ୱାସିଂଟନ୍: ଜଣେ ଯାତ୍ରୀ କୋଭିଡ୍ ମାସ୍କ୍ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ୍ ଅଭିମୁଖେ ଯାଉଥିବା ଆମେରିକୀୟ ଏୟାରଲାଇନ୍ର ଗୋଟାଏ ଯାତ୍ରୀବାହୀ ଜେଟ୍ ବିମାନ ଆକାଶରେ ଉଡୁଥିବା ବେଳେ ଅଧବାଟରୁ ଫେରିଯାଇଛି । ଏୟାରଲାଇନ୍ ଜାରି କରିଥିବା ବିବୃତି ଅନୁସାରେ, ଜଣେ ଅବାଧ୍ୟ ଯାତ୍ରୀ ‘ଫେଡେରାଲ୍ ମାସ୍କ୍ ରିକ୍ୱାରମେଣ୍ଟ୍’ ନିୟମ ମାନିବାକୁ ଅଗ୍ରାହ୍ୟ କରିବାରୁ ମିଆମିରୁ ଲଣ୍ଡନ୍ ଯାତାୟାତ କରୁଥିବା ଆମେରିକାନ୍ ଏୟାରଲାଇନ୍ସ୍ ବିମାନ ୩୮ମିଆମିକୁ ଫେରିଯାଇଛି । ୧୨୯ଜଣ ଯାତ୍ରୀ ଓ ୧୪ଜଣ ପରିଚାରକଙ୍କୁ ନେଇ ଯାଉଥିବା ଉକ୍ତ ବୋଇଙ୍ଗ୍ ୭୭୭ ବିମାନଟି ପୁନର୍ବାର ମିଆମିରେ ଅବରତଣ କରିବା ବେଳକୁ ପୋଲିସ ପହଞ୍ଚି ଅପେକ୍ଷା କରିଥିଲା । ବିମାନଟି ଅବତରଣ କରିବାକ୍ଷଣି କୌଣସି ଝାମେଲା ନ କରି ପୋଲିସ ସେ ଅବାଧ୍ୟ ଯାତ୍ରୀଜଣକୁ ଧରି ନେଇଯାଇଥିଲା । ତଦନ୍ତ ଆହୁରି ବାକି ଥିବାରୁ ସେ ଯାତ୍ରୀଜଣଙ୍କୁ ଉକ୍ତ ଏୟାରଲାଇନ୍ର ବିମାନରେ ଯାତ୍ରା କରିବାକୁ ନିଷେଧ କରାଯାଇଥିବା ଯାତ୍ରୀମାନଙ୍କ ତାଲିକାଭୁକ୍ତ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଘରୋଇ ବିମାନରେ ମାସ୍କ୍-ପରିଧାନ ବାଧ୍ୟତାମୂଳକ କରିଥିବା ‘ଫେଡେରାଲ୍ ନିୟମ’ ଉଲ୍ଲଂଘନକାରୀ ବ୍ୟକ୍ତିମାନଙ୍କ ପ୍ରତି ଶାସ୍ତି ବିଧାନ କରାଯିବ ବୋଲି ୨୦୨୧ ଜାନୁଆରିରେ ‘ଦି ଫେଡେରାଲ୍ ଏଭିଏସନ୍ ଆଡ୍ମିନିଷ୍ଟ୍ରେସନ୍’ କହିଥିଲା । ମାସ୍କ୍ ପିନ୍ଧିବାକୁ ମନା କରୁଥିବା ଯାତ୍ରୀମାନଙ୍କ ସହ ବିମାନ ପରିଚାରକମାନଙ୍କର ବାକ୍ବିତଣ୍ଡା ଏବଂ ଧସ୍ତାଧସ୍ତି ହେବାରୁ ଉପରୋକ୍ତ ନିୟମ ପ୍ରଣୟନ କରାଯାଇଥିଲା ।