଗଳବାର ରାତିରେ ଗୌରାଙ୍ଗ ନୀଳଗିରି ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳକୁ ଯାଇଥିଲା । ତେବେ ଗ୍ରାମର କିଛି ମହିଳା ପୁଲିସକୁ ବିରୋଧ କରିବା ସହ ଅଭିଯୁକ୍ତର ଗ୍ରାମ ପ୍ରଜାକୋର୍ଟରେ ବିଚାର କରିବା ପାଇଁ ଜିଦ୍ ଧରିଥିଲେ । ମାତ୍ର ପୁଲିସ ଏହାକୁ ବିରୋଧ କରିବା ସହ ରାତି ତମାମ ସେଠାରେ ଜଗି ରହିଥିଲା । ଅଭିଯୁକ୍ତର ଗ୍ରାମ୍ୟ ପ୍ରଜାକୋର୍ଟରେ ବିଚାର ଜିଦ୍‌ରେ ଗ୍ରାମବାସୀ ବୁଧବାର ସକାଳେ ଟାୟାର୍ ଜାଳି ରାସ୍ତାରୋକ କରିଥିଲେ । ସକାଳେ ନୀଳଗିରି ଏସ୍‌ଡିପିଓ ଅମୂଲ୍ୟ ଧର, ଆଇଆଇସି ମିନତି ବିଶ୍ୱାଳ ୨ ପ୍ଲାଟୁନ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ôଚ ଅଭିଯୁକ୍ତ ବିଶ୍ୱଜିତ୍‌କୁ ଗିରଫ୍ କରି ଥାନାକୁ ଆଣିବା ପରେ ବାଧ୍ୟହୋଇ ଗ୍ରାମବାସୀ ରାସ୍ତାରୋକରୁ ହଟିଥିଲେ ।
ସୂଚନାଯୋଗ୍ୟ, ବିଶ୍ୱଜିତ ପୂର୍ବରୁ ବହୁ ମାମଲାରେ ଜଡ଼ିତ ଥିବା ନଜିର ରହିଛି । ଉକ୍ତ ଘଟଣାରେ ଅଭିଯୁକ୍ତର ମାଆ ଜଞ୍ଜାଳି ଦଳେଇକୁ ମଧ୍ୟ ପୁଲିସ ଗିରଫ କରିଛି । ଅଭିଯୁକ୍ତଠାରୁ ପୁଲିସ କେତେକ ମାରଣାସ୍ତ୍ର ମଧ୍ୟ ଜବତ କରିଛି । ଏ ନେଇ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ମାଆ ଓ ପୁଅଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ମିନତି ବିଶ୍ୱାଳ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking