ଭୁବନେଶ୍ୱର: ଆମ ଭାରତୀୟ ସଂସ୍କୃତିରେ ଝିଅମାନଙ୍କୁ ଶିଷ୍ଟ,ଶାନ୍ତ, ଦୟାଳୁ, ଓ ସହନଶୀଳ ହେବାକୁ ଶିକ୍ଷା ଦିଆ ଯାଇଥାଏ।କିନ୍ତୁ ଏହି ସମସ୍ତ ଗୁଣ ଆଜିର କଳୁଷିତ ସମାଜରେ ବରଂ ଅନେକ ଶୋଷଣ, ଉପେକ୍ଷା, ଅନ୍ୟାୟ ଓ ମନୋବଳ ଧ୍ଵଂସର ଦୁର୍ଭାଗ୍ୟଜନକ ଆବାହକ ସାଜିଛି। ଏହି ପାରମ୍ପରିକ ଚିନ୍ତାଧାରାକୁ ଦୂରେଇ ସ୍ୱାଭିମାନର ସହିତ ଅନ୍ତଃଶକ୍ତି ପରିଚୟ ଦେବାର ସମୟ ଉପନୀତ। ନମ୍ର ଅଥଚ ଦୃଢ଼ ରହି ସ୍ୱାଭିମାନର ସହିତ ବଞ୍ଚିବା ଶିଖିବା ଜରୁରୀ ହୋଇ ପଡ଼ିଛି।” ନା ” – କହି ଶିଖିବାର କଳା ଓ କୌଶଳ ଶିକ୍ଷା କରି ବିବେକ ସହିତ ସାଲିସ ନ କରି ଆତ୍ମସମ୍ମାନ ସହ ମୁଣ୍ଡ ଟେକି ଚାଲିବାର ସମୟ ଆସିଛି।ଯେଉଁଠି ପୂର୍ବରୁ ଝିଅମାନେ ଘରର ଚାରିକାନ୍ଥ ଭିତରେ ବନ୍ଦ ରହି ନିଜର ଦାୟିତ୍ୱ ପାଳନ କରୁଥିଲେ, ଏବେ ସେମାନେ ସମାଜରେ ନେତୃତ୍ୱ ନେଉଛନ୍ତି, ଅନ୍ୟାୟ ବିରୁଦ୍ଧରେ ସ୍ବର ଉତ୍ତୋଳନ କରୁଛନ୍ତି। ନିଜ ପାଇଁ ନିଜେ ଲଢ଼ିବା ଶିଖୁଛନ୍ତି।
ଝିଅମାନେ ଅନୁକମ୍ପା ଓ ଦୟାର ମୂର୍ତ୍ତି ହେଲେ ମଧ୍ୟ, ଯେତେବେଳେ ଅନ୍ୟାୟ ସହିପାରିବା ସୀମା ଅତିକ୍ରମ କରିଯାଏ, ସେମାନେ ବି କାଳୀ ରୂପ ଧାରଣ କରନ୍ତି। ଦୁର୍ବଳତା କୌଣସି ଜନ୍ମଗତ ଗୁଣ ନୁହେଁ, ଏହା ଏକ ଶିକ୍ଷିତ ଅଭ୍ୟାସ ବା ସଂସ୍କାର ଯାହା ଆମ ପରିବାର ଓ ସମାଜ ଝିଅଙ୍କୁ ଶିଖାଇଛି। କିନ୍ତୁ ଏବେ ସମୟ ହେଉଛି ଏହି ଅଭ୍ୟାସକୁ ଭାଙ୍ଗି ଦେବାର। ଝିଅମାନେ ଯଦି ଆତ୍ମବଳ ଓ ସ୍ବାଭିମାନର ସହ ସେମାନଙ୍କ ଅଧିକାର ଓ ଅସ୍ମିତା ପାଇଁ ଲଢ଼ିବେ, ତେବେ କୌଣସି ପ୍ରତିବନ୍ଧକ ସେମାନଙ୍କୁ ରୋକିପାରିବେ ନାହିଁ।ଝିଅମାନେ ଲଢ଼ିବା ଶିଖନ୍ତୁ: କୌଣସି ପରିସ୍ଥିତିରେ ହାରିବା ଉଚିତ ନୁହେଁ। ଆମ ମାନଙ୍କ ପାଖରେ ଅନେକ ଝିଅ ଉଦାହରଣ ସ୍ୱରୂପ ଆମକୁ ଅନେକ କିଛି ଶିକ୍ଷା ଦେଇଛନ୍ତି।
ମେରି କୋମ, ଯିଏ କି ସନ୍ତାନ ଜନ୍ମଦେବା ପରେ ମଧ୍ୟଅଲମ୍ପିକ୍ ମେଡାଲ୍ ଜିତିଲେ। ମାଲାଲା ୟୁସୁଫ ଗୁଳିମାଡ ଖାଇ ମଧ୍ୟ ଶିକ୍ଷା ପାଇଁ ଲଢ଼ିଲେ। କ୍ୟାପଟେନ ସୋଫିଆ କୁରେସି, ଯିଏ ସିନ୍ଦୂର ମିଶନର ନେତୃତ୍ୱ ନେଲେ।ଏହିପରି ଝିଅମାନେ ଆମ ପାଇଁ ପ୍ରେରଣା ଓ ଆଶାର ପ୍ରଦୀପ।ଏମାନେ ସମସ୍ତେ ଅନେକ ଚ୍ୟାଲେଞ୍ଜ ଦେଖିଛନ୍ତି, ତଥାପି ହାରି ନାହାନ୍ତି।ସେମାନେ ନିଜେ ଲଢ଼ିଛନ୍ତି, ସ୍ୱପ୍ନ ଦେଖିଛନ୍ତି ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କୁ ଦେଖି ଆମ ଝିଅମାନେ ମଧ୍ୟ ଶିଖୁନ୍ତୁ, ଜୀବନ ମାନେ କେବଳ ଶାନ୍ତିର ଗଳ୍ପ ନୁହେଁ, ଏହା ସଂଘର୍ଷର ପଥ ମଧ୍ଯ।ଆତ୍ମସମ୍ମାନ ଓ ନ୍ୟାୟ ପାଇଁ ଲଢ଼ନ୍ତୁ।ଲଢ଼ିବାମାନେ କେବଳ ମୁକାବିଲା ନୁହେଁ। ଲଢ଼ିବା କହିଲେ ବହୁ ଲୋକ ଶାରୀରିକ ସାମର୍ଥ୍ୟ ବୁଝନ୍ତି, କିନ୍ତୁ ଏଠାରେ ଲଢେଇ ହେଉଛି ମନର, ମନୋବଳର, ଚେତନାର, ଓ ଆତ୍ମବିଶ୍ୱାସର।ଯଦି ଜଣେ ଝିଅ ଥରେ ମନରେ ନିଶ୍ଚୟ କରିନିଏ ଯେ “ମୁଁ ହାରିବି ନାହିଁ,” ସେଇଠୁ ଆରମ୍ଭ ହୁଏ ଲଢେଇ।
ଅନ୍ୟାୟ ରୋକିବା, ଶିକ୍ଷା ଗ୍ରହଣ କରିବା, ସ୍ବାବଲମ୍ବୀ ହେବା, ବିରୋଧ କରିବା, ନିଜ ସ୍ଵର ଉଠାଇବା, ମନୋବଳ ନ ହାରିବା,ଏ ସମସ୍ତ ଲଢେଇର ଅଂଶ।ଏଠି ନିଜର ଅସ୍ତିତ୍ୱ ଓ ଆତ୍ମସମ୍ମାନ ପାଇଁ ଯୁଦ୍ଧ ଚାଲିଛି।ଆଜି ବି ଅନେକ ଝିଅ ନିଜ ଘରେ, ନିଜ ସ୍କୁଲରେ, କାର୍ଯ୍ୟାଳୟରେ ଉପେକ୍ଷା, ଦୁର୍ବ୍ୟବହାର, ଶୋଷଣ ଓ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି। ସେମାନେ ଭୟରେ ଚୁପ ରହନ୍ତି, କିନ୍ତୁ ଏହି ଚୁପ ଅନ୍ୟାୟକୁ ଅଧିକ ପ୍ରୋତ୍ସାହିତ କରିଥାଏ। ଏମିତି ଅବସ୍ଥାରେ ଝିଅ ମାନେ ଶିଖିବା ଉଚିତ, କେବଳ ପ୍ରତିକ୍ରିୟା ନୁହେଁ, ସଠିକ୍ ପଦକ୍ଷେପ ନେବା। ଆତ୍ମସମ୍ମାନ ହେଉଛି ଜୀବନର ସବୁଠୁ ବଡ଼ ଧନ, ଯଦି ଏହାକୁ କେହି କ୍ଷତି ପହଞ୍ଚାଇଲେ ତେବେ ଲଢ଼ିବା ଦରକାର।
ଏକ ଝିଅ ପାଇଁ ସବୁଠାରୁ ବଡ଼ ଶକ୍ତି ହେଉଛି ଶିକ୍ଷା ଓ ଆର୍ଥିକ ସ୍ୱାଧୀନତା। ଯଦି ସେ ଶିକ୍ଷିତ ଓ ସ୍ୱାବଳମ୍ବୀ ହେବେ, ତେବେ ଜୀବନର କୌଣସି ଆଘାତ ତାଙ୍କୁ ହତାଶ କରିପାରିବ ନାହିଁ। ଶିକ୍ଷା ହେଉଛି ଅନ୍ଧକାରକୁ ଆଲୋକ ଦେଇଥିବା ଅସ୍ତ୍ର ଓ ଆର୍ଥିକ ସ୍ୱାଧୀନତା ହେଉଛି ନିଜେ ନିଷ୍ପତ୍ତି ନେବାର ଶକ୍ତି। ଝିଅମାନେମାନସିକ ସ୍ତରରେ ଦୃଢ଼ ହେବା ପାଇଁ ପିତାମାତାଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ନିଜ ସ୍ୱର ଉପରେ ବିଶ୍ୱାସ ରଖ।ସମୟ ଆସିଛି, ଝିଅମାନେ ନିଜ ସ୍ୱରକୁ ଦୃଢ଼ ଶାଣିତ କରନ୍ତୁ, ସ୍ୱପ୍ନକୁ ଦୃଢ଼ କରନ୍ତୁ।ମନେ ରଖନ୍ତୁ, ବିପଦ ଆସିବ, ଅସୁବିଧା ହେବ, ଲୋକ ନିନ୍ଦା କରିବେ କିନ୍ତୁ ଏହି ସବୁକୁ ଆଡେଇ ଆଗେଇ ଯିବାର ଶକ୍ତି ଓ ସାହସ ରଖିଲେ ବିଜୟ ନିଶ୍ଚିତ।ମନେରଖ ତୁମେମାନେ ହେଲ ଶକ୍ତି, ସମ୍ଭାବନା, ଭବିଷ୍ୟତର ଆଶା ଓ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ।ଏହି ନୂଆ ଯୁଗରେ ତୁମେମାନେ ଜଣେ ଜଣେ ଯୋଦ୍ଧା ଭଳି ଲଢ଼ିବ ଓ କୌଣସି ପରିସ୍ଥିତିରେ ହାରିଯିବ ନାହିଁ। କାରଣ ତୁମେ ମାନେ ହୃଦୟଙ୍ଗମ କରିବା ଉଚିତ ଯେ ଏହି ଜୀବନ ଏକ ଲଢେଇ ଓ ତୁମେମାନେ ଏକ ଏକ ଯୋଦ୍ଧା।ଝିଅମାନେ ଲଢ଼ିବା ଶିଖନ୍ତୁ, ହାରିବା ନୁହେଁ। ଏହି ଲଢେଇ ହେଉଛି ନିଜ ମୂଲ୍ୟ, ଅସ୍ତିତ୍ୱ ଓ ସ୍ୱାଭିମାନ ପାଇଁ , ଯାହାର କୌଣସି ହାର ନାହିଁ।
ରୀନା ରାଉତରାୟ










