ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ସ୍କ୍ରବ ଟାଇଫସ ଚିନ୍ତା ବଢ଼ାଇବାରେ ଲାଗିଛି । ଏପରିକି ୨-୩ଟି ଜିଲ୍ଲାକୁ ଛାଡ଼ିଦେଲେ, ସାରା ରାଜ୍ୟକୁ ମାଡ଼ିଗଲାଣି ସ୍କ୍ରବ ଟାଇଫସ । କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଛି । ଏଥିରୁ ୨୮୨୦ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ ହେଲେଣି ।
କେନ୍ଦ୍ରୀୟ ଟିମ୍ ଓଡିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି । ଓଡିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି । ସ୍କ୍ରବ୍ ଟାଇଫସ୍ ହେଲେ ଜ୍ୱର ହେବା ସହ ପୋକ କାମୁଡିଥିବା ସ୍ଥାନରେ ଘା’ ସୃଷ୍ଟି ହୋଇଥାଏ । ଏଥିପାଇଁ କେଉଁ ମେଡିସିନ ରୋଗୀଙ୍କୁ ଦିଆଯିବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି । ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦୮ ନମୁନା ପରୀକ୍ଷାରୁ ୨୫ଜଣଙ୍କ ପଜିଟିଭ ରିପୋର୍ଟ ଆସିଛି । ଏଥିସହ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ କୁ ବୃଦ୍ଧି ହୋଇଛି । କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରବ୍ ଟାଇଫସ ରୋଗ ଚିହ୍ନଟ କରୁଥିବା ସେ କହିଛନ୍ତି ।