39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ ପିଲା, ପାଠ ପଢା ବୟସରେ ଚରାଉଛନ୍ତି...

ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ ପିଲା, ପାଠ ପଢା ବୟସରେ ଚରାଉଛନ୍ତି ଛେଳି

ସଇଁନ୍ତଳା : ମା’ ବାପାଙ୍କ ମୃତ୍ୟୁ ପରେ ସାହାରା ଖୋଜୁଛନ୍ତି ୪ ପିଲା । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଲକ୍ ଆମ୍ବପାଲି ପଞ୍ଚାୟତ ଭେରୁଆ ଭଟା ଗ୍ରାମରେ । ଭେରୁଆଭଟା ଗ୍ରାମର ଚଳିତ ମାସ ୧୩ ତାରିଖରେ ବଜ୍ରପାତରେ ରେବତୀଙ୍କ ମୃତ୍ୟୁ ହୋଇଥିଲା ଓ ମା’ଙ୍କ ୬ ବର୍ଷ ପୂର୍ବରୁ ବାପାଙ୍କ ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ସୁଜାତା ସାହୁ(୧୮), ଭଗବତୀ ସାହୁ(୧୨), ଭୀମସେନ ସାହୁ(୧୨), ମାନସୀ ସାହୁ(୮) ବାପା ମା’ ଙ୍କ ମୃତ୍ୟୁ ପରେ ଏବେ ସେମାନେ ବେସାହାରା । ତେବେ ଏମାନେ ଏବେ ପାଠ ପଢିବା ବୟସରେ ଛେଳି ଚରାଉଛନ୍ତି । ଏମାନଙ୍କ ପାଇଁ ସରକାର ପକ୍ଷରୁ ୨୫କେଜି ଚାଉଳ ହିଁ ସାହା ଭରସା ସାଜିଛି । ବାପା ମା’ଙ୍କ ତିଆରି କରିଥିବା ଭଙ୍ଗା କୁଡ଼ିଆରେ ଏବେ ଏମାନେ ଜୀବନ ଯାପନ କରୁଛନ୍ତି । କିନ୍ତୁ ସେହି ଘର କେତେବେଳେ ଯେ ଭୁଶୁଡି ପଡ଼ିବ ତାହା କହି ହେବ ନାହିଁ । ଡରି ଡରି ଜୀବନ ବିତାଉଛନ୍ତି ଚାରି ଭାଇ ଭଉଣୀ । ସାହାରା କହିଲେ ତାଙ୍କ ଅଜା ଆଈ । କିନ୍ତୁ ସେହି ଅଜା ଆଈଙ୍କୁ ନିଜ ପେଟ ପୋଷିବା ପାଇଁ କଷ୍ଟ ହୋଉଥିବା ବେଳେ ଏମାନଙ୍କୁ ସାହାଯ୍ୟ କରିବା ସମ୍ଭବ ହେଉନ ଥିବା ଚାରି ଭାଇ ଭଉଣୀ କୋହଭରା କଣ୍ଠରେ କହିଛନ୍ତି । ପାଠ ପଢା ବୟସରେ ଏମାନେ କାମ ଧନ୍ଦା କରିବେ କେମିତି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଉପାସରେ ରହିବାକୁ ପଡୁଛି । ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ତାଙ୍କ ପାଇଁ ସ୍ୱପ୍ନ ହୋଇ ରହିଯାଇଛି । ତେବେ ସରକାର ଘୋଷଣା କରିଛନ୍ତି ଯେ ଅତି ନୀରିହ ଗରିବ ଶ୍ରେଣୀର ଲୋକ ଯଦି ମୃତ୍ୟୁ ବରଣ କରେ ତେବେ ସରକାର ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ୨ହଜାର ଟଙ୍କା ଦିଆଯାଇ ଥାଏ କିନ୍ତୁ ଏମାନଙ୍କୁ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ । ତେବେ ସରକାରୀ ସହାୟତା କେବେ ମିଳିବ ତାହାକୁ ଅନେଇ ବସିଛନ୍ତି ଚାରି ଭାଇ ଭଉଣୀ । ଯଦି ବଜ୍ରପାତରେ ଜଣେ ମୃତ୍ୟୁବରଣ କରେ ତେବେ ସରକାରଙ୍କ ଘୋଷଣା ଅନୁଯାୟୀ ୪ଲକ୍ଷ ଟଙ୍କା ମିଳେ । କିନ୍ତୁ ପରିବାର ଲୋକେ ସମ୍ପୂର୍ଣ୍ଣ କାଗଜ ପତ୍ର ଦାଖଲ କରିନ ଥିବା ବେଳେ ଟଙ୍କା ମିଳିନ ଥିବା ଜଣାପଡିଛି । ଏନେଇ ସଇଁନ୍ତଳା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ହରିଶ୍ଚନ୍ଦ୍ର ଯୋଜନାରୁ ୨ଟଙ୍କା ଦିଆଯିବ ଓ ଯଦି କିଛି ସରକାରଙ୍କ ପକ୍ଷରୁ ସାହାଯ୍ୟ କରିହେବ ତାହେଲେ ମୁଁ ଚେଷ୍ଟା କରିବି ବୋଲି କହିଛନ୍ତି । ଏନେଇ ସଇଁନ୍ତଳା ତହସିଲଦାର ସୁମନ କିଶୋର ଡୁଙ୍ଗ୍‌ଡୁଙ୍ଗ୍‌ଙ୍କୁ ପଚାରିବାରୁ ତାଙ୍କର କାଗଜପତ୍ର ସମ୍ପୁର୍ଣ୍ଣ ଭାବେ ଦେଇ ନାହାନ୍ତି ତେବେ କାଗଜପତ୍ର ଦେଲା ପରେ ସରକାର ଘୋଷଣା ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସେମାନଙ୍କୁ ସହାୟତା ଯୋଗାଇଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking