26.1 C
Bhubaneswar
Friday, March 29, 2024
Homeଓଡିଶାଭିଟାମାଟି ଛାଡ଼ୁଛନ୍ତି ଲୋକେ: ବର୍ଷା ହେଲେ ଜଳବନ୍ଦୀ ୧୦ ପରିବାର

ଭିଟାମାଟି ଛାଡ଼ୁଛନ୍ତି ଲୋକେ: ବର୍ଷା ହେଲେ ଜଳବନ୍ଦୀ ୧୦ ପରିବାର

ବାରିକପୁର: ଯାତାୟତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ସୁଦ୍ଧା ଆଜି ବି ଅନେକ ସ୍ଥାନ ଏଥିରୁ ବାଦ ପଡିଛି। ବର୍ଷା ଦିନ କଥାକୁ ଛାଡିଦେଲେ ଖରା ଆଠ ମାସ ମଧ୍ୟ ଲୋକେ ଯାତାୟତ ସୁବିଧାରୁ ବଞ୍ଚିତ ହୋଇ ଜଳବନ୍ଦୀ ଜୀବନ କାଟୁଛନ୍ତି । ବର୍ଷା ବେଳେ ଦୁଃଖ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଯାଉଛି । ରାସ୍ତା ଖଣ୍ଡେ ପାଇଁ ଦୀର୍ଘ ଦୁଇ ପୁରୁଷ ହେବ ଦାବି ଜଣାଯାଉଥିଲେ ସୁଦ୍ଧା ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଉଛି ଲୋକଙ୍କ ସମସ୍ୟା । ରାସ୍ତା କଥା ଭାବି ଭାବି କେତେକ ଆରପାରିକୁ ଚାଲିଯାଇଥିବା ବେଳେ ସେମାନଙ୍କ ଦାୟାଦ ଏବେ ଯାତାୟତ ସମସ୍ୟାରେ ଜର୍ଜରିତ ହେଉଛନ୍ତି ।

ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଞ୍ଚାୟତ ବଡ଼କଣ୍ଟାପଡା ଗ୍ରାମରେ । ଗାଁର ଗ୍ରାମଦେବତୀ ପୀଠରୁ ମିସ୍ତ୍ରୀ ସାହି ଦେଇ ଯାଇଥିବା ରାସ୍ତାଟି ଏବେ ଏକ ନଦୀର ଭ୍ରମ ସୃଷ୍ଟି କରୁଛି । ଉକ୍ତ ରାସ୍ତାଟିର ପ୍ରାୟ ୩୦୦ମିଟର ଏବେ ସମ୍ପୂର୍ଣ୍ଣ ବର୍ଷା ପାଣି ଭର୍ତ୍ତି ହୋଇଯାଇଥିବା ବେଳେ ଏହି ବାଟ ଦେଇ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ ହେଉଛି । ନିକଟ ରେବ ନଦୀକୁ ଉକ୍ତ ରାସ୍ତାପୂର୍ଣ୍ଣ ଜଳ ନିଷ୍କାସିତ ହେଉଥିଲେ ସୁଦ୍ଧା ସଦାସର୍ବଦା ଏହା ଉପରେ ପ୍ରାୟ ଅଣ୍ଟାଏ ପାଣି ଜମି ରହୁଛି । ଯେଉଁଥି ପାଇଁ ଏବେ ପ୍ରାୟ୧୦ଗୋଟି ପରିବାର ଜଳ ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି ।

ପାନୀୟ ଜଳ ପାଇଁ ବ୍ୟବହୃତ ହେଉଥିବା ନଳକୂପ ମଧ୍ୟ ପାଣିରେ ସର୍ବଦା ବୁଡି ରହୁଛି । ଛୋଟ ପିଲାଙ୍କ ଠାରୁ ବୃଦ୍ଧ ଯାଏଁ ରାତି ପାହିଲେ ଉକ୍ତ ଜଳପୂର୍ଣ୍ଣ ରାସ୍ତାରେ ଯାତାୟତ କରି ଜ୍ୱର ଥଣ୍ଡାଭଳି ରୋଗରେ ପୀଡ଼ିତ ହେଉଛନ୍ତି । ଏପରିକି ପାଣି ଭିତରେ ଯିବା ଆସିବା କରୁଥିବାରୁ ଅସାବଧାନତା ଯୋଗୁ କେତେକଙ୍କ ହାତ ଗୋଡ଼ ଭାଙ୍ଗିଥିବା ଅଭିଯୋଗ ହୋଇଛି । ପରିସ୍ଥିତି ଏଭଳି ଅବସ୍ଥାରେ ଆସି ପହଞ୍ଚିଛି ଯେ କିଛି ପରିବାର ମଧ୍ୟ ଏଥିଯୋଗୁ ଅଣନିଶ୍ୱାସୀ ହୋଇ ଭିଟାମାଟି ଛାଡି ଅନ୍ୟତ୍ର ପଳେଇ ଯାଇ ବସବାସ କରୁଛନ୍ତି । ରାସ୍ତା ନିର୍ମାଣ ପାଇଁ ପ୍ରାୟ୫୦ବର୍ଷ ହେବ ବିଭିନ୍ନ ସମୟରେ ଦାବି ଜଣାଯାଉଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଏବେ କିଛିମାସ ପୂର୍ବରୁ ଉକ୍ତ ୩୦୦ ମିଟର ରାସ୍ତା ସହିତ ଜଳନିଷ୍କାସନ ପଥ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରିକରାଯାଇଥିଲା । ଏପରିକି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶିବିରରେ ମଧ୍ୟ ଆପତ୍ତି ଉଠିଥିଲା ।

ତତ୍କାଳୀନ ଜିଲ୍ଲାପାଳ ଜ୍ଞାନ ଦାସ ଉକ୍ତ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ବ୍ଲକ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ସୁଦ୍ଧା ତାହା ଏବେ କାର୍ଯ୍ୟକାରୀ ନହେବା ପରିତାପର ବିଷୟ ପାଲଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାସ୍ତା ନିର୍ମାଣ ପାଇଁ ପ୍ରାକ୍ ପ୍ରସ୍ତୁତି ସରିଥିଲେ ସୁଦ୍ଧା କୌଣସି କାରଣରୁ ତାହା ଏଯାଏଁ ସମ୍ଭବ ନହେବା ଜନ ସାଧାରଣଙ୍କୁ ବ୍ୟଥିତ କରିଛି । ନିର୍ବାଚନ ପରେ ନିର୍ବାଚନ ଆସୁଛି ଯାଉଛି, ନୂଆ ନୂଆ ପ୍ରତିନିଧିଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇ ରହିଯାଉଛି । ଆଗାମୀ ଦିନରେ ୩୦୦ମିଟର ରାସ୍ତା ନିର୍ମାଣ ନହେଲେ ବାଧ୍ୟ ହୋଇ ଗ୍ରାମର କୃଷ୍ଣଚନ୍ଦ୍ର ବାରିକ, ନିର୍ମଳ, ବାରିକ, ପୁରୁଷୋତ୍ତମ ମାଝୀ, ବାସୁଦେବ ମାଝୀ, ରମେଶ ମାଝୀ, ମଦନ ମାଝୀ, ସରସ୍ୱତୀ ବାରିକ, କାଳନ୍ଦୀ ମାଝୀ, ଚନ୍ଦ୍ରମଣି ମାଝୀ, ମନ୍ମଥ ମାଝୀ, ଘନଶ୍ୟାମ ମାଝୀ ପ୍ରମୁଖ ଭିଟାମାଟି ଛାଡିବା ସହିତ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking