30.1 C
Bhubaneswar
Wednesday, April 24, 2024
Homeଓଡିଶାଭତ୍ତା ପ୍ରଦାନରେ ବିଳମ୍ବ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ : ପିଇଓଙ୍କୁ ୩ ଘଣ୍ଟା ଅଟକ ରଖିଲେ...

ଭତ୍ତା ପ୍ରଦାନରେ ବିଳମ୍ବ ଯୋଗୁଁ ବୃଦ୍ଧାଙ୍କ ମୃତ୍ୟୁ : ପିଇଓଙ୍କୁ ୩ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ମଧ୍ୟଖଣ୍ଡ ପଞ୍ଚାୟତରେ ବୁଧବାର ଭତ୍ତା ବଣ୍ଟନରେ ଅବ୍ୟବସ୍ଥାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ବାଲି କାଦୁଆସାହି ଗ୍ରାମର ସରସ୍ୱତୀ ରଣା ଭତ୍ତା ପାଇଁ ଆସି ବିଳମ୍ବରେ ଫେରିବାବେଳକୁ ତାଙ୍କ ସଉତୁଣୀ ରୋଗଗ୍ରସ୍ତ ବଦନୀ ରଣାଙ୍କର ଅସହାୟ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଗ୍ରାମବାସୀ କିଛି ଘଣ୍ଟା ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ, ବାର୍ଦ୍ଧକ୍ୟଜନିତ ମୃତ୍ୟୁପରେ ସ୍ୱର୍ଗତ ଦାମୋଦର ରଣାଙ୍କର ଦୁଇ ପତ୍ନୀ ବଦନୀ ରଣା ଓ ସରସ୍ୱତୀ ରଣା ଗତ ୪ ବର୍ଷ ହେଲା ଅସହାୟ ଅବସ୍ଥାରେ ରହି ଆସୁଥିଲେ । ବୃଦ୍ଧାବସ୍ଥାରେ ସେମାନଙ୍କର ସାହାରା ବୋଲି କେହି ନଥିବାବେଳେ ପେଟକୁ ଠିକ୍‌ରେ ଦାନାଗଣ୍ଡେ ମିଳୁନଥିଲା । ଉଭୟଙ୍କୁ କେବଳ ୧୦ କିଗ୍ରା ଚାଉଳ ଓ ୧ ହଜାର ଟଙ୍କା ଭତ୍ତା ଆକାରରେ ମିଳୁଥିଲା । ଆବାସଟିଏ ପାଇଁ ବାରମ୍ବାର ପଞ୍ଚାୟତକୁ ଯାଇ ସେମାନେ ଦରଖାସ୍ତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ମିଳୁଥିବା ଚାଉଳ ଓ ୧ ହଜାର ଟଙ୍କାକୁ ନେଇ ଉଭୟ ବହୁ କଷ୍ଟରେ ଚଳି ଆସୁଥିଲେ । ବଦନୀ କିଛିଦିନ ହେଲା ଅସୁସ୍ଥ ରହିଥିଲେ । ଆଜି ବଦନୀ ଘରେ ଥିବାବେଳେ ସରସ୍ୱତୀ ଉଭୟଙ୍କ ଭତ୍ତା ଖାତା ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଭତ୍ତା ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ରହି କେବଳ ୫ଶହ ଟଙ୍କା ଧରି ସରସ୍ୱତୀ ଘରକୁ ଫେରିଥିବାବେଳେ ବଦନୀ ଯାଇନଥିବା ହେତୁ ତାଙ୍କ ଭତ୍ତା ଟଙ୍କା ମିଳିପାରିନଥିଲା । ତେବେ ସରସ୍ୱତୀ ଘରେ ପହଞ୍ôଚବାବେଳକୁ ବଦନୀ ପଡ଼ି ରହିଥିଲେ । ପଡ଼ୋଶୀଙ୍କୁ ଡାକି ଦେଖିବାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ସେମାନଙ୍କର ସାହାରା ବୋଲି କେହି ନଥିବାରୁ ଅପରାହ୍ଣ ୩ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୃତଦେହ ଘରେ ପଡ଼ିରହିଛି । ଅନ୍ୟପକ୍ଷରେ ଭତ୍ତା ପ୍ରଦାନରେ ଅବ୍ୟବସ୍ଥାକୁ ନେଇ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀଙ୍କୁ ପ୍ରାୟ ୩ ଘଣ୍ଟା ଧରି ଅଟକ ରଖିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking