ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଆମେରିକା-ଇରାନ ମଧ୍ୟରେ ଲାଗିଥିବା ଶୀତଳ ଯୁଦ୍ଧ ପାଇଁ ଅନ୍ତର୍ଜାତୀୟ ବଜାରରେ ତୈଳଦର ବଢ଼ିବା ହେତୁ ଡିଜେଲ-ପେଟ୍ରୋଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଇରାନ ସେନାର କମାଣ୍ଡର କ୍ବାସିମ୍ ସୁଲେମାନୀଙ୍କୁ ଇରାକର ବାଗଦାଦରେ ଆମେରିକା କ୍ଷେପଣାସ୍ତ୍ର ମାଡ଼ କରି ମାରିବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇଛି । ଏହାକୁ ଆଧାର କରି ବସ ଭଡ଼ା ମଧ୍ୟ ବୃଦ୍ଧି ପାଇଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୭୦ ଡଲାର ହୋଇଯାଇଛି । ଏହାର ପ୍ରଭାବରେ ଦେଶ ଭିତରେ ପେଟ୍ରୋଲ୍ ଓ ଡିଜେଲ୍ ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ।
ଲଗାତାର ଭାବେ ପାଞ୍ଚ ଦିନ ହେବ ପେଟ୍ରୋଲ ଓ ଡିଜେଲ୍ ଦର ବଢି ଚାଲିଛି । ଚଳିତବର୍ଷ ପହିଲାରେ ପେଟ୍ରୋଲ ଦର ଲିଟର ପିଛା ୭୪ ଟଙ୍କା ୧୭ ପଇସା ଥିବାବେଳେ ଡିଜେଲ ଦର ୭୨ ଟଙ୍କା ୯୬ ପଇସା ରହିଥିଲା । କିନ୍ତୁ ଦୁଇ ତାରିଖରୁ ଏହା ବଢ଼ିବାରେ ଲାଗିଛି । ସୋମବାର ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୭୪ ଟଙ୍କା ୬୬ ପଇସା ଓ ଡିଜେଲ୍ ୭୩ ଟଙ୍କା ୬୮ ପଇସାକୁ ବୃଦ୍ଧି ପାଇଛି । ନୂଆବର୍ଷରୁ ସୋମବାର ମଧ୍ୟରେ ପେଟ୍ରୋଲ ଦର ୪୯ ପଇସା ଏବଂ ଡିଜେଲ ଦର ୭୨ ପଇସା ମହଙ୍ଗା ହୋଇଥିବା ଜଣାପଡିଛି ।