ଆମ୍ବୁଲାନ୍ସ ଆସିବାରେ ବିଳମ୍ବ : ରାସ୍ତାରେ ଜୀବନ ହାରିଲା ରୋଗୀ

ବାରିପଦା : ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲର ବିବାଦ ପିଛା ଛାଡୁନାହିଁ । କେତେବେଳେ ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ତ ଆଉ କେତେବେଳେ ଆମ୍ବୁଲାନ୍ସ ବିଳମ୍ବ ପାଇଁ ରୋଗୀଙ୍କ ମୃତ୍ୟୁ । ଶୁକ୍ରବାର ଏହିଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ଅଧୀନସ୍ଥ ପାଇକବସା ଗ୍ରାମପଞ୍ଚାୟତର ଟିକରପଡ଼ା ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର ହରିଶ ଚନ୍ଦ୍ର ମହାନ୍ତ(୬୨)ଙ୍କ ଶୁକ୍ରବାର ପୂର୍ବାହ୍ନ ସମୟରେ ଦେହ ଖରାପ ହେବାରୁ ପରିବାର ବର୍ଗଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ମାତ୍ର ଖବର ଦେବାର ପାଖାପାଖି ଏକ ଘଣ୍ଟା ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ବିଳମ୍ବରେ ଚିକିତ୍ସା ପାଇଁ ଉକ୍ତ ଆମ୍ବୁଲାନ୍ସରେ ହସପିଟାଲକୁ ଆଣୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ହସପିଟାଲ ପରିସରରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିବାର ବର୍ଗଙ୍କ ପକ୍ଷରୁ ଆମ୍ବୁଲାନ୍ସ ବିଳମ୍ବକୁ ଦାୟୀ କରାଯାଇଥିଲା । ଡାକ୍ତରଖାନା ପରିସରରେ ଅନ୍ୟ ଆମ୍ବୁଲାନ୍ସ ଥିଲେ ମଧ୍ୟ ବିଳମ୍ବରେ ଆମ୍ବୁଲାନ୍ସ ଯିବା ଦାୟିତ୍ୱହୀନତା ମନୋଭାବ ବୋଲି ଅଭିଯୋଗ କରାଯାଇଥିଲା ।
ଡାକ୍ତରଖାନା ପରିସରରେ ଥିବା ଫାଣ୍ଡି ପୁଲିସ କର୍ମଚାରୀ ଓ ହସପିଟାଲ କର୍ମଚାରୀ ବୁଝାସୁଝା କରିବା ପରେ ପରିବାର ଲୋକେ ଶବକୁ ଘରକୁ ନେଇଥିଲେ । ସୂଚନାଯୋଗ୍ୟ କି କିଛିମାସ ପୂର୍ବରୁ ଜଣେ ପ୍ରସୂତିଙ୍କୁ ବାଙ୍ଗିରିପୋଷି ଡାକ୍ତରଖାନାରୁ ବାରିପଦା ଡାକ୍ତରଖାନା ଆଣୁଥିବା ସମୟରେ ବାଟରେ ଆମ୍ବୁଲାନ୍ସର ତେଲ ସରିଯିବା ଫଳରେ ଅନେକ ବିଳମ୍ବରେ ଡାକ୍ତରଖାନା ପହଞ୍ଚିବାରୁ ପ୍ରସୂତିଙ୍କ ସମେତ ନବଜାତକର ମୃତ୍ୟୁ ଘଟିଥିଲା । ଅନ୍ୟ କେତେବେଳେ ରୋଗୀଙ୍କୁ ଆଣିବା ପାଇଁ ଯାଉଥିବା ବେଳେ ବାଟରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବାର ନଜିର ମଧ୍ୟ ରହିଛି ।