34.1 C
Bhubaneswar
Friday, March 29, 2024
Homeଓଡିଶାବାପୁଜୀ ନଗରରେ ଆରମ୍ଭ ହେଲା ୱାନ ୱେ ଟ୍ରାଫିକ

ବାପୁଜୀ ନଗରରେ ଆରମ୍ଭ ହେଲା ୱାନ ୱେ ଟ୍ରାଫିକ

ଭୁବନେଶ୍ୱର:ଆଜିଠାରୁ ବାପୁଜୀ ନଗର ରାସ୍ତାରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଛି । ଟ୍ରାଫିକ୍ ଜାମକୁ ଦୃଷ୍ଟିରେ ରଖି ବାପୁଜୀ ନଗରରେ ନୂଆ ଟ୍ରାଫିକ୍ ପ୍ଲାନ୍ କାର୍ଯ୍ୟକାରୀ ହୋଇଛି । ଗତ ୨୧ ତାରିଖରେ ଏ ନେଇ ପ୍ରସ୍ତୁତ ନକ୍ସାକୁ ବିଏମସି ମୋହର ମାରିବା ପରେ ଏହାକୁ କାର୍ଯ୍ୟକାରୀ କରାଯାଉଥିବା ନେଇ କମିସନରେଟ୍ ପୁଲିସ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବାପୁଜୀ ନଗର ରାସ୍ତାରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା ନେଇ ପ୍ରଥମେ ୧୫ ଦିନ ଧରି ଲୋକଙ୍କୁ ସଚେତନ କରାଯିବ । ପରେ ଟ୍ରାଫିକ ଉଲଘଂନ କଲେ କାର୍ଯ୍ୟାନୁଷ୍ଠାନ ହେବା ସହିତ ଗାଡ଼ି ଚାଳକଙ୍କ ଠାରୁ ଅଦାୟ ହେବ ଫାଇନ । ନିୟମ ଉଲଘଂନ କଲେ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ବାପୁଜୀ ନଗର, ରାଜମହଲ, ଶିଶୁଭବନ, ଏଜି ଛକ ଯିବା ପାଇଁ କମିଶନରେଟ ପୋଲିସ ଟ୍ରାଫିକର ନିର୍ଦ୍ଧିଷ୍ଟ ନିୟମାବଳୀ ଜାରି କରିଛି ।
ନୂଆ ନିୟମ ମୁତାବକ, କଳ୍ପନାରୁ ରାଜମହଲ ପର୍ଯ୍ୟନ୍ତ ଫ୍ଲାଏ ଓଭରବ୍ରିଜ୍ ନିକଟସ୍ଥ ସର୍ଭିସ୍ ରୋଡର ଉଭୟ ପାର୍ଶ୍ବରେ କୌଣସି ପରିସ୍ଥିତିରେ ଗାଡି ପାର୍କିଂ କରିପାରିବେ ନାହିଁ । ବାପୁଜୀ ନଗରକୁ ଗଲାବେଳେ ଗାଡ଼ି ଚାଳକ ଗୋଟିଏ ପଟେ ପ୍ରବେଶ ଓ ଅନ୍ୟ ରାସ୍ତା ଦେଇ ପ୍ରସ୍ଥାନ କରିବେ । ବାପୁଜୀ ନଗର ଭିତରେ ‘ସବ୍-ମେନ୍ ରୋଡ୍-୧ ଓ ୨’ ଓ ଅନ୍ୟ ସମାନ୍ତରାଳ ରାସ୍ତା ଗୁଡ଼ିକର ଉଭୟ କଡ଼ରେ ବାର ଅନୁସାରେ ଗାଡ଼ି ପାର୍କିଂ ହେବ । ବାପୁଜୀ ନଗର ମାର୍କେଟକୁ ଯିବାପାଇଁ ଗାଡ଼ିଗୁଡିକ ରାଜମହଲ ଶିଶୁଭବନ ସବ୍ ମେନ ରୋଡ଼ ୧ ଦେଇ ଯିବେ । ସବ୍ ମେନ ରୋଡ଼ ୧ ଦେଇ ଆସିବା ପରେ ସେହି ରାସ୍ତାରେ ନ ବାହାରି ସବ୍ ମେନ ରୋଡ଼ ୨ ଦେଇ ସମସ୍ତ ଗାଡି ବାହାରିବ । ସବ୍ ମେନ ରୋଡ଼ ୧ ଓ ୨ ରାସ୍ତାର ଉଭୟ ପାର୍ଶ୍ୱରେ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ବାମ ପାର୍ଶ୍ୱରେ ଯାନବାହନ ପାର୍କିଙ୍ଗ ହେବ ଏବଂ ମଙ୍ଗଳବାର , ଗୁରୁବାର , ଶନିବାର ଓ ରବିବାର ଡାହାଣ ପାର୍ଶ୍ୱରେ ଗାଡି ପାର୍କିଙ୍ଗ କରାଯିବ । ଜନସାଧାରଣ ବାପୁଜୀ ନଗରର ତିନିଟି ସ୍ଥାନ ଜଗନ୍ନାଥ ସେବା ସଦନ , ରବିନ୍ଦ୍ର ମେଡ଼ିକାଲ ଏବଂ ବ୍ୟାଙ୍କ ଅଫ ବରଦା ସାମ୍ନାରେ ପାର୍କିଂ କରିପାରିବେ । ଏଥିଲାଗି ଅତିରିକ୍ତ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷା କର୍ମୀଙ୍କୁ ଏସପିଓ ଦାୟିତ୍ଵ ଦିଆଯିବ । ପ୍ରସ୍ଥାନ ରାସ୍ତା ଓ ‘ନୋ ଏଣ୍ଟ୍ରି’ ଦେଇ ପ୍ରବେଶ କରିହେବ ନାହିଁ । ଯାତ୍ରୀମାନେ ସୂଚନା ଫଳକ ଜରିଆରେ ସବିଶେଷ ସୂଚନା ପାଇ ପାରିବେ । ଏହି ନିୟମକୁ ଉଲ୍ଲଂଘନ କଲେ ସହରାଞ୍ଚଳ ପୁଲିସ ଆଇନ ଦଫା ୯୬ ବଳରେ ୧ ହଜାର ଟଙ୍କା ଜରିମାନା ଆଦାୟ ହେବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking