35.1 C
Bhubaneswar
Tuesday, April 23, 2024
HomeUncategorizedଭୂମିହୀନଙ୍କୁ ମିଳୁନି ପଟା

ଭୂମିହୀନଙ୍କୁ ମିଳୁନି ପଟା

ଯାଜପୁର : ଯାଜପୁର ଜିଲ୍ଲାର ପ୍ରମୁଖ ସହର ବ୍ୟାସନଗର । ଚାରିଆଡ଼େ ପରିଚିତ ଏହି ସହର ଏବେ ଅବହେଳିତ । ରାସ୍ତା , ସ୍ୱାସ୍ଥ୍ୟ, ପର୍ଯ୍ୟଟନ , ଶିକ୍ଷା ଆଦି କ୍ଷେତ୍ରରେ ଏବେ ଷଡ଼ଯନ୍ତ୍ରର ଶିକାର ହେଉଛି । ସହରରେ ୫ହଜାରରୁ ଉର୍ଦ୍ଧ୍ୱ ଲୋକେ ଏବେ ଭୂମିହୀନ । ୮ବର୍ଷ ହେବ ଭୂମି ପଟ୍ଟା ପାଇଁ ସହରବାସୀ ବାରମ୍ବାର ସରକାରୀ ଅଫିସକୁ ଦୌଡ଼ି ଏବେ ନିରାଶ । ଧୀରେ ଧୀରେ ସରକାରଙ୍କ ଉପରୁ ଆସ୍ଥା ତୁଟିଗଲାଣି ଲୋକଙ୍କର । ଏନେଇ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି ।
ମିିଳିଥିବା ସୂଚନା ଅନୁଯାୟୀ , ସୁକିନ୍ଦା ଏକ୍ସ ଇଣ୍ଟରମିଡ଼ିୟାରୀଙ୍କର ମୁଣ୍ଡମାଳ ମୌଜାର ମନ୍ମଥ କୁମାର ସିଲ , ଅମୂଲ୍ୟ କୃଷ୍ଣ ରାୟ ପ୍ରମୁଖ ନିଜ ନାମରେ ୧୯୩୨ରୁ ୧୯୪୬ ପର୍ଯ୍ୟନ୍ତ ଲିଜ ସୁତ୍ରେ କିଛି ଜମି ହାସଲ କରିଥିଲେ । ଏହି ଜମି ୧୯୩୨ ରୁ ୧୯୩୭ ପର୍ଯ୍ୟନ୍ତ ଖଜଣାମୁକ୍ତ ଥିଲା । ୧୯୩୭ରୁ ୧୯୫୧ଏହା ଖଜଣାଭୁକ୍ତ ଥିଲା । ୧୯୫୨ରୁ ୨୦୧୫ ପର୍ଯ୍ୟନ୍ତ ସରକାରୀ ଖଜଣାଭୁକ୍ତ ଏବଂ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ କୋର୍ଟ ନିର୍ଦ୍ଦେଶ ବଳରେ ସିଲଂ କେସ୍ ନମ୍ବର ୫୭, ୫୮/୧୯୭୫ ଅନୁଯାୟୀ ଏହା ଆଶିଷ କୁମାର ରାୟ ଓ ସଲିଲ କୁମାର ସିଲଙ୍କ ନାମରେ ସରକାରୀ ସ୍ୱୀକୃତିପ୍ରାପ୍ତ ହୋଇଛି । ଏହା ବ୍ୟତୀତ ୧୯୮୨ର ସେଟେଲମେଂଟ ଅପରେସନ ପରଠାରୁ ୨୦୦୯ ମଧ୍ୟରେ ଏହି ସ୍ୱୀକୃତିପ୍ରାପ୍ତ ପ୍ରଜାମାନେ ଯେଉଁ ବ୍ୟକ୍ତିବିଶେଷଙ୍କୁ ବିକ୍ରି କବଲା ସୁତ୍ରେ ଜମି ବିକ୍ରି କରିଛନ୍ତି , ସେମାନଙ୍କୁ ମଧ୍ୟ ସରକାର ସ୍ଥାୟୀ ପ୍ରଜାଭାବେ ଗ୍ରହଣ କରି ସମସ୍ତଙ୍କ ନଟଫାଇନାଲ ପଟ୍ଟା ପ୍ରଦାନ କରିଛନ୍ତି । ଏହା ସହ ମୁଣ୍ଡମାଳ ମୌଜାର ୨୨୩ ଓ ୯୭ ନଂ ଖାତାର କିଛି ଜମି କୋପଣ୍ଡ ଓ ବୀରମଣିପୁରକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଦୁଃଖର ବିଷୟ ଯେ , ଏହି ଜମାବନ୍ଦୀଭୁକ୍ତ ପ୍ରଜାମାନଙ୍କ ନାମରେ ସରକାର ୨୦୦୯ରୁ ଝାଟି ଜଙ୍ଗଲ କିସମ ଦର୍ଶାଇ ଓଏସଏସ୍ ମାମଲା ରୁଜୁ କରି ସେମାନଙ୍କୁ ହଇରାଣ କରଉଛନ୍ତି ବୋଲି ଅଭିଯୋଗ ଆସିଛି । ବୋର୍ଡ ଅଫ ରେଭିନ୍ୟୁଙ୍କ ନିର୍ଦ୍ଦେଶ ମଧ୍ୟ ଏଠାରେ ଅକାମୀ ହୋଇ ପଡ଼ିଛି ।
୨୦୧୭ରେ ବିଧାନସଭାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ଜମି ସମସ୍ୟା ଉପରେ ୩ ଥର ଭେରିଫିକେସନ କରି ଜିଲ୍ଲାପାଳଙ୍କୁ ୩ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିଷ୍ପତ୍ତି ନିଆଯାଇଛି । କେବଳ ମୁଣ୍ଡମାଳର ରିପୋର୍ଟ ଯାଇଥିବା ବେଳେ ରମ୍ପାସ , ଚୋର୍ଦ୍ଦା, ଓ ଉମାପଦା ମୌଜାର ରିପୋର୍ଟ ଦାଖଲ ହୋଇ ନଥିବା କୁହାଯାଇଛି । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କରାଯାଉଛି ବୋଲି ଅଭିଯୋଗ ଆସିଛି । ବ୍ୟାସନଗର ଜମି ସୁରକ୍ଷା କମିଟିର ସଂପାଦକ ନାରାୟଣ ଚନ୍ଦ୍ର ପତି କୁହନ୍ତି , ଜମି ସମସ୍ୟାର ସମାଧାନ କରିବାକ୍‌ୁ ଏକ କମିଟି ଗଠନ କରାଯାଇଛି । ଜିଲ୍ଲାପାଳ ଏପର୍ଯ୍ୟନ୍ତ ଉକ୍ତ କମିଟିକୁ କାର୍ଯ୍ୟକାରୀ କଲେ ନାହିଁ । ଫଳରେ ପ୍ରଜାମାନେ ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଦାବି କରିଛନ୍ତି ।
ପ୍ରଭାବିତ ପ୍ରଜା ଶୁଭ୍ରଜିତ ରାୟ କହିଛନ୍ତି ଯେ , ଜମି ସମସ୍ୟା ସମାଧାନ ନହେବାରୁ ବହୁ ପ୍ରଜା ହଇରାଣ ହେଉଛନ୍ତି । ଏଥିପାଇଁ ସରକାର ଧ୍ୟାନ ଦେଉନାହାନ୍ତି । ଏନେଇ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking