26.1 C
Bhubaneswar
Friday, March 29, 2024
Homeଓଡିଶାକଡ଼ାକଡ଼ି ହେବ ପାର୍ବଣ କଟକଣା : ଗହଳି କଲେ ମାଡ଼ିବସିବ ସ୍କ୍ୱାର୍ଡ

କଡ଼ାକଡ଼ି ହେବ ପାର୍ବଣ କଟକଣା : ଗହଳି କଲେ ମାଡ଼ିବସିବ ସ୍କ୍ୱାର୍ଡ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଅକ୍ଟୋବର ଗାଇଡ୍‌ଲାଇନ୍ ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ଭାବେ ପାଳନ କରାଯିବ । ଗହଳିପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇ ଚଢ଼ାଉ କରାଯିବ । ଅମାନିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରାଯିବ । ଏବେ ବି ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ୨୦୦ରୁ ଊର୍ଦ୍ଧ୍ୱ ରହିଛି । ଏହି ସ୍ଥିତିରେ ଭୁବନେଶ୍ୱରର ପ୍ରତ୍ୟେକ ନାଗରିକ ଅଧିକରୁ ଅଧିକ ସତର୍କ ହେବା ଜରୁରୀ । ପାର୍ବଣରେ ଅମାନିଆ ନ ହୋଇ ନିଜେ ସାବଧାନ ରହିବା ସହ ନିଜ ବନ୍ଧୁ ପରିଜନଙ୍କୁ ସୁରକ୍ଷିତ ରଖନ୍ତୁ । ଯଦି ମଲ୍‌, ସିନେମା ହଲ୍ ତଥା ଅନ୍ୟ କେଉଁ ପ୍ରମୁଖ ସ୍ଥାନରେ ଗହଳି କରୁଥିବା ନଜରକୁ ଆସେ ତେବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ୍ ପୋଲିସର ମିଳିତ ଟିମ୍ ମାଡ଼ିବସିବ । ଏନେଇ ପୋଲିସ କମିଶନରଙ୍କ ସହ ଆଲୋଚନା ହୋଇଥିବା ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି ।

ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ୍‌ଲାଇନ୍‌କୁ ପାର୍ବଣରେ କଡ଼ାକଡ଼ି କରିବା ପାଇଁ ବିଏମ୍‌ସି ପକ୍ଷରୁ ବ୍ୟାପକ ପ୍ରସ୍ତୁତ ସରିଛି। ପୁଲିସ୍ ଓ ବିଏ୍‌ସି ପକ୍ଷରୁ ମିଳିତ ଟିମ୍ ଗଠିତ ହୋଇଛି । ଜୋନ୍‌ସ୍ତରରେ ଚଢ଼ାଉ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଥିବାବେଳେ ଯାଞ୍ଚ ଟିମ୍ ପୁଜା ମଣ୍ଡପକୁ ଅଚାନକ ଗସ୍ତ କରିବ ବୋଲି ସୂଚନା ମିଳିଛି । ବିଏମ୍‌ସି ପକ୍ଷରୁ ଦୁର୍ଗାପୂଜା ନେଇ ଗାଇଡ୍‌ଲାଇନ୍ ମଧ୍ୟ ଜାରି ହୋଇଛି । ଆବଶ୍ୟକ ପଡ଼ିଲେ ଏଥିରେ କିଛି ପରିବର୍ତ୍ତନ କରାଯିବ । ନୂଆ ଗାଇଡ୍‌ଲାଇନ୍‌କୁ ଆଧାର କରି ଏଥିରେ ପରିବର୍ତ୍ତନ ହୋଇପାରେ । ହେଲେ ଏଯାବତ୍ ଏନେଇ କିଛି ଆଲୋଚାନ ହୋଇନାହିଁ ବୋଲି ବିଏମ୍‌ସିର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ।

ଜାରି ଗାଇଡ୍‌ଲାଇନ୍ ଅନୁଯାୟୀ, ବିଏମସି ଅଞ୍ଚଳରେ ପୂଜା କମିଟି ଓ ଆୟୋଜକମାନେ ପୂଜା ମଣ୍ଡପ ବା ପେଣ୍ଡାଲରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ପାଳନ କରିବେ । ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ୍ ନିୟମକୁ ପାଳନ କରିବା ସହ ପୁଲିସ କମିଶନରଙ୍କଠୁ ପୂଜା ମଣ୍ଡପ ନିମନ୍ତେ ଅନୁମତି ନେବେ । ପୂଜା ମଣ୍ଡପ ସମସ୍ତ ଦିଗରୁ ଆବଦ୍ଧ ହେବ । ପୂଜା ମଣ୍ଡପରେ ସର୍ବାଧିକ ୭ ଜଣଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । କେବଳ ଦୁଇ ଡୋଜ୍‌ର ଟିକା ନେଇଥିବା ବ୍ୟକ୍ତି ହିଁ ପୂଜା ଦାୟିତ୍ୱ ନେବେ । ମା’ଙ୍କ ମୂର୍ତ୍ତୀ ଉଚ୍ଚତା ୪ ଫୁଟ୍‌ରୁ କମ ହେବ । ମାଇକ୍ ବାଜିବାରେ ବାରଣ କରାଯାଇଥିବାବେଳେ ବିଏମ୍‌ସି କରିଥିବା ଅସ୍ଥାୟୀ ପୋଖରୀରେ ମା’ଙ୍କ ବିସର୍ଜନ ହେବ । ମୂର୍ତ୍ତୀ ଉଠାବାବେଳେ ସର୍ବାଧିକ ୧୦ ଜଣ ଏକାଠି ହୋଇପାରିବେ ।

କେବଳ ରୀତିନୀତି ପାଇଁ ପୂଜାର୍ଚ୍ଚନା ହେବ । ପୂଜା ମଣ୍ଡପରେ ଗୋଟିଏ ପଟ କେବଳ ପୂଜକଙ୍କ ରୀତିନୀତି ନିମନ୍ତେ ଖୋଲା ରହିବ । ତେବେ ଏହି ଚତୁର୍ଥ ପଟକୁ ମଧ୍ୟ ଠିକ୍ ଭାବେ ଢାଙ୍କିବାକୁ ପଡ଼ିବ, ଯାହାଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ବିସର୍ଜନ ପାଇଁ ବିଏମସି ପକ୍ଷରୁ କୃତ୍ରିମ ପୋଖରୀ ସୃଷ୍ଟି କରାଯିବ । ବିସର୍ଜନବେଳେ ସର୍ବାଧିକ ୧୦ଜଣ ଲୋକଙ୍କୁ ଏକଜୁଟ ହେବାକୁ ଅନୁମତି ଦିଆଯାଉଥିବାରୁ ମୂର୍ତ୍ତିର ଉଚ୍ଚତା ଓ ଓଜନକୁ ସୀମିତ ରଖିବାକୁ ବିଏମ୍‌ସି ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking