ରାସ୍ତାକାମରେ ଅନିୟମିତତାକୁ ନେଇ ଆନ୍ଦୋଳନ

ପାରଳାଖେମୁଣ୍ଡ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଗୁରାଣ୍ଡିଠାରେ ନିମ୍ନମାନର ରାସ୍ତା ନିର୍ମାଣ ଓ ଦୀର୍ଘଦିନ ଧରି ସମାପ୍ତ ହେଉନଥିବାରୁ ସାଧାରଣଲୋକେ ଆନ୍ଦୋଳନକୁ ବାହାରିଥିବା ସହ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଗୁରାଣ୍ଡି ଠାରୁ ତାଟିପେଟାଦେଇ ମାଛମରା ପର୍ଯ୍ୟନ୍ତ ଗୋଟିଏ ରାସ୍ତା ଏବଂ ଗୁରାଣ୍ଡି ଠାରୁ ଲିଙ୍ଗିପୁର ଦେଇ ଉପଲଡ଼ା ପର୍ଯ୍ୟନ୍ତ ଅନ୍ୟ ଏକ ରାସ୍ତା ଏଆରଏସଏସ୍ ନାମକ ଏକ ଘରୋଇ ଠିକା ସଂସ୍ଥା କାର୍ଯ୍ୟ କରୁଥିବାବେଳେ ଏହି ରାସ୍ତାକାମ ଦୀର୍ଘଦିନ ହେଲା ଶେଷ ହେଉନି । ସେହିପରି ଏହି ଦୁଇଟି ମୁଖ୍ୟ ରାସ୍ତାର କାର୍ଯ୍ୟମଧ୍ୟ ସଠିକ୍ ଭାବେ ହୋଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅଞ୍ଚଳବାସୀ ଏହି ରାସ୍ତା କାର୍ଯ୍ୟ ଶେଷ କରିବାପାଇଁ ପ୍ରଶାସନ ନିକଟରେ ନିବେଦନ ଜଣାଇଥିଲେ ମଧ୍ୟ କିଛି ଫଳ ନମିଳିବାରୁ ଆଜି ଆନ୍ଦୋଳନକୁ ବାହାରି ରାସ୍ତାରୋକ କରିଥିଲେ । ସେମାନେ ମୁଖ୍ୟତଃ ଘରୋଇ ଠିକା ସଂସ୍ଥା ଏଆର୍‌ଏସ୍‌ଏସ୍ ଓ ପ୍ରଶାସନ ଏଥିପାଇଁ ଦାୟୀ ବୋଲି ଆନ୍ଦୋଳନ କରିଥିଲେ । ଏହି ଦୁଇଟି ରାସ୍ତା ଦେଇ ଅନେକ ଗ୍ରାମାଞ୍ଚଳର ଲୋକମାନେ ପ୍ରତିଦିନ ଯାତାୟତ କରିଥାନ୍ତି । ମାତ୍ର ରାସ୍ତାର ଏହିପରି ଅଧପନ୍ତରିଆ କାର୍ଯ୍ୟ ଯୋଗୁଁ ଏଠାରେ ଯାତାୟାତ ସମସ୍ୟା ଉପୁଜିବା ସହ ଅନେକ ଛୋଟମୋଟ ଦୁର୍ଘଟଣା ମଧ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଆନ୍ଦୋଳନସ୍ଥଳକୁ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶ୍ରୀନିବାସ ରାଓ ଏବଂ ଅନ୍ୟାନ୍ୟ ଅଧିକାରୀ ପହଞ୍ôଚ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବାପରେ ରାସ୍ତାରୋକ ହଟିଥିଲା । ତେବେ ଆସନ୍ତାକାଲି ରାସ୍ତା କାର୍ଯ୍ୟ ଆରମ୍ଭ ନହେଲେ ପୁନର୍ବାର ଅଞ୍ଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।