ଟୋକନ ସମସ୍ୟ: ମଣ୍ଡିରୁ ଉଠୁନି ଧାନ, ୧୨ ଘଣ୍ଟା ରାସ୍ତା ଅବରୋଧ କଲେ ଚାଷୀ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାରେ ଧାନ ବିକ୍ରିକୁ ନେଇ ଜାରି ରହିଛି ଅଚଳାବସ୍ଥା । ଟୋକେନ ସମସ୍ୟା ଯୋଗୁଁ ଧାନ ବିକ୍ରି କରି ପାରୁନି ଚାଷୀ । ଗୋଟିଏ ପଟେ ମଣ୍ଡିରୁ ଧାନ ଉଠୁ ନଥିବାବେଳେ ଅନ୍ୟପଟେ ଟୋକନ ଆସୁ ନଥିବାରୁ ଘରେ ଧାନ ଗଚ୍ଛିତ ରଖିଛି ଚାଷୀ । ଆଗକୁ ମୌସୁମି ବର୍ଷା ପାଖେଇ ଆସୁଥିବାରୁ ଚିନ୍ତାରେ ପଡିଛି ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ କିଣା ପହିଲାରୁ ହିଁ ଅଚଳାବସ୍ଥା ଲାଗି ରହିଛି । କେଉଁଠି ସରକାରୀ ବାବୁଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ଚାଷୀ ଉତ୍ପାଦିତ ଶସ୍ୟକୁ ବିକ୍ରି କରି ପାରୁନି ତ କେଉଁଠି ମିଲର୍ସଙ୍କ ମର୍ଜିରେ ଚାଷୀ ହନ୍ତସନ୍ତ ହେଉଛି । ବାରାମ୍ବାର ସରକାରୀ ଦପ୍ତରକୁ ଦୌଡି ଦୌଡି ଚାଷୀ ନୟାନ୍ତ ହେଲେଣି । ଫଳରେ ଆଜି ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ୮ ଦଫା ଦାବି ନେଇ ଜିଲ୍ଲା କୃଷକ ସଂଗଠନ ତରଫରୁ ସୁବର୍ଣ୍ଣପୁର-ସମ୍ବଲପୁର ରାଜ ରାସ୍ତାର ହିକୁଡି ଛକ ଠାରେ ରାସ୍ତା ଅବରୋଧ କରାଯାଇଥିଲା । ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସଂଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ରାସ୍ତା ଅବରୋଧ ଯୋଗୁଁ ଉଭୟ ପଟରେ ଶହ ଶହ ଯାନ ଅଟକି ରହିଥିଲା । ମହାନଦୀ ସେତୁରେ ମଧ୍ୟ ଶହ ଶହ ଗାଡି ଅଟକି ରହିଥିଲା । ପ୍ରଶାସନିକ ଅଧିକାରୀଙ୍କ ବୁଝା ସୁଝା ସତ୍ୱେ ରାସ୍ତା ରୋକ ହଟି ନଥିଲା । ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ ଭୋଇ, ଉଲୁଣ୍ଡା ତହସିଲଦାର ପୁର୍ଣ୍ଣଚନ୍ଦ୍ର ନାଏକ, ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ, ଏସିଏସଓ ସୁବୋଧ ହୋତା, ବୀରମହାରାଜପୁର ଉସଡିପିଓ ଡୋଲାମଣି ଭୋଇ ପ୍ରମୁଖ ଚାଷୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ନିସ୍କର୍ଷ ବାହାରି ନଥିଲା । ୮ ଦଫା ଦାବିରୁ ପ୍ରମୁଖ ଦାବି ଗୁଡିକ ହେଲା କଟନି ଛଟନି ବନ୍ଦ କରାଯାଉ, ଚାଷୀଙ୍କ ପୋଲିଥିନ ବ୍ୟାଗ ଫେରସ୍ତ କରାଯାଉ, ଟୋକନ ସମସ୍ୟାର ସମାଧାନ କରାଯାଉ , ଯେଉଁମାନଙ୍କର କମ ପରିମାଣର ଟୋକେନ ଆସିଛି ତାଙ୍କ ଟୋକେନ ପୁଣି ଦିଆଯିବାକୁ ଦାବି ହୋଇଛି । ଏହି ସମସ୍ୟାର ସମାଧାନ ନହେଲେ ଆଗାମି ଦିନରେ ଆହୁରି ତିବ୍ର ଆନ୍ଦୋଳନ କରାଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଂଠନାଥ ଶତପଥିଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ଚାଷୀ ସତ୍ୟନାରାୟଣ ମିଶ୍ର, ଗୋବିନ୍ଦ ମିଶ୍ର, ନରୋତମ ପ୍ରଧାନ, ନେତ୍ରାନନ୍ଦ ସାହୁ, ସୁଧିର ବଘାର, ହିମାଁଶୁ ସାହୁ, ପ୍ରଦୀପ ସ୍ୱାଇଁ ପ୍ରମୁଖଙ୍କ ସହ ଶତାଧିକ ଚାଷୀ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here