ଗ୍ରାମାଞ୍ଚଳ ବିକାଶ ଯୋଜନାର ଅସଲ ଚିତ୍ର : ସାଢେ ୩ କି.ମି ଖଟିଆରେ ବୁହାହେଲେ ରୋଗୀ

ବରଗଡ଼ : ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଆଜି ରୋଗୀଙ୍କୁ ଖଟିଆରେ ବୁହାଯାଉଛି ଡାକ୍ତରଖାନାକୁ । ଗାଆଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅତାବିରା ବ୍ଲକ୍ ଗୁବୁଗା ପଞ୍ଚାୟତ କଁଟାତଳି ଗାଆଁରେ । ଆଜି ସକାଳ ସାଢେ ତିନି କିଲୋମିଟର ଖଟିଆରେ ବୋହି ଚାରି ଜଣ ଲୋକ ଭକ୍ତ ଚରଣ ନାୟକଙ୍କୁ ପତ୍ରାପାଲି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ନ ସୁଧୁରିବା ଯୋଗୁ ପୁଣି ଖେଦାପାଳି ଡାକ୍ତରଖାନାକୁ ତାଙ୍କୁ ନିଆଯାଇଥିବା ଜଣାପଡିଛି । ଯଦି ଖାଟିଆରେ ଲୋକେ ତାଙ୍କୁ ବୋହିନେଇ ନଥାନ୍ତେ ହୁଏତ ସେ ଆଉ ବଞ୍ଚି ନଥାନ୍ତେ । ଏମିତି ଘଟଣା ଏହି ଗ୍ରାମବାସୀଙ୍କ ପାଇଁ ନୀତି ଦିନିଆ ହୋଇଯାଇଛି । ଆଜିକୁ ଠିକ୍ ଗୋଟିଏ ବର୍ଷ ତଳେ ଅଗଷ୍ଟ ୧୪ ତାରିଖରେ ସେନାପତି ଝାଙ୍କରଙ୍କୁ ରାସ୍ତା ଯୋଗୁ ଠିକ ସମୟରେ ଡାକ୍ତରଖାନାକୁ ପହଞ୍ଚାଇ ପାରି ନଥିଲେ ତେଣୁ ତାଙ୍କର ମୃତ୍ୟୁ ହୋଇଥିବା ଆଜି ବି ପରିବାର ତଥା ଗାଆଁ ଲୋକେ ଭୁଲି ନାହାନ୍ତି । ଏଇ ରାସ୍ତା ପାଇଁ ଗ୍ରାମବାସୀ ଅନେକ ଥର ଲିଖିତ ଭାବରେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଅଭିଯୋଗ କରି ଆସୁଛନ୍ତି । କେତେ ଥର ଏଇ ରାସ୍ତାରେ ଧାନ ଗଛ ମଧ୍ୟ ଲଗାଇ ପ୍ରତିବାଦ କରିଛନ୍ତି । ହେଲେ ପ୍ରଶାସନ ଚିର ନିଦ୍ରାରେ । ଆଉ କେତେ ଜୀବନକୁ ଅପେକ୍ଷା କରିଛନ୍ତି ସରକାର ବୋଲି ଗ୍ରାମବାସୀ ତଥା ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଗ୍ରାମ୍ୟ ବିକାଶ ଯୋଜନାରେ ଗ୍ରାମାଞ୍ଚଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ବୋଲି ଡିଣ୍ଡିମ ବାଜୁଥିବା ବେଳେ ଆଜି ବି ଏଇ ଗ୍ରାମବାସୀ ବିକାଶ ଯୋଜନାର କାହିଁ କେତେ ଦୂରରେ । ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆମ୍ବୁଲାନ୍ସ ସେବା ମାଗଣାରେ ଦେଉଛନ୍ତି, ହେଲେ ରାସ୍ତା ନଥାଇ ଆମ୍ବୁଲାନ୍ସ ସେବାରେ କିଛି ମୂଲ୍ୟ ନାହିଁ । ଏହା କେବଳ ଆଶ୍ୱାସନା ମାତ୍ର । ତେବେ ଆଉ କେତେ ଦିନ ପରେ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗହେବ ଏବଂ ଦୃଷ୍ଟି ପଡ଼ିବ ଏଇ ରାସ୍ତା ପ୍ରତି ତାରି ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here