34.1 C
Bhubaneswar
Friday, March 29, 2024
Homeଓଡିଶାଜିଲ୍ଳାପାଳଙ୍କୁ ଦାବିପତ୍ର : ଧାନ କିଣାରେ ଏସଏଚଜିଙ୍କୁ ସାମିଲ କର

ଜିଲ୍ଳାପାଳଙ୍କୁ ଦାବିପତ୍ର : ଧାନ କିଣାରେ ଏସଏଚଜିଙ୍କୁ ସାମିଲ କର

ଭଦ୍ରକ : ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ୯ଟି ଜିଳ୍ଲାରେ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ସର୍ବନିମ୍ନ ୨୫ ପ୍ରତିଶତ ପଞ୍ଚାୟତରେ ଧାନ କିଣିବାକୁ ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲା । ଏଥିଦସହ ପ୍ରତ୍ୟେକ ପଞ୍ଚାୟତରେ ତାଲିମପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଏଥିରେ ସାମିଲ କରିବାକୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା । ସରକାରଙ୍କ ଚିଠି ସଂଖ୍ୟା-୯୬୩/୧୯-୭-୧୯ ଏବଂ ଚିଠି ନଂ-୧୦୮୬/୮-୮-୧୯ ଅନୁସାରେ ମିଶନ ଶକ୍ତି ସଚିବ ଜିଲ୍ଲାପାଳ ଓ ସମାଜ ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ସରକାରଙ୍କ ସମସ୍ତ ଆଦେଶନାମାକୁ ଭଦ୍ରକ ଜିଲ୍ଲାରେ ଉଲ୍ଲଂଘନ କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏନେଇ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚା ଓ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ଆଜିଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧନ କିଣା ଆରମ୍ଭ ହୋଇଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ବିଜେପି ପ୍ରଶ୍ନ ଉଠାଇଛି । ଅନ୍ୟ ଜିଲ୍ଳାରେ ସରକାରୀ ନିର୍ଦ୍ଦେଶନାମାର ପାଳନ ହେଉଥିବା ବେଳେ ଭଦ୍ରକ ଜିଲ୍ଳା ପ୍ରଶାସନ ଏହାକୁ ପାଳନ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ବୋଲି ଶ୍ରୀ ଧଳ କହିଛନ୍ତି । ଯେଉଁଥି ପାଇଁ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ପ୍ରଭାବିତ ହେବେ ବୋଲି କୁହାଯାଇଛି । କୃଷକ ମୋର୍ଚ୍ଚାର ରାଜ୍ୟ ଉପସଭାପତି ଶଙ୍କର୍ଷଣ ଜେନା, ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ମଙ୍ଗରାଜ ନାୟକ, ଜିଲ୍ଲା ବିଜେପି ଉପସଭାପତି ତପନ ମହାନ୍ତି, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଦିପ୍ତ ବିଶ୍ୱାଳ, କୃଷକ ନେତା ଅଲେଖ ଦାସ, ମମତା ବେହେରାଙ୍କ ସମେତ କୁନ୍ତଳାଶୁଣି, ବୁଢ଼ା ବ୍ରାହ୍ମଣୀ, ମା ତାରିଣୀ, ସାଇରାମ, ଲକ୍ଷ୍ମୀନାରାୟଣ, ଅନନ୍ତ ଗୋପାଳ ପ୍ରମୁଖ ଏସ୍‌ଏଚ୍‌ଜି, ଦୋଳଗୋବିନ୍ଦ ମିଶନଶକ୍ତିର ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାମାନେ ସାମିଲ ହୋଇଥିଲେ । ତୁରନ୍ତ ଏସ୍‌ଏଚ୍‌ଜିଙ୍କୁ ଧାନ କିଣାରେ ସାମିଲ କରିବାକୁ ଦାବି ଜଣାଇବା ସହ ଅନ୍ୟଥା ଆନ୍ଦୋଳନ କରାଯିବ ବୋଲି କୃଷକ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି ।
ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା ଘଟଣା : ୬୦ ହଜାର ନେଇଗଲେ ଦଳିତ ନେତା (୨)
ଜଗତସିଂହପୁର : ଗତ ନଭେମ୍ବର ୭ ତାରିଖରେ ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ତେଣ୍ଟୋଇ ଗ୍ରାମର ଦଳିତ ପରିବାର ହଟକେଶ୍ୱର ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା (୨୪)ଙ୍କୁ ସେହି ଗ୍ରାମର ଦୀପକ କୁମାର ବେଉରା ଦୁଷ୍କର୍ମ କରିବା ନେଇ ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ଉକ୍ତ ପରିବାରକୁ ନ୍ୟାୟ ଦେବାକୁ କହି ଜିଲ୍ଲା ଦଳିତ ବିକାଶ ପରିଷଦର ସଭାପତି ଶଙ୍କର ଦାସ କମିଶନର ଏବଂ ସାମ୍ବାଦିକଙ୍କ ନାଁରେ ୬୦ ହଜାର ଟଙ୍କା ନେଇଯାଇଥିବା ଲକ୍ଷ୍ମୀପ୍ରିୟାଙ୍କ ମା’ ସାକୁଲି ଦାସ ଅଭିଯୋଗ କରିଛନ୍ତି । ଏଣୁ ତାଙ୍କୁ ଗିରଫ କରିବା ପାଇଁ ସାକୁଲି ଦାସ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ, ସାକୁଲି ଦାସଙ୍କ ଝିଅ ଲକ୍ଷ୍ମୀପ୍ରିୟା ଦାସଙ୍କୁ ସେହି ଗ୍ରାମର ସବର୍ଣ୍ଣ ପରିବାରର ମାଂସ କଟାଳି ଦୀପକ କୁମାର ବେଉରା ଦୁଷ୍କର୍ମ ପରେ କାନ୍ଥ ବାଡରେ ଝିଅର ଉଲଗ୍ନ ଫଟୋ ମାରି ଝିଅକୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିବାରୁ ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିଥିଲା । ଏନେଇ ନାଉଗାଁ ଥାନାରେ ଅଭିଯୋଗ ପରେ ଆଇଆଇସି ମାମଲା ରୁଜୁ କରିବା ସହିତ ଦୀପକକୁ ଜେଲ ପଠାଇ ଦେଇଥିଲେ । ହେଲେ ଏହି ଘଟଣାରେ ଗରିବ, ଦଳିତ ଭୂମିହୀନ ପରିବାରକୁ ଆଇନ ଓ ଆର୍ଥିକ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ସଂଘ ଆଗେଇ ଆସିଥିଲା । ଏନେଇ ନଭେମ୍ବର ୨୮ ରେ ଦିଲ୍ଲୀରୁ ଅନୁସୁଚିତ ଜାତି ଓ ଜନଜାତି ବିଭାଗର କମିଶନର ଡା. ଯୋଗେନ୍ଦ୍ର ପାଶ୍ୱାନ ସମ୍ପୃକ୍ତ ପୀଡିତା ପରିବାରକୁ ଭେଟିବା ପାଇଁ ଆସିଥିଲେ । କମିଶନର ଯିବା ପରେ ଦଳିତ ବିକାଶ ପରିଷଦର ଜିଲ୍ଲା ସଭାପତି ଶଙ୍କର ଦାସ, କମିଶନରଙ୍କୁ ଦିଲ୍ଲୀରୁ ଆଣିବା ଖର୍ଚ୍ଚ ଏବଂ ଟିଭି ଓ ପେପରରେ ନ୍ୟୁଜ ବାହାର କରିବା ପାଇଁ ସାକୁଲିଙ୍କ ପୁଅକୁ ଟଙ୍କା ମାଗିଥିଲେ । ସାକୁଲିଙ୍କ ପୁଅ ଭଉଣୀର ଅଘଟଣରେ ମିଳିଥିବା ସରକାରୀ ସହାୟତା ୧ ଲକ୍ଷ ୧୦ହଜାର ଟଙ୍କାରୁ ୬୦ହଜାର ଟଙ୍କା ନେଇଥିଲେ । ଏଥିସହିତ ପୁଅକୁ ଥାନା, କଚେରୀ ଓ ଗଣମାଧ୍ୟମ ଆଗରେ ମିଛ କଥା କହିବା ପାଇଁ ବାଧ୍ୟ କରିଥିଲେ । ନଚେତ୍ ଅଭିଯୁକ୍ତ ଦୀପକ ଜେଲରୁ ଆସିଲେ ପୁଅକୁ ମରାମରି କରିବ ବୋଲି ଭୟଭୀତ କରାଇଥିଲେ । ଏହି ଘଟଣାରେ ଶଙ୍କର ଦାସଙ୍କୁ ଗିରଫ କରିବା ପାଇଁ ସାକୁଲି ଦାସ ଦାବି କରିଛନ୍ତି । ଏଥି ସହିତ ଶ୍ରୀ ଦାସ ଚଳୁ କରିଥିବା ତାଙ୍କର ୬୦ହଜାର ଟଙ୍କା ଫେରାଇ ଆଣିବା ପାଇଁ ସେ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି । ଏ ସମ୍ପର୍କରେ ଦଳିତ ନେତା ଶ୍ରୀ ଦାସଙ୍କୁ ପଚାରାଯିବାରୁ ଏ ସବୁ ମିଥ୍ୟା ଅଭିଯୋଗ ବୋଲି କହିଥିଲେ ।
ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ! (୩)
ଖଇରା : ଏକ ଶିକ୍ଷାନୁଷ୍ଠାନର ଅବହେଳା ପାଇଁ ପରୀକ୍ଷାରୁ ବଞ୍ôଚତ ହୋଇଛନ୍ତି ଜଣେ ଛାତ୍ର ।
ସୂଚନା ଅନୁଯାୟୀ, ଖଇରା ଥାନା କୁରୁଣ୍ଟା ପଞ୍ଚାୟତ ଅଧୀନ ବାଆଗଢିଆ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଞ୍ଜନ ସାହୁ କୁପାରୀ ଡ.ହରେକୃଷ୍ଣ ମହତାବ କଲେଜରେ +୩ ପ୍ରଥମ ବର୍ଷ କଳା ବିଭାଗରେ ପଢ଼ୁଛନ୍ତି । ସେ ଅନଲାଇନ ମାଧ୍ୟମରେ ନାମ ଲେଖାଇବା ସମୟରେ କଲେଜ ତରଫରୁ ଡ୍ରେସ୍‌କୋଡ୍‌, ପରିଚୟପତ୍ର, ଲାଇବ୍ରେରୀରୁ ବହି ମଧ୍ୟ ଦିଆଯାଇଥିଲା । ରୋଲ୍ ନଂବିଏ-୧୯-୦୧୫ ଅନୁସାରେ ଜ୍ୟୋତିରଞ୍ଜନ ପ୍ରତ୍ୟେହ କ୍ଲାସ କରିଥିଲେ ଏବଂ କଲେଜ ଇଣ୍ଟରନାଲ ପରୀକ୍ଷା ମଧ୍ୟ ଦେଇଥିଲେ । କିନ୍ତୁ ଶୁକ୍ରବାର ସେମିଷ୍ଟାର ପରୀକ୍ଷା ଥିବାରୁ ପୂର୍ବଦିନ ଆଡମିଟ୍ କାଡ୍ ପାଇଁ କଲେଜକୁ ଯାଇଥିବାବେଳେ ଅଧ୍ୟକ୍ଷ ପଞ୍ଚାନନ ଲେଙ୍କା ତାଙ୍କ କାର୍ଯ୍ୟାଳୟକୁ ଡକାଇ ସେଠାରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି କହିଥିଲେ । ଅନଲାଇନ୍ ମାଧ୍ୟମରେ ତାଙ୍କ ନାମ ଖଇରା କଲେଜକୁ ବଦଳି ହୋଇଯାଇଥିବାରୁ ସେଠାରୁ ଆଡମିଟ କାର୍ଡ ସଂଗ୍ରହ କରିନେବାକୁ କହିଥିଲେ । ତେବେ ତାଙ୍କ ଭବିଷ୍ୟତ ଖେଳାଯାଉଛି ବୋଲି ଜ୍ୟୋତିରଞ୍ଜନ ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଥାନାଧିକାରୀ ଲୋପାମୁଦ୍ରା ନାୟକଙ୍କ ନିଦ୍ଦେର୍ଶରେ ଏସ୍‌ଆଇ ସୁଜତା ମଲ୍ଲିକ ଓ ଏଏସ୍‌ଆଇ ପ୍ରଦୀପ୍ତ ମହାନ୍ତି କଲେଜ ପହଞ୍ଚି କାଗଜପତ୍ର ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଏବିଷୟରେ ଅଧ୍ୟକ୍ଷ ପଞ୍ଚାନନ ଲେଙ୍କାଙ୍କୁ ଯୋଗେଯାଗ କରିବାରୁ ଛାତ୍ରଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ।
ଅନଲାଇନରେ ୧୫ ଦିନରେ ମିଳିବ ପ୍ରମାଣପତ୍ର: ରାଜସ୍ୱ ମନ୍ତ୍ରୀ(୪)
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜନସାଧାରଣ ଅନଲାଇନରେ ଆବେଦନ କରୁଥିବା ପ୍ରମାଣପତ୍ରକୁ ୧୫ ଦିନ ମଧ୍ୟରେ ଦେବା ପାଇଁ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ନିର୍ଦ୍ଦେଶ ଦେବା ସହ ଏହାକୁ ଖିଲାପ କରୁଥିବା କର୍ମଚାରୀମାନଙ୍କ ବିରୋଧରେ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ସଦଭାବନା ସଭା ଗୃହରେ ଜିଲ୍ଲାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଉପରେ ସମୀକ୍ଷା କରି ରାଜସ୍ୱ ବିଭାଗ ଅଧିନରେ ଥିବା ଭୂମିହୀନ ଜନସାଧାରଣଙ୍କୁ ତୁରନ୍ତ ଚିହ୍ନଟ କରି ଜମି ପଟା ପ୍ରଦାନ ଉପରେ ଗୁରୁତ୍ୱ ଦେବା ସହ ଜନସାଧାରଣଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉପରେ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ମାରାଣ୍ଡି କହିଥିଲେ ଯେ ରାଜସ୍ୱ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ହେବା ସହ ଏହାର ଅଧିକାରୀମାନେ ଦାୟିତ୍ୱ ସମ୍ପନ୍ନ ହେବା ଦରକାର । ଜିଲ୍ଲାର ରାଜସ୍ୱ ବୃଦ୍ଧି କରିବା, ପରିବେଶ ସୁରକ୍ଷା, ଅଭାବୀ ଲୋକଙ୍କୁ ଉଚିତ ନ୍ୟାୟ ପ୍ରଦାନ ସହ ସମସ୍ତେ ଏକ ଟିମ୍ ୱାର୍କ ପରି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।
ଉକ୍ତ ସମୀକ୍ଷା ବୈଠକରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ ବେଆଇନ ଖଣିକୁ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟ ଜନିତ ଚୋରାଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ଜିଲ୍ଲାର ସରକାରୀ ଜମିକୁ ଯେଉଁ ବାହୁବଳୀମାନେ ଅକ୍ତିଆର କରି ରଖିଛନ୍ତି ତାଙ୍କୁ ସେଠାରୁ ଉଚ୍ଛେଦ କରି ଜଙ୍ଗଲ ଜମିକୁ ପରିବର୍ତ୍ତନ କରାଯାଇ ଭୂମିହୀନମାନଙ୍କୁ ବଣ୍ଟନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କାର୍ଯ୍ୟକାରୀ କରୁଥିବା କମ୍ପାନୀମାନଙ୍କୁ ପଟ୍ଟା ପ୍ରଦାନ କରାଯାଇ ସେମାନଙ୍କଠାରୁ ଖଜଣା ଆଦାୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଜରାସାହିରେ ବସବାସ କରୁଥିବା କୈବର୍ତ୍ତମାନଙ୍କୁ ଜମିପଟ୍ଟା ବଣ୍ଟନ କରିବା ପାଇଁ ରାଜସ୍ୱ ବିଭାଗକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଜିଲ୍ଲାର ୩୨୧୮ଜଣ ଭୂମିହୀନଙ୍କ ମଧ୍ୟରୁ ଅଦ୍ୟାବଧି ୭୨୪ଜଣଙ୍କୁ ପଟ୍ଟା ପ୍ରଦାନ କରିବାକୁ ବାକି ରହିଥିବା ପ୍ରକାଶ କରିଥିଲେ । ୭୮ଟି ହାଇଟେକ ପଲ୍ଲୀକୁ ରାଜସ୍ୱ ଗ୍ରାମକୁ ପରିବର୍ତ୍ତନ ହେବା ପାଇଁ ଥିବାବେଳେ ସେଥିମଧ୍ୟରୁ ୨୫ ଭାଗ ଉକ୍ତ ମାନ୍ୟତା ପାଇବାକୁ ଯୋଗ୍ୟ ହେଉନଥିବା ସେ ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଭବେଶ କୁମାର ନାୟକ ଜିଲ୍ଲାରେ ୨୦୧୯ ନଭେମ୍ବର ସୁଦ୍ଧା ୫୮କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଢେଙ୍କାନାଳ ଉପ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ହିନ୍ଦୋଳ ଉପ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଓ ଉପ ସହକାରୀମାନେ ଉପସ୍ଥିତ ଥିଲେ ।
କୂଅରେ ପଡ଼ି ଯୁବତୀ ମୃତ(୫)
ବିଶୋଇ : ବିଶୋଇ ଥାନା ଅନ୍ତର୍ଗତ ନଙ୍ଗଳବେଣ୍ଟା ପୋଖରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଶନସିକଡ଼ ଗ୍ରାମର ମୁଣ୍ଡାସାହିରେ ଥିବା କୂଅରେ ପଡ଼ିଯାଇ ଜଣେ ଯୁବତୀ ମୃତ୍ୟୁବରଣ କରିଛନ୍ତି । ସେ ଗାଧୋଉଥିବା ବେଳେ ଅସାବଧାନତାରୁ କୂଅ ଭିତରକୁ ଖସିପଡ଼ିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସୂଚନା ଅନୁଯାୟୀ, ଅଶନସିକଡ ଗ୍ରାମର ଦାମଦର ମୁଣ୍ଡାଙ୍କ ମଝିଆ ଝିଅ ତୁଳସୀ ମୁଣ୍ଡା(୨୧) ଗୁରୁବାର ଅପରାହ୍ନରେ ସାହିରେ ଥିବା କୂଅ ନିକଟରେ ଗୋଧୋଉଥିବା ବେଳେ ହଠାତ୍ କୂଅ ଭିତରକୁ ଖସିପଡିଥିଲେ । ନିକଟରେ କେହି ନଥିବାରୁ ତାଙ୍କୁ ତତ୍‌କ୍ଷଣାତ କେହି ଉଦ୍ଧାର କରିପାରି ନଥିଲେ । ପରିବାର ଲୋକେ ଖୋଜାଖାଜି କରି ପାଇନଥିଲେ । ତେବେ କୂଅ ନିକଟରେ ତାଙ୍କର ଲୁଗାପଟା ଦେଖି ବିଶୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବିଶୋଇ ଅଗ୍ନିଶମ ଅଧିକାରୀ ବସନ୍ତ ମଲ୍ଲିକଙ୍କ ନେତୃତ୍ୱରେ କର୍ମଚାରୀ ସଂଗ୍ରାମ ବାରିକ, ସତ୍ୟବ୍ରତ ପୁହାଣ, ଦିନବନ୍ଧୁ ମୁଣ୍ଡା, ହିମାଂଶୁ ଶେଖର ରାଉତରାୟ ପ୍ରମୁଖ ପହଞ୍ôଚ ଯୁବତୀଙ୍କୁ ଉଦ୍ଧାର କରି ବିଶୋଇ ଉପଚିକିତ୍ସାଳୟକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ବିଶୋଇ ଥାନାକୁ ଜଣାଇବା ପରେ ପୁଲିସ ଶବ ବ୍ୟବ୍ୟଚ୍ଛେଦ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟ ରାଇରଙ୍ଗପୁର ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଅଭିଯୁକ୍ତକୁ ଗିରଫ ଦାବିରେ ଆମରଣ ଅନଶନ (ଫ-୬)
ମାହାଙ୍ଗା: ମାହାଙ୍ଗା ଥାନା ଅର୍ନ୍ତଗତ ଭଦ୍ରେଶ୍ୱର ଫାଣ୍ଡି ଅଧୀନ ଝାଡେଶ୍ୱରପୁରଠାରେ ସ୍କର୍ପିଓ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାର ଅଭିଯୁକ୍ତମାନଙ୍କୁ ପୁଲିସ ଗିରଫ ନକରିବା ପ୍ରତିବାଦରେ ଶୁକ୍ରବାର ଜ୍ୟୋତିସମ୍ରାଟ ପ୍ରହରାଜଙ୍କ ମା’ ଏବଂ ସ୍ତ୍ରୀ ମାହାଙ୍ଗା ଥାନା ଆଗରେ ଆମରଣ ଅନଶନ କରିଥିଲେ । ତେବେ ସାଲେପୁର ଏସଡିପିଓଙ୍କ ପ୍ରତିଶ୍ରୁତି ପରେ ସେମାନେ ଅନଶନରୁ ଓହରିଯାଇଛନ୍ତି ।
ସୂଚନା ଅନୁଯାୟୀ, ଗତ ନଭେମ୍ବର ୨୮ ତାରିଖରେ ଝାଡ଼େଶ୍ୱରପୁର ଗ୍ରାମର ଜ୍ୟୋତିସମ୍ରାଟ ପ୍ରହରାଜ ତାଙ୍କ ସ୍କର୍ପିଓରେ ଯାଉଥିବାବେଳେ ଘରଠାରୁ ମାତ୍ର ୧୦୦ ମିଟର ଦୂରରେ ଦୁର୍ବୃତ୍ତମାନେ ଏକ ବାଇକ୍‌ରେ ଆସି ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ଏହି ଗୁଳିମାଡ଼ ଘଟଣାରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲା । ଏ ସମ୍ପର୍କରେ ସେ ମାହାଙ୍ଗା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରି ନଥିବାରୁ ତାଙ୍କ ପରିବାର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି । ତାଙ୍କ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଚ୍ଚ ଅଧିକାରୀଙ୍କ ନିକଟରେ ଜଣାଇଥିଲେ । ପୁଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ କେବଳ ମାମଲା ରୁଜୁକରି ହାତବାନ୍ଧି ବସିଛି । ଅଭିଯୁକ୍ତଙ୍କ ଗିରଫ ଦାବିରେ ଜ୍ୟୋତିସମ୍ରାଟଙ୍କ ମା’ ଭାଗ୍ୟଲତା ପ୍ରହରାଜ ଓ ସ୍ତ୍ରୀ ଆଜି ସକାଳ ୧୦ଟାରେ ମାହାଙ୍ଗା ଥାନା ସମ୍ମୁଖରେ ଆମରଣ ଅନଶନ କରିଥିଲେ । ଖବର ପାଇ ସାଲେପୁର ଏସ୍‌ଡିପିଓ ନିମାଇଁ ଚରଣ ସେଠୀ ମାହାଙ୍ଗା ଥାନାରେ ପହଞ୍ôଚ ଅନଶନକାରୀଙ୍କୁ ବୁଝାସୁଝା କରିବା ସହ ୧୫ରୁ ୨୦ ଦିନ ମଧ୍ୟରେ ଗୁଳିକାଣ୍ଡରେ ଜଡିତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ଦେବା ପରେ ସେମାନେ ଅନଶନରୁ ଉଠିଥିଲେ । ଏ ସମ୍ପର୍କରେ ସାଲେପୁର ଏସ୍‌ଡିପିଓ ଶ୍ରୀ ସେଠୀଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି, ଖୁବ୍‌ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି କହିଥିଲେ । ଅପର ପକ୍ଷରେ ଅଭିଯୁକ୍ତମାନଙ୍କୁ ୨୦ ଦିନ ମଧ୍ୟରେ ଗିରଫ କରାନଗଲେ ପୁଣି ଅନଶନ କରାଯିବ ବୋଲି ଶ୍ରୀ ପ୍ରହରାଜାଙ୍କ ପରିବାର ପକ୍ଷରୁ କୁହାଯାଇଛି ।
ଜନନୀ ଯନ୍ତ୍ରଣା : ୩ କି.ମି ଚାଲି ଚାଲି ଆସି ନଦୀପାର ହେଲେ ଗର୍ଭବତୀ(୭)
ରାୟଗଡ଼ା: ସ୍ୱାସ୍ଥ୍ୟସେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ରାୟଗଡ଼ା ଜିଲ୍ଲାରେ ଏବେ ଜଣେ ଗର୍ଭବତୀ ନଦୀ ପାର ହେବାଭଳି ଦୃଶ୍ୟ ପୁଣି ଚର୍ଚ୍ଚାର ବଢ଼େଇ ଦେଇଛି । ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାର ୫ କିଲୋମିଟର ଦୁର ସେରାପାଡ଼ି ଗାଁ’ରେ ।
ସୂଚନା ଅନୁଯାୟୀ, ରାୟଗଡ଼ା ସଦର ବ୍ଲକ ସେରାପାଡ଼ି ଗାଁ’ର ଗର୍ଭବତୀ ସୁନ ହୁଇକାଙ୍କୁ ଶନିବାର ସକାଳୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ଗାଁକୁ ସବୁଦିନିଆ ରାସ୍ତାଖଣ୍ଡେ ନଥିବା ଫଳରେ ନଦୀ ଆରପଟେ ଥିବା ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ବାଧ୍ୟ ହୋଇ ଗର୍ଭବତୀ ସୁନଙ୍କୁ ତିନି କିଲୋମିଟର ଚାଲିଚାଲି ଝଞ୍ଜାବତୀ ନଦୀ ପାରହୋଇ ଆସିବାକୁ ପଡ଼ିଥିଲା । ନଦୀ ଆର ପଟେ ଆମ୍ବୁଲାନ ସହ ଅପେକ୍ଷା କରି ରହିଥିବା ସ୍ୱାସ୍ଥ୍ୟ କର୍ମୀ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ସୁନ ଏକ କନ୍ୟା ସନ୍ତାନକୁ ଜନ୍ମ ହେଇଛନ୍ତି । ଏବେ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଡ଼ାକ୍ତର କହିଛନ୍ତି ।
ସବୁଠାରୁ ବଡ଼ କଥା ସେରାପାଡ଼ି ଗାଁକୁ ଯିବାକୁ ହେଲେ ମାଲିପଡ଼ା ଦେଇ ଏକ ପାଦ ଚଲାରାସ୍ତା ରହିଛି । ସବୁଦିନିଆ ରାସ୍ତା ଖଣ୍ଡେପାଇଁ ଗାଁ’ଲୋକେ ବାରମ୍ବାର ବ୍ଲକ ପ୍ରଶାସନକୁ ହାରିଗୁହାରି କଲେ ସୁଧା କେହି ଶୁଣୁନଥିବା କହିଛନ୍ତି ସୁନ ହୁଇକାଙ୍କ ସ୍ୱାମୀ କାମେଶ୍ୱର ହୁଇକା । ଏବେ ଏହି ଘଟଣା ପରେ ନିଜେ ଜିଲ୍ଲାପାଳ ପ୍ରମୋଦ କୁମାରେ ବେହେରା ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ଯାଇ ସୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କେଉଁ ପରିସ୍ଥିତିରେ ଚାଲିଚାଲି ନଦୀପାର ଝଞ୍ଜବତୀ ନଦୀ ପାରହେଲେ ତା’ର ତଦନ୍ତକରି ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking