27.8 C
Bhubaneswar
Friday, April 19, 2024
Homeଓଡିଶାକୁମୁଟିପଙ୍କାଳରେ ମୌଳିକ ସୁବିଧା ଅପହଞ୍ଚ

କୁମୁଟିପଙ୍କାଳରେ ମୌଳିକ ସୁବିଧା ଅପହଞ୍ଚ

ପାରଳାଖେମୁଣ୍ଡି : ଗାଁକୁ କାମ ମାକୁ ସମ୍ମାନ । ଗାଁର ଉନ୍ନତି ହେଲେ ଦେଶ ତଥା ରାଜ୍ୟର ବକାଶ ହେବ । ଭୋଟ ବେଳେ ଏହି ନାରା ଏବେ ସବୁ ରାଜନୈତିକ ଦଳର ସ୍ଲୋଗାନ ହୋଇଯାଇଛି । ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ବଜେଟରେ ରଖା ଯିବା ସହ ପାଣି ଭଳି ଖର୍ଚ୍ଚ କରାଯାଉଛି । କିନ୍ତୁ ଦୁର୍ଗମ ଅଞ୍ଚଳରେ ଥିବା ଗାଁଗୁଡିକର ବାସ୍ତବ ଚିତ୍ର ଅଲଗା । ଏହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଓ ଆର୍‌.ଉଦୟଗିରି ବ୍ଲକର ସୀମାନ୍ତରେ ଥିବା କୁମୁଟିପଙ୍କାଳ ଗାଁରେ । ପୁରୁଣାପାଣି ପଞ୍ଚାୟତରେ ଏହି ଗାଁ ଥିବାବେଳେ କେବଳ ୩୦ କୁଇ ଆଦିବାସୀ ପରିବାର ରହୁଛନ୍ତି ଗାଁରେ । ପକ୍କା ରାସ୍ତା, ବିଜୁଳି ଆଲୁଅ କିଛି ନାହିଁ । ପଞ୍ଚାୟତଠାରୁ ୧୫ ଓ ବ୍ଲକଠାରୁ ୬୫ କିମି ଦୂରରେ ରହିଛି ଏହି ଗାଁ । ଗାଁର ମାତ୍ର ୯ଜଣକୁ ମିଳିଛି ପକ୍କା ଘର ।

ଦୀର୍ଘ ଦିନ ପରେ ଗାଁକୁ ମନରେଗା ଯୋଜନାରେ ମାଟି ରାସ୍ତା କରାଯାଇଛି । ବର୍ଷ ଦିନେ ତାହାଧୋଇ ହୋଇଯାଉଛି । ଏବେ ପ୍ରଶାସନ ପକ୍ଷରୁ କେତେକ ସୋଲାରଲାଇଟ ବ୍ୟବସ୍ଥା କରାଯାଇଛି । ବର୍ଷା ଦିନେ ଲାଇଟ ଜଳୁନଥିବାରୁ ଅନ୍ଧାର ହୋଇ ରହୁଛି । ଗାଁରେ ପାଣି ସମସ୍ୟା ମଧ୍ୟ ଉତ୍କଟ । ଗାଁରେ ୩ ନଳକୂପରୁ ୨ଟି ଅଚଳ । କେବଳ ଗୋଟିଏ ନଳକୂପରେ ପାନୀୟ ଜଳ ବ୍ୟବହାର କରୁଛନ୍ତି ଗାଁ ଲୋକେ । ଗାଁରେ ପୋଖରୀ ନଥିବା ଯୋଗୁଁ ଲୋକେ ଗାଧୋଇବା ପାଇଁ ନାଳ ଉପରେ ନିର୍ଭର କରୁଛନ୍ତି । ଗାଁର ୬୫ବର୍ଷୀୟ ବୃଦ୍ଧା କାନ୍ଦିରି ମଲିକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନଥିବା କହିଛନ୍ତି । ତେବେ ଗାଁରେ ଏତେ ସବୁ ମୌଳିକ ସମସ୍ୟା ରହିଥିଲେ ମଧ୍ୟ ଗାଁରେ ବିକାଶ ଧାରା ଜାରି ରହିଛି । ଗାଁର ୨୫ଟି ପରିବାରକୁ ସ୍ୱଛ ଭାରତ ମିଶନ ମାଧ୍ୟମରେ ପାଇଖାନା ନିର୍ମାଣ କରାଯାଇଛି । ଗାଁକୁ ରାସ୍ତା ନାହିଁ କି ପାଣିର ସୁବିଧା ନାହିଁ । ତଥାପି ପ୍ରଶାସନ ଓ ଠିକାଦାର ଏହାକୁ ଗୁରୁତ୍ୱ ଦେଇ ପାଇଖାନା ନିର୍ମାଣକୁ ତ୍ୱରାନ୍ୱିତ କରିଛନ୍ତି । ସେହଭଳି ଗାଁରେ ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଓ ଅଙ୍ଗନବାଡି ଗୃହ ନିର୍ମାଣ କରାଯାଇଛି । ଏଣୁ ଗାଁର ସର୍ବାଙ୍ଗୀନ ବିକାଶ ପାଇଁ ଗାଁକୁ ପକା ରାସ୍ତା, ବିଦ୍ୟୁତ ଯୋଗାଣ ଓ ପାନୀୟ ଜଳ ସମସ୍ୟା ଦୂର ପାଇଁ ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking