ଟେଂଟହାଉସ ମାଲିକଙ୍କ ମାଡ଼ରେ ଯୁବକ ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲା ଜୟମାତାଦି ଟେଣ୍ଟ୍ ହାଉସ ମାଲିକ ସନ୍ତୋଷ ଅଗ୍ରୱାଲ ତାଙ୍କର ଜଣେ ଶ୍ରମିକକୁ ପିଟିପିଟି ମାରିଥିବା ମଙ୍ଗଳବାର ସଂଧ୍ୟାରେ ଝାରସୁଗୁଡା ଟାଉନଥାନାରେ ଅଭିଯୋଗ ହୋଇଛି । ମୃତ ଶ୍ରମିକ ଜଣକ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଗୋପବନ୍ଧୁପାଲିର ଯୁବକ ବବ୍ଲୁ ତିର୍କି(୨୮) ବୋଲି ଜଣା ପଡିଛି । ମୃତ ବବୁଲଙ୍କ ପରିବାରବର୍ଗଙ୍କ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରି ସନ୍ତୋଷ ଅଗ୍ରୱାଲଙ୍କୁ ଖୋଜାଖୋଜି କରିବା ସହ ରାଉରକେଲା ଆରଜିଏଚ୍ ହସ୍ପିଟାଲର ଶବଗୃହରେ ଥିବା ବବୁଲଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ତଦନ୍ତ କରୁଥିବା ପୁଲିସ୍ କହିଛି ।
ସୂଚନା ଅନୁଯାୟୀ, ୩ ମାସ ପୂର୍ବେ କମଲା ତିର୍କୀଙ୍କ ପୁଅ ବବଲୁ ତିର୍କୀ ରାଉରକେଲାରୁ ଆସି ଝାରସୁଗୁଡା ସନ୍ତୋଷ ଅଗ୍ରୱାଲଙ୍କ ଟେଣ୍ଟ ହାଉସରେ କାମ କରୁଥିଲେ । ମଙ୍ଗଳବାର ତାଙ୍କୁ ଟେଣ୍ଟ ହାଉସ ମାଲିକ ଲୁହାଛଡ଼ ଓ ପାଇପରେ ମୁଣ୍ଡରେ ମାରି ଗୁରୁତର କରିଥିଲେ । ପରେ ଏକ ଘରୋଇ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ଏକ ଆମ୍ବୁଲାନ୍ସ ଯୋଗେ ରାଉରକେଲା ସ୍ଥିତ ଘରକୁ ପଠାଇ ଦେଇଥିଲେ । ଅବସ୍ଥା ସଂକଟାପନ୍ନ ଥିବାରୁ ପରିବାର ଲୋକେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁର୍ଲ୍ଲା ମେଡିକାଲକୁ ନେଇଥିଲେ । ହେଲେ ବୁର୍ଲ୍ଲା ନେବା ରାସ୍ତାରେ ସମ୍ବଲପୁର ପାଖରେ ବବୁଲଙ୍କ ମୃତ୍ୟୁ ହୋଇଥିଲା । ବବୁଲଙ୍କ ମୃତଦେହକୁ ପରିବାର ଲୋକେ ଫେରାଇ ନେଇ ରାଉରକେଲା ମର୍ଗ ହାଉସରେ ରଖିଛନ୍ତି । ମଙ୍ଗଳବାର ରାଉରକେଲାର ବିଜେପି ନେତ୍ରୀ ପ୍ରମିଳା ଦାସଙ୍କ ନେତୃତ୍ୱରେ ବବୁଲର ପରିବାରବର୍ଗ ଓ ଗୋପବନ୍ଧୁପାଲି ଅଞ୍ଚଳର ଲୋକେ ଝାରସୁଗୁଡ଼ା ଥାନାରେ ପହଞ୍ôଚ ଏତଲା ଦେଇଥିଲେ । ଗୋପବନ୍ଧୁପାଲି ଅଞ୍ଚଳର ୫ ରୁ ଊଦ୍ଧ୍ୱର୍ ଶ୍ରମିକ କର୍ମଚାରୀ ସଂପୃକ୍ତ ଟେଣ୍ଟ୍ ହାଉସ ମାଲିକଙ୍କ ନିର୍ଯାତନାର ଶିକାର ହେବା ସହ ସେମାନଙ୍କୁ ପାରିଶ୍ରମିକ ଅର୍ଥ ନ ଦେଇ ତଡ଼ି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି ।