30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶପେଗାସସ୍ ମାମଲା : ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ପେଗାସସ୍ ମାମଲା : ବିଶେଷଜ୍ଞ କମିଟି ଗଠନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇସ୍ରାଏଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ୍ ସ୍ପାଏୱେୟାର ମାମଲାର ତଦନ୍ତ ନିମନ୍ତେ ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନା କହିଛନ୍ତି । ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ରାୟ ପ୍ରକାଶ କରିବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଭାରତରେ ପେଗାସସ୍ ସ୍ପାଏୱେୟାରର ଅପବ୍ୟବହାରକୁ ନେଇ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା । ସେପ୍ଟେମ୍ବର ୧୩ରେ ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ଏହା ଜାତୀୟ ନିରାପତ୍ତା ସହ ଜଡିତ ହୋଇଥିବାରୁ ଅଧିକ ତଥ୍ୟ ସାର୍ବଜନୀନ କରାଯାଇପାରିବନି ।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାକୁ ସ୍ପଷ୍ଟ ମନା କରିଦେଇଥିଲେ । ସୁପ୍ରିମକୋର୍ଟ ସେତେବେଳେ ରାୟକୁ ସଂରକ୍ଷିତ ରଖିଥିଲେ । ତେବେ ପିଟିସନଧାରୀଙ୍କ ଅଭିଯୋଗ ପ୍ରତି ନ୍ୟାୟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଖୁବଶୀଘ୍ର ଏକ ବିଶେଷଜ୍ଞ କମିଟି ଗଠନ କରି ଘଟଣାର ଯାଞ୍ଚ କରିବେ ବୋଲି ଗୁରୁବାର ପ୍ରତିଶ୍ରୁତି ଦେଇଛନ୍ତି । ଏହି ସ୍ପାଏୱେୟାର ବ୍ୟବହାର କରି ଭାରତ ସରକାର ୩୦୦ରୁ ଊର୍ଦ୍ଧ୍ୱ ପ୍ରଭାବଶାଳୀ ବ୍ୟକ୍ତିଙ୍କର ସ୍ମାର୍ଟ ଫୋନ୍‌କୁ ହ୍ୟାକ୍‌କରି ସେମାନଙ୍କର ବ୍ୟକ୍ତିଗତ ତଥ୍ୟକୁ ଚୋରାଇଛନ୍ତି ବୋଲି ଚଳିତବର୍ଷ ଜୁଲାଇରୁ ଦେଶବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

କେନ୍ଦ୍ର ସରକାର ପ୍ରଥମେ ଏ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ । ତେବେ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର ହେବାପରେ କେନ୍ଦ୍ର ସରକାର ଜାତୀୟ ନିରାପତ୍ତା କାରଣ ଦର୍ଶାଇ କୌଣସି ସଠିକ୍ ତଥ୍ୟ ପ୍ରଦାନ କରୁନାହାନ୍ତି । ପ୍ରକୃତରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ୍ ହ୍ୟାକ୍ କରାଯାଇଛି କି ନାହିଁ, ସେ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରୁନାହାନ୍ତି । ସୁପ୍ରିମକୋର୍ଟ ଗୋଟିଏପଟେ କେନ୍ଦ୍ର ସରକାରଙ୍କ ଏହି ଯୁକ୍ତିକୁ ଗ୍ରହଣ କରୁଥିବାବେଳେ ଅନ୍ୟପଟରେ ଅଭିଯୋଗକାରୀଙ୍କୁ ନ୍ୟାୟ ଦେବାକୁ ମଧ୍ୟ ରାସ୍ତା ଖୋଜୁଛନ୍ତି । ତେଣୁ ବିଶେଷଜ୍ଞ କମିଟି ଗଠନ ଏକମାତ୍ର ବିକଳ୍ପ ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking