ସାଇକେଲରେ ସିକନ୍ଦରାବାଦରୁ ତିର୍ତ୍ତୋଲ

ତିର୍ତ୍ତୋଲ : ସିକନ୍ଦରାବାଦରୁ ସାଇକେଲ୍ ଯୋଗେ ତିର୍ତ୍ତୋଲ ବ୍ଲକକୁ ୫ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ଏହି ୫ ଜଣ ବ୍ୟକ୍ତି ସିକନ୍ଦରାବାଦର ଏକ ଆଲୁମିନିୟମ କମ୍ପାନୀରେ କାମ କରୁଥିଲେ । କରୋନା ଲକଡ଼ାଉନ ଏମାନେ ସେଠାରେ ଫସିରହିଥିଲେ । ପାଖରେ ଯାହା ପଇସାପତ୍ର ଥିଲା ସରିଯିବାପରେ ଦୁଇମାସ ହେବ ଅସୁବିଧାରେ ଏହି ବ୍ୟକ୍ତିମାନେ ଦିନ କାଟୁଥିଲେ । କମ୍ପାନୀ ବନ୍ଦ ହେବାପରେ କମ୍ପାନୀର ମାଲିକ ଏକମାସର ଦରମା ଏମାନଙ୍କୁ ଦେଇଥିଲେ । ଏହି ଦରମା ଟଙ୍କା ହାତରେ ପଡ଼ିବା ପରେ ୫ ଜଣ ବ୍ୟକ୍ତି ୫ ହଜାର ୫ ଶହ ଟଙ୍କାରେ ଗୋଟିଏ ଲେଖାଁ ସାଇକେଲ କିଣି ନିଜର ଆବଶ୍ୟକତା ସାମଗ୍ରୀ ଧରି ଦୀର୍ଘ ୮ ଦିନ ୧୬ ଶହ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଯାତ୍ରା କରିବାପରେ ଆଜି ଦିନ ୨ ଟାବେଳେ ତିର୍ତ୍ତୋଲ ବ୍ଲକରେ ପହଞ୍ଚିଥିଲେ । ଏହି ୫ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ରାଜେଶ ମଲ୍ଲିକ, ଦିପକ ମଲ୍ଲିକ, ରିତେଶ ମଲ୍ଲିକ, କାହ୍ନା ମଲ୍ଲିକ ପ୍ରମୁଖ ଆମ୍ବେରୀ ପଞ୍ଚାୟତର ହୋଇଥିବାବେଳେ କାଳନ୍ଦୀ ମଲ୍ଲିକ ପୋରଗଦେଇ ପଞ୍ଚାୟତର ବୋଲି ଜଣାପଡ଼ିଛି । ଏହି ବ୍ୟକ୍ତିମାନଙ୍କୁ ନିଜ ନିଜ ପଞ୍ଚାୟତରେ କରାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରେ ରଖାଯାଇଥିବା ସରପଞ୍ଚମାନଙ୍କଠାରୁ ପ୍ରକାଶ ।