ଲଣ୍ଡନ: ବ୍ରିଟେନର ହେନ୍ଲେ ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ମଙ୍ଗଳବାର ଚଳିତବର୍ଷ ପାଇଁ ବିଭିନ୍ନ ରାଷ୍ଟ୍ରର ପାସପୋର୍ଟକୁ ନେଇ ଏକ ରିପେ।।ର୍ଟ ପ୍ରକାଶ କରାଯାଇଛି । ତଦନୁଯାୟୀ ଜାପାନକୁ ପଛରେ ପକାଇ ସିଙ୍ଗାପୁର ପାସପୋର୍ଟ ଶୀର୍ଷ ମାନ୍ୟତା ହାସଲ କରିଛି । ଏହା ବିଶ୍ୱର ଶ୍ରେଷ୍ଠ ପାସପୋର୍ଟ ବିବେଚିତ ହୋଇଛି । ଅପରପକ୍ଷରେ ଭାରତ ପାଞ୍ଚଟି ପାହ୍ୟା ଉପରକୁ ଉଠି ୮୦ତମ ସ୍ଥାନରେ ପହଞ୍ଚିଛି । ଫଳରେ ବର୍ତ୍ତମାନ ଭାରତୀୟମାନେ ବିନା ଭିସାରେ ୫୭ଟି ରାଷ୍ଟ୍ର ଗସ୍ତ କରିପାରିବେ ବୋଲି ଜଣାପଡିଛି । ଗତବର୍ଷ ଭାରତ ତାଲିକାର ୮୫ତମ ସ୍ଥାନରେ ରହିଥିଲା । ବର୍ତ୍ତମାନ ସ୍ଥିତିରେ ଉନ୍ନତି ଘଟିଥିବାରୁ ଭାରତୀୟମାନେ ଇଣ୍ଡୋନେସିଆ, ଥାଇଲାଣ୍ଡ, ଶ୍ରୀଲଙ୍କା, ଜାମାଇକା ଏବଂ ରୁୱାଣ୍ଡା ଭଳି ରାଷ୍ଟ୍ରକୁ ବିନା ଭିସାରେ କିମ୍ବା ଭିସା ଅଫ୍ ଏରାଇଭାଲ ଯୋଜନାରେ ଗସ୍ତ କରିପାରିବେ ।
ତେବେ ଭାରତୀୟଙ୍କୁ ଆମେରିକା, ରୁଷ୍, ଚୀନ୍ ଏବଂ ୟୁରୋପୀୟ ସଂଘ ରାଷ୍ଟ୍ର ସମେତ ୧୭୭ ରାଷ୍ଟ୍ର ଗସ୍ତ କରିବାକୁ ହେଲେ ଭିସାର ଆବଶ୍ୟକତା ପଡିବ ବୋଲି କୁହାଯାଇଛି । ଅପରପକ୍ଷରେ ସିଙ୍ଗାପୁର ପାସପୋର୍ଟ ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟଭାବେ ମାନ୍ୟତାଲାଭ କରିଛି । ସିଙ୍ଗାପୁରବାସୀ ବର୍ତ୍ତମାନ ବିନା ଭିସାରେ ୧୯୨ଟି ରାଷ୍ଟ୍ରକୁ ଗସ୍ତ କରିପାରିବେ । ଦୀର୍ଘ ପାଞ୍ଚବର୍ଷ ଧରି ଶୀର୍ଷରେ ରହିବାପରେ ଜାପାନ ତାଲିକାର ୩ୟ ସ୍ଥାନକୁ ଖସିଆସିଛି । ପ୍ରାୟ ଏକ ଦଶନ୍ଧି ପୂର୍ବେ ତାଲିକାର ଶୀର୍ଷରେ ରହିଥିବା ଆମେରିକା ଚଳିତବର୍ଷ ଦୁଇଟି ପାହ୍ୟା ତଳକୁ ଖସି ୮ମ ସ୍ଥାନ ଅଧିକାର କରିଛି । ଅପରପକ୍ଷରେ ବ୍ରିଟେନ ଦୁଇଟି ପାହ୍ୟା ଉପରକୁ ଉଠି ୪ର୍ଥ ସ୍ଥାନରେ ପହଞ୍ଚିଛି । ତେବେ ଆଫ୍ଗାନିସ୍ତାନ ଏହି ତାଲିକାର ସବୁଠାରୁ ତଳେ ସ୍ଥାନ ପାଇଛି । ଆଫ୍ଗାନବାସୀ ବିନା ଭିସାରେ କେବଳ ୨୭ଟି ରାଷ୍ଟ୍ର ଗସ୍ତ କରିପାରିବେ ବୋଲି ଜଣାପଡିଛି । ଇଣ୍ଟରନ୍ୟାସନାଲ ଏୟାର ଟ୍ରାନ୍ସପୋର୍ଟ ଅଥରିଟୀ (ଆଇଏଟିଏ) ତଥ୍ୟକୁ ଆଧାର କରି ହେନ୍ଲେ ପାସପୋର୍ଟ ଇଣ୍ଡେକ୍ସ ପକ୍ଷରୁ ୧୯୯ ରାଷ୍ଟ୍ରର ପାସପୋର୍ଟ ସ୍ଥିତି ସମୀକ୍ଷା କରାଯାଇଥାଏ ।