30.1 C
Bhubaneswar
Thursday, April 25, 2024
Homeଓଡିଶାଆସନ୍ତା ୧୩ ତାରିଖଠାରୁ ଡିଗ୍ରି କଲେଜରେ ଅନଲାଇନ ପାଠପଢ଼ା

ଆସନ୍ତା ୧୩ ତାରିଖଠାରୁ ଡିଗ୍ରି କଲେଜରେ ଅନଲାଇନ ପାଠପଢ଼ା

ଭୁବନେଶ୍ୱର : ଅନଲକ-୨ର ଗାଇଡ଼ ଲାଇ୍‌ନ ଅନୁଯାୟୀ , ରାଜ୍ୟର ସମସ୍ତ ଡିଗ୍ରି କଲେଜ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିକଳ୍ପ ପାଠପଢ଼ା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବିଭାଗ ଅଧୀନରେ ଥିବା ସମସ୍ତ ଡିଗ୍ରି କଲେଜରେ ଆସନ୍ତା ୧୩ ତାରିଖଠାରୁ ଅନଲାଇନରେ ପାଠପଢ଼ା ଆରମ୍ଭ ହେବ। ଏ ସମ୍ପର୍କରେ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି। ଅଧ୍ୟାପକମାନେ କିଭଳି ଓ କେତେ ସମୟ ପଢ଼ାଇବେ, ସପ୍ତାହକୁ କେତୋଟି କ୍ଲାସ୍ ହେବ, ସେନେଇ ବିଭାଗ ପକ୍ଷରୁ ଆଜି ସମସ୍ତ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କ ଗାଇଡ଼ ଲାଇ୍‌ନ ଜାରି ହୋଇଛି।
ଗାଇଡ଼ ଲାଇ୍‌ନ ଅନୁଯାୟୀ, ଅତି ବେଶିରେ ୩୨ଜଣ ଲେଖାଏଁ ପିଲାଙ୍କୁ ନେଇ ହ୍ବାଟସ୍-ଆପ୍ ଓ ଇ-ମେଲ୍‌ ରେ ଗ୍ରୁପ୍ ଗଠନ କରାଯିବ। ଅଧ୍ୟାପକମାନେ ନୋଟ୍‌ ର ସଫ୍ଟ କପି, ପାଠ୍ୟପୁସ୍ତକ, ରେଫରେନ୍ସ ବୁକ୍, ପିପିଟି(ପାୱାର ପଏଣ୍ଟ ଟିଚିଂ), ସୁପାରିସ୍ ହୋଇଥିବା ବକ୍ତୃତାମାଳା ଆଦିକୁ ହ୍ବାଟସ୍-ଆପ୍ ଓ ଇ-ମେଲ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନିକଟକୁ ପଠାଇବେ। ଏହା ବ୍ୟତୀତ ଇ-ପିଜି ପାଠଶାଳା(ଇ-କଣ୍ଟେଣ୍ଟ), ଏମ୍ଓଓସିଏସ୍(ମାସିଭ୍ ଓପନ୍ ଅନ୍ଲାଇନ୍ କୋର୍ସ), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ଥିବା ଡିଜିଟାଲ ପାଠ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ। ଅଧ୍ୟକ୍ଷଙ୍କ ସମେତ କଲେଜର ଦୁଇରୁ ତିନି ଜଣ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଗଠିତ ଟିମ୍ ନିୟମିତ ବ୍ୟବଧାନରେ ଅନ୍‌ଲାଇନ୍‌ କ୍ଲାସ୍‌ର ତଦାରଖ କରିବେ। ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ଶିକ୍ଷା ଅଧିକାରୀମାନେ ଅତର୍କିତ ଭାବେ କଲେଜକୁ ଗସ୍ତ କରି ଅନ୍‌ଲାଇନ୍ ଶିକ୍ଷାର ଯାଞ୍ଚ କରିବେ।
ଅଧ୍ୟାପକମାନେ ସପ୍ତାହକୁ ୩ ଦିନ ଅନ୍‌ଲାଇନ୍‌ କ୍ଲାସ୍‌ କରିବେ। ପ୍ରତି କ୍ଲାସ୍ ୨ରୁ ୩ ଘଣ୍ଟା ମଧ୍ୟରେ ହେବ। ଗୁଗୁଲ ମେଟ୍, ଜୁମ୍, ସ୍କାଏପି ଓ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମକୁ ଏଥିପାଇଁ ବ୍ୟବହାର କରାଯାଇପାରିବ। ଅଧ୍ୟାପକମାନେ କଲେଜ କ୍ୟାମ୍ପସରୁ ଏହିଅନ୍‌ଲାଇନ୍‌ କ୍ଲାସ୍‌ ନେବେ। ଅନ୍‌ଲାଇନ୍‌ ପାଠପଢ଼ା ସମୟରେ ଶିକ୍ଷକମାନେ ରେଜିଷ୍ଟରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନେବେ। ଏଥିସହ ନିଜସ୍ବ ଲେସନ୍ ପ୍ଲାନ୍ ଓ ପ୍ରୋଗ୍ରେସ୍ ରେଜିଷ୍ଟର ବି ରଖିବେ। ଫଳରେ ସେମାନେ ଘରେ ରହି ପଢ଼ିପାରିବେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking