ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ସିଲ୍

petrol-pump-sealed

ଭୁବନେଶ୍ୱର : ଭୁବନେଶ୍ୱର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣାରେ ଆଜି ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି। ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୭ ତାରିଖରେ ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟିବା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନେ ଆତଙ୍କିତ ହୋଇପଡ଼ିଥିଲେ । ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଅଞ୍ଚଳ ଥରିଉଠିଥିଲା ବୋଲି ସ୍ଥାନୀୟ ଲୋକେ କହିଥିଲେ । ଟାଙ୍କିରେ କାମ କରୁଥିବା ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ନିକଟରେ ଥିବା କେତେକ ଘରର କାଚ ଝରକା ଭାଙ୍ଗି ଯାଇଥିଲା। ଏଣେ କିଛି ଲୋକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚିକିତ୍ସାଧୀନ ଅବସ୍ଥାରେ ଟେକ୍ନିସିଆନ୍ ସତ୍ୟ ନାୟକଙ୍କର ମୃତ୍ୟୁ ହୋଇଥିବା ବେଳେ ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କ ପତ୍ତା ମିଳୁନି। ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହରେ ଖୋଳତାଡ଼ ଜାରି ରଖିଛି ପୁଲିସ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବି‌ଶେ‌ଷ ଜଣାପଡ଼ିନାହିଁ । ତେବେ ଏଲପିଜି ଟାଙ୍କି ଫାଟିବାରୁ ଏହି ବିସ୍ଫୋରଣ ଘଟିଲା ବୋଲି ପୁଲିସ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here