ନୂଆଦିଲ୍ଲୀ: ରାଜସ୍ଥାନ ଜୟପୁର ରେ ବିଜେପି ପକ୍ଷରୁ ଚିନ୍ତନ ଶିବିର କାର୍ଯ୍ୟକ୍ରମ ଚାଲିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭିଡିଓ କନଫରେନ୍ସ ମାଧ୍ୟମରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ସମ୍ବୋଧନ କରିଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ୮ ବର୍ଷ ହେଲାଣି ଦେଶର ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଛି। ୨୦୧୪ ପରେ ସରକାରୀ କଳର କାର୍ୟ୍ୟ ଉପରେ ଲୋକଙ୍କ ବିଶ୍ୱାସ ସୃଷ୍ଟି ହୋଇ ପାରିଛି। ବର୍ତ୍ତମାନ ଦେଶର ସ୍ୱାଧୀନତାର ୭୫ ବର୍ଷରେ ପ୍ରବେଶ କରିଛି। ତେଣୁ ବିଜେପିକୁ ଆସନ୍ତା ୨୫ ବର୍ଷ ପାଇଁ ରଣନୀତି ଏବେ ଠାରୁ ପ୍ରସ୍ତୁତ କରିବାକୁ ପଡ଼ିବ। ଆଜି ଏଭଳି ଢଙ୍ଗରେ ଦଳର ରାଷ୍ଟ୍ରୀୟ କାର୍ୟ୍ୟକର୍ତ୍ତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପିର ଜାତୀୟ କାର୍ୟ୍ୟକର୍ତ୍ତାଙ୍କୁ ଜୟପୁର ଠାରେ ଭିଡିଓ କନଫରେନ୍ସିଂରେ ସମ୍ବୋଧନ କରି ମୋଦି ଦଳୀୟ କର୍ମୀ ଓ ନେତାମାନଙ୍କୁ ଗିରବ ଏବଂ ପ୍ରକୃତ ହିତାଧିକାରୀମାନେ ଯେମିତି ସରକାରଙ୍କ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ ନ ହେବେ, ସେନେଇ ପ୍ରଚାର ପ୍ରସାର କରିବାକୁ କହିଛନ୍ତି। ସେ କହିଛନ୍ତି, “ଚଳିତ ମାସରେ ଏନଡିଏ ସରକାରଙ୍କୁ ୮ ବର୍ଷ ପୂରିବ। ଏହି ୮ ବର୍ଷ ମଧ୍ୟରେ ଆମେ ପ୍ରତିଶ୍ରୁତିବଦ୍ଧ ହୋଇ ସେବା କରିଛୁ। ଉତ୍ତର ଶାସନ ଓ ଗରିବଙ୍କ କଲ୍ୟାଣ ପାଇଁ ଏହି ୮ ବର୍ଷ ମଧ୍ୟରେ ଅନେକ କିଛି କରାଯାଇଛି। ଚାଷୀ, ଶ୍ରମିକ ଓ ମଧ୍ୟବିତ୍ତଙ୍କ ଆଶା ୮ ବର୍ଷ ମଧ୍ୟରେ ପୂରଣ ହୋଇଛି। ୮ ବର୍ଷ ଧରି ଦେଶରେ ସମତୁଲ ବିକାଶ, ସାମାଜିକ ନ୍ୟାୟ ଓ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଛି। ଏହି ୮ ବର୍ଷ ମା’, ଝିଅ ଓ ଭଉଣୀଙ୍କ ସଶକ୍ତିକରଣ ପାଇଁ ଉତ୍ସର୍ଗୀକୃତ। ୨୦୧୪ ପରେ ବିଜେପି ନେତୃତ୍ୱାଧୀନ ସରକାର ଲୋକଙ୍କ ବିଶ୍ୱାସ ଜିତି ପାରିଛି। ସରକାରୀ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ପୁଣି ବଢ଼ିଛି। ପୂର୍ବରୁ ଲୋକମାନେ ସରକାରୀ ବ୍ୟବସ୍ଥା ଉପରୁ ନିଜର ବିଶ୍ୱାସ ହରାଇ ସାରିଥିଲେ। ବର୍ତ୍ତମାନ ପୂରା ବିଶ୍ୱ ଭାରତକୁ ବେଶ ଆଶାବାଦୀ ହୋଇ ଚାହିଁ ରହିଛି।