34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଧନୀଙ୍କ ପାଇଁ ପାକିସ୍ତାନର ନୂଆ ଅଫର, ଆସ ଜାଗା କିଣ

ଧନୀଙ୍କ ପାଇଁ ପାକିସ୍ତାନର ନୂଆ ଅଫର, ଆସ ଜାଗା କିଣ

ଇସ୍‌ଲାମ୍‌ବାଦ୍ : କେବଳ ସୁରକ୍ଷା ନୁହେଁ, ପାକିସ୍ତାନକୁ ଘାରିଛି ତା ଠୁ ବଳି ଆଉ ଏକ ବଡ଼ ଚିନ୍ତା ତାହା ହେଉଛି ଅର୍ଥନୀତି । ନିଜ ଦେଶର ଅର୍ଥନୀତି ସଜାଡ଼ିବାକୁ ବିଦେଶୀ ଶିଳ୍ପସଂସ୍ଥାଙ୍କୁ ନୁହେଁ, ବରଂ କିଛି ଆଫଗାନିସ୍ତାନ ଓ ଚୀନ୍ ଭଳି ନିର୍ଦ୍ଦିଷ୍ଟ ଦେଶର ଧନୀ ଲୋକଙ୍କୁ ପାକିସ୍ତାନ ଡାକୁଥିବାର ଶୁଣିବାକୁ ମିଳିଛି । ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ରସାତଳଗାମୀ ହେଉଥିବା ବେଳେ, ଏଥିରୁ ମୁକୁଳିବାକୁ ଇମ୍ରାନ୍ ଖାନ୍ ସରକାର ନୂଆ ଫର୍ମୁଲା ଆପଣାଇଛନ୍ତି । ଅର୍ଥନୀତିକୁ ଟ୍ରାକ୍‌କୁ ଆଣିବାକୁ ବିଦେଶୀ ଧନୀଙ୍କୁ ସ୍ଥାୟୀ ନିବାସର ଲୋଭ ଦେଖାଇଛନ୍ତି । ବିଶେଷ କରି ଆଫଗାନିସ୍ତାନ ଓ ଚୀନ୍ ନାଗରିକ ଏବଂ ଆମେରିକା ଓ କାନାଡ଼ାରେ ରହୁଥିବା ଶିଖ୍‌ଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାର ଶୁଭାରମ୍ଭ ନେଇ ଟୁଇଟ୍ କରିଛନ୍ତି ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧରୀ । ତାଲିବାନର କାବୁଲ ଦଖଲ ପରେ ତୁର୍କୀ, ମାଲେସିଆ ଓ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି ଆଫଗାନୀ ବିତ୍ତଶାଳୀ ଓ ଶିଳ୍ପପତି । ତେଣୁ ସେମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ । କାନାଡ଼ା ଓ ଆମେରିକାରେ ଥିବା ଶିଖ୍‌ମାନଙ୍କୁ ବିଭିନ୍ନ ଧର୍ମସ୍ଥଳୀ, ବିଶେଷତଃ କର୍ତ୍ତାରପୁର କରିଡରରେ ନିବେଶ କରିବାକୁ ପ୍ରସ୍ତାବ ଦିଆଯାଉଛି । ଚୀନ୍ ଶିଳ୍ପପତିଙ୍କୁ ପାକିସ୍ତାନରେ ନିବେଶ କଲେ ସ୍ଥାନୀ ନିବାସ ଅଧିକାର ମିଳିବ ବୋଲି କୁହାଯାଉଛି । ତେବେ ଏଥିପାଇଁ ଆଗ୍ରହୀ ବିଦେଶୀ ଧନୀଙ୍କୁ ପାକିସ୍ତାନରେ ରିୟଲ୍ ଇଷ୍ଟେଟ୍ କ୍ଷେତ୍ରରେ ୧ ଲକ୍ଷ ଡଲାରରୁ ୩ ଲକ୍ଷ ଡଲାର୍ ନିବେଶ କରିବାକୁ ପଡ଼ିବ । ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ସହ ମୁଦ୍ରାସ୍ଫିତି ବଢ଼ିଛି । ଦେଶ ଅର୍ଥନୈତିକ ସମସ୍ୟା ଦେଇ ଗତି କରୁଥିବାରୁ ଲୋକଙ୍କ ସମସ୍ୟା ମଧ୍ୟ ବହୁଗୁଣିତ ହେବାରେ ଲାଗିଛି । ମୁଦ୍ରାସ୍ଫିତି ୦.୦୮ ପ୍ରତିଶତ ବଢ଼ିଥିଲା । ଗତବର୍ଷ ନଭେମ୍ବରରେ ଏହା ସର୍ବାଧିକ ୧.୮୧ ପ୍ରତିଶତ ବୃଦ୍ଧି ପାଇଥିଲା । ପାକିସ୍ତାନରେ ଆଳୁ ଦର ୫.୨୩ ପ୍ରତିଶତ, ଚିକେନ୍ ୪.୪୫ ପ୍ରତିଶତ, କଦଳୀ ୨.୫୬ ପ୍ରତିଶତ, ପିଆଜ ୨.୧୨ ପ୍ରତିଶତ, ମସରି ଡାଲି ୧.୫୫ ପ୍ରତିଶତ, ମୁଗଡାଲି ୧.୪୬ ପ୍ରତିଶତ ଓ ଲୁଣ ଦର ୨.୭୫ ପ୍ରତିଶତ ବଢ଼ିଛି । ତେଣୁ ଦେଶର ଅର୍ଥନୀତି ସୁଧାରିବାକୁ ତଥା ନିଜ ଚୌକି ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କୌଣସି ବାଟ ଅଣଦେଖା କରିବାକୁ ଚାହୁଁନାହାନ୍ତି । ତେଣୁ ଧନୀମାନଙ୍କୁ ସ୍ଥାୟୀ ନିବାସର ଲୋଭ ଦେଖାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking