28.1 C
Bhubaneswar
Friday, March 29, 2024
Homeଓଡିଶାପାହାଡ଼ ଉପରେ ଅଭିଶପ୍ତ ଜୀବନ କାଟୁଛନ୍ତି

ପାହାଡ଼ ଉପରେ ଅଭିଶପ୍ତ ଜୀବନ କାଟୁଛନ୍ତି

ଲହୁଣୀପଡ : ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ବୋଲି ପ୍ରଚାର ପ୍ରସାର କରୁଛନ୍ତି । ମାତ୍ର ଏହା କାଗଜ କଲମରେ ସୀମିତ ହୋଇ ରହିଯାଉଛି । ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ବ୍ଲକ୍ ଅନ୍ତର୍ଗତ ଫୁଲର ପଞ୍ଚାୟତର ଶଶ ଓ ମେଲାଣି ଗ୍ରାମରେ । ଏହି ଗାଁ’ରେ ସମସ୍ତ ସରକାରୀ ଯୋଜନା ଅପହଞ୍ଚ ହୋଇପଡିଛି । ଆଦିବାସୀ ଅଧ୍ୟୁଷିତ ଏହି ଗ୍ରାମକୁ ପାହାଡ଼ ଜଙ୍ଗଲ ଘେରି ରହିଛି । ପାହାଡ଼ ଅନ୍ୟପଟେ କେନ୍ଦୁଝର ଜିଲ୍ଲା । ଦୁଇଟି ଜିଲ୍ଲାର ସୀମାବର୍ତ୍ତି ଗାଁ’ ହେଉଛି ଶଶ ଓ ମେଲାଣି । ଏହି ଗାଁ’ରେ ପ୍ରାୟ ୩ଶହରୁ ଊର୍ଦ୍ଧ୍ୱ ଘର ଥିବା ବେଳେ ୧ହଜାର ଲୋକ ବସ ବାସ କରୁଛନ୍ତି । ଏହି ଗାଁ’ର ପାହାଡ଼ ଉପରେ ରହିଛି ଟିମିଡି ସାହି । ଏହି ବସ୍ତିରେ ୧୦ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି । ଅଭିଶପ୍ତ ଜୀବନ ବିତାଉଛନ୍ତି ଏହି ବସ୍ତିର ଲୋକେ । ସ୍ୱାସ୍ଥ୍ୟ, ଶିକ୍ଷା, ବିଜୁଳି, ରାସ୍ତା ଘାଟ, ପାନୀୟ ଜଳ ପରି ମୌଳିକ ସୁବିଧା ଏମାନଙ୍କ ପାଇଁ ସାତସପନ । ଝରଣା ପାଣି ଏବଂ ଚୁଆ ଏମାନଙ୍କ ଆବଶ୍ୟକତା ମେଣ୍ଟାଏ । ଦୂଷିତ ପାଣି ପିଇ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୁଅନ୍ତି । ରୋଗରେ ଆକ୍ରାନ୍ତ ହେଲେ ଚେରମୂଳିକୁ ଔଷଧ ଆକାରରେ ପ୍ରାଥମିକତା ଦିଅନ୍ତି । ସେମାନଙ୍କ ପାଇଁ ନା ଅଛି ବାର୍ଦ୍ଧକ୍ୟ ଭତ୍ତା, ନା ଅଛି ବିଜୁ ପକ୍କାଘର, ନା ଅଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କେବେ ହେଲେ କୌଣସି ସରକାରୀ ବାବୁଙ୍କ ଏହି ବସ୍ତିରେ ପାଦ ପଡିନାହିଁ ବୋଲି ଅଭିଯୋଗ ଆଣନ୍ତି ଏହି ବସ୍ତିର ଲୋକେ । ଟିମିଡି ବସ୍ତିକୁ ଯିବା ପାଇଁ ରାସ୍ତା ଖଣ୍ଡେ ନାହିଁ ୪ ଚକିଆ ଗାଡ଼ି ଯିବା ଦୂର କଥା ସାଇକେଲରେ ଯିବାକୁ ରାସ୍ତା ଖଣ୍ଡେ ନାହିଁ । ଏହି ବସ୍ତିର ଲୋକେ ଚାଲି ଚାଲି ଯିବା ଆସିବା କରିଥାନ୍ତି । କୌଣସି ବ୍ୟକ୍ତିର ଯଦି ଦେହ ଖରାପ ହେଲା ତେବେ ଆମ୍ବୁଲାନ୍ସ ଯିବା ଦୂର କଥା ମୋଟର ସାଇକେଲ ମଧ୍ୟ ଯିବନାହିଁ । ଏକ ମାତ୍ର ଭରସା ଖଟିଆ । ପ୍ରାୟ ୩ କିମି ପାହାଡିଆ ଅଞ୍ଚଳ ଖଟିଆରେ ଭାର କରି ରୋଗୀକୁ ବୋହିକରି ଅଣାଯାଇଥାଏ ଏବଂ କିଛି ଦୂର ଆସିବା ପରେ ତାକୁ ପୁଣି ଯେକୌଣସି ଗାଡିରେ ଡାକ୍ତରଖାନାକୁ ନିଆଯାଇଥାଏ । ଏମାନଙ୍କ ଜୀବନ ଜୀବିକା ଅତ୍ୟନ୍ତ ସରଳ ଏମାନେ ଜଙ୍ଗଲର ଫଳ ମୂଳ ସଂଗ୍ରହ କରି ଚଳିଥାନ୍ତି । ଏହି ଅଞ୍ଚଳରେ ମୁଖ୍ୟତଃ ଗମନାଗମନ ର ସୁବିଧା ନଥିବାରୁ ପାଣି, ବିଜୁଳି, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ପରି ମୌଳିକ ସୁବିଧା ଏମାନେ ବଞ୍ଚିତ ହେଉଛନ୍ତି । ରାସ୍ତା ପାଇଁ ନେତା ଠାରୁ ଆରମ୍ଭ କରି ଅଫିସରଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ବସ୍ତି ବାସୀ । କେବଳ ମିଳୁଛି ପ୍ରତିଶ୍ରୁତି । ନିର୍ବାଚନ ବେଳେ ନେତାଙ୍କ ପାଦ ପଡ଼ି ଥାଏ । ବଡ ବଡ ଭାଷଣ ମଧ୍ୟ ନେତାମାନେ ଦେଇ ଥାନ୍ତି ନିର୍ବାଚନ ସରିଗଲେ ପ୍ରତିଶ୍ରୁତି କେବଳ ପାଣିର ଗାର ପାଲଟି ଯାଇଥାଏ । ତେଣୁ ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ନଚେତ୍ ଏମାନଙ୍କ ଭବିଷ୍ୟତ ଆହୁରି ଅନ୍ଧାର କୁ ଠେଲି ହୋଇ ଯିବ ଏଥିରେ ସନ୍ଦେହ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking