ଇସଲାମବାଦ୍: ପାକିସ୍ତାନ ପିଛା ଛାଡ଼ୁନି ସଙ୍କଟ । କେତେବେଳେ ରାଜନୈତିକ ତ ପୁଣି କେତେବେଳ ଦେଖାଦେଉଛି ଅର୍ଥନୈତିକ ସଙ୍କଟ। ଆଉ ବର୍ତ୍ତମାନ ବନ୍ୟା ସଙ୍କଟ ଭିତରେ ଗତି କରୁଛି ପାକିସ୍ତାନ । ପାକିସ୍ତାନରେ ବନ୍ୟାର ବିଭୀଷିକା ଏବେ ବି ଦେଖିବାକୁ ମିଳୁଛି। ଯେଉଁ ଆଡକୁ ଚାହିଁଲେ ଖାଲି ପାଣି ଆଉ ପାଣି । ବନ୍ୟାର ଦୁର୍ଦ୍ଦଶା କୋଟି କୋଟି ଲୋକ ଭୋଗୁଥିବା ବେଳେ ଶହଶହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ପାକିସ୍ତାନର ଲୋକମାନେ ଏହି ସମସ୍ୟା ସହ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି । ଗତ କିଛି ଦିନ ହେବ ବନ୍ୟା ପରିସ୍ଥିତି ପାକିସ୍ତାନରେ ବ୍ୟାପକ ଧ୍ୱଂସ ଘଟାଇଛି । ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପଡୋଶୀ ଦେଶ ପାକିସ୍ତାନରେ ଏପର୍ୟ୍ୟନ୍ତ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।
୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜୁନ୍ ୧୪ ପରଠାରୁ ବର୍ଷା ହେତୁ ଅନେକ ଜିଲ୍ଲା ଜଳବନ୍ଦୀ ହୋଇଥିଲା । ଏହି କାରଣରୁ ଏପର୍ୟ୍ୟନ୍ତ ପ୍ରାୟ ୧,୦୩୩ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨୦୭ଜଣ ମହିଳା ଓ ୩୪୮ ଶିଶୁ ଥିବା ଜଣାପଡ଼ିଛି । ଆଉ ଏଯାଏ ୧୫ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୁବଠାରୁ ବଡ଼ କଥା ହେଉଛି ଗତ ୨୪ଘଣ୍ଟା ମଧ୍ୟରେ କେବଳ ବନ୍ୟା ଯୋଗୁ ୧୧୯ ଜଣ ପ୍ରାଣ ହରାଇଛନ୍ତି । ଆଉ ୭୧ ଜଣ ଆହତ ହୋଇଥିବା କୁହାଯାଇଛି । ଏହି ୨୪ ଘଣ୍ଟାର ରିପୋର୍ଟରେ ସର୍ବାଧିକ ସିନ୍ଧ ପ୍ରାନ୍ତରେ ମୃତ୍ୟୁ ଘଟିଛି ବୋଲି କୁହାଯାଉଛି । ସେହିପରି ବନ୍ୟା ଯୋଗୁ ଗୃହପାଳିତ ପଶୁ ମଧ୍ୟ ପ୍ରାଣ ହରାଉଛନ୍ତି । ବନ୍ୟାକୁ କିଛି ଦିନ ବିତି ଯାଇଥିଲେ ମଧ୍ୟ ପାକିସ୍ତାନରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇନାହିଁ । ଲୋକମାନେ ଖାଦ୍ୟ ଓ ପିଇବା ପାଣିପାଇଁ ଡହଳବିକଳ ହେଉଛନ୍ତି ।