ପିଆଜ ଚିନ୍ତା:ଦର ବୃଦ୍ଧି ଏବେ ହ୍ରାସ

ନୂଆଦିଲ୍ଲୀ: ପିଆଜ ଚିନ୍ତାରେ ଚାଷୀ । ଗତ କିଛି ଦିନ ହେଲା ପିଆଜର ଦର ବୃଦ୍ଧି ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ଏବେ ହ୍ରାସକୁ ନେଇ ଚାଷୀ ଚିନ୍ତାରେ । ବଜାର ଚାହିଦା ଅନୁସାରେ ଗ୍ରାହକମାନଙ୍କୁ ପିଆଜ ଯୋଗାଇଦେବା ସହିତ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ନେଇ ସରକାରଙ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ସ୍ଥିତିରେ ପରିବର୍ତ୍ତନ ଆସିଥିଲେ ହେଁ ଏବେ ପିଆଜକୁ ନେଇ ପୁଣି ସମସ୍ୟା ଦେଖାଯାଇଛି । ହେଲେ ଏଥରକ ଖାଉଟି ନୁହନ୍ତି, ପିଆଜର ମୂଲ୍ୟ ହ୍ରାସକୁ ନେଇ ଏବେ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହୋଇଛି । ପୂର୍ବରୁ ଘରୋଇ ବଜାରରେ ପିଆଜର ଅଭାବକୁ ନେଇ କେନ୍ଦ୍ର ସରକାର ଭାରତରୁ ବିଦେଶକୁ ପିଆଜ ରପ୍ତାନି ଉପରେ ରୋକ ଲାଗାଇଥିଲେ । ଏବେ ମଧ୍ୟ ଏହା ବଳବତ୍ତର ରହିଛି । ତେବେ ଏବେ ପିଆଜର ନୂତନ ଉତ୍ପାଦନକୁ ନେଇ ଘରୋଇ ବଜାରରେ ଏବେ ପର୍ଯ୍ୟାପ୍ତ ପିଆଜ ଉପଲବ୍ଧ ହେଉଛି । ସର୍ବାଧିକ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ଲସଲଗାଓଁ ମଣ୍ଡିରେ ୨୩,୯୦୦ କ୍ୱିଣ୍ଟାଲ ପିଆଜ ପହଂଚିବା ପରେ ଏଠାରେ କ୍ୱିଣ୍ଟାଲ ପିଛା ପିଆଜ ଦର ୨୬୮୦ ଟଙ୍କାକୁ ହ୍ରାସ ପାଇଛି । ପ୍ରତିଦିନ ଏହି ମଣ୍ଡିକୁ ପ୍ରାୟ ୩୫ ହଜାର କ୍ୱିଣ୍ଟାଲ ପିଆଜ ଆମଦାନୀ ହେଉଥିବା
ବେଳେ ଆଗାମୀ ଦିନରେ ଦର ଆହୁରି ହ୍ରାସ ପାଇବ ବୋଲି ଲସଲଗାଓଁ କୃଷି ବିପଣନ ବଜାର କମିଟି ଅଧ୍ୟକ୍ଷ ଚିନ୍ତା ବ୍ୟକ୍ତ କରିବା ସହିତ ଚାଷୀମାନଙ୍କ ସମସ୍ୟା ବଢିବ ବୋଲି କହିଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ପିଆଜ ରପ୍ତାନି ଉପରୁ ରୋକ୍ ହଟାନ୍ତୁ ବୋଲି ସେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ଭାରତର ୩୩ ପ୍ରତିଶତରୁ ଅଧିକ ପରିମାଣର ପିଆଜ ଉତ୍ପାଦନ କରାଯାଇଥିଲା ବେଳେ କେବଳ ଏହି ମଣ୍ଡିକୁ ସମସ୍ତ ଉତ୍ପାଦନର ୮୦ରୁ ୯୦ ପ୍ରତିଶତ ଆସିଥାଏ । ଯାହାକି ସମ୍ପୂର୍ଣ୍ଣ ରପ୍ତାନି ଉପଯୁକ୍ତ । ତେଣୁ ପିଆଜ ରପ୍ତାନି ବନ୍ଦ ହେଲେ ଚାଷୀମାନଙ୍କ କ୍ଷତି ଦିନକୁ ଦିନ ବଢିବ ବୋଲି ସେ କହିଛନ୍ତି ।