27.1 C
Bhubaneswar
Thursday, April 25, 2024
Homeଓଡିଶାନୃସିଂହ ଚତୁର୍ଦ୍ଦଶୀ ଅବସରରେ ତିନି ରଥର ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

ନୃସିଂହ ଚତୁର୍ଦ୍ଦଶୀ ଅବସରରେ ତିନି ରଥର ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

ପୁରୀ : ରଥଖଳାରେ ଜୋର ସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ଖଳାରେ ମହାରଣା, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ କାର୍ଯ୍ୟରେ ଲାଗିପଡିଛନ୍ତି । ଶୁକ୍ରବାର ସୁଦ୍ଧା ତିନି ରଥର ତୁମ୍ବ ବିନ୍ଧକାର୍ଯ୍ୟ ଏବଂ ତୁମ୍ବ ରେ ଅର ସଂଯୋଗ ନିମନ୍ତେ ଅର କଣ୍ଟା ବିନ୍ଧକାର୍ଯ୍ୟ ଶେଷ ହୋଇଥିଲା । ତେବେ ଶନିବାର ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ତିନି ରଥର ଗୁଜ ଅନୁକୂଳ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ।
ରଥ ନିର୍ମାଣର ଏକାଦଶ ଦିବସରେ ତିନିରଥର ମୋଟ ମହାରଣା, ଭୋଇ, କରତି ସେବକ ଓ ପାହି ମହାରଣା ଏବଂ ଓଝା ବା କମାର ସେବକ ମିଶି ୧୫୪ ଜଣ କାର୍ଯ୍ୟରେ ଯୋଗ ଦେଇଥିଲେ । ତିନିରଥର ନିର୍ମାଣକାରୀ ସେବକମାନେ ରଥ ଖଳାରେ ଉପସ୍ଥିତ ପୂର୍ବକ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ପ୍ରଣିପାତ ହୋଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ପବିତ୍ର ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ, ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ଜନ୍ମ ତିଥିରେ ପରମ୍ପରା ପ୍ରକାରେ ତିନି ରଥର ଗୁଜ ଅନୁକୂଳ କାର୍ଯ୍ୟ ରଥ ଖଳା ଠାରେ ସମ୍ପନ୍ନ ହୋଇଯାଇଛି ।

ଏଥିସହ ଭୋଇସେବକ ମାନେ ଯନ୍ତା ଗାଡ଼ ଖୋଳା ଅନୁକୂଳ କାର୍ଯ୍ୟ ଭୋଇ ସର୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ସମ୍ପନ୍ନ ହୋଇଥିଲା । ଶ୍ରୀନୃସିଂହ ଚତୁର୍ଦଶୀର ଏହି ପବିତ୍ର ଦିନରେ ତିନିରଥ ପାଇଁ ୭ ଗୋଟି ଲେଖାଁଏ ୧୨ ଫୁଟୁଆ ଧଉରା କାଠ ରଥ ଅମୀନ ଲକ୍ଷ୍ମଣ ମହାରଣା ରଥ ଭୋଇଙ୍କ ସହାୟତାରେ ତିନି ରଥ ଚାଳିକୁ ଯୋଗାଇ ଦେଇଥିଲେ, ତିନିରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଗୁଜ ପାଇଁ ଉଦିଷ୍ଠ ୧୨ଫୁଟିଆ ଧଉରା କାଠ ଗୁଡିକର ଉପର ଅଂଶ କୁ ବାରିସୀରେ ହାଣି ସମତଳ କରି ଚଉପଟ କରିଥିଲେ ।

ଅପରାହ୍ନରେ ମହାପ୍ରଭୁଙ୍କ ଜାତଭୋଗ ପରେ ଚନ୍ଦନ ଠାକୁର ଚନ୍ଦନ ପୋଖରୀକୁ ବିଜେ ସମୟରେ ତିନି ରଥର ମହାରଣା ସେବକ ଗୁଜ ଅନୁକୂଳ ପାଇଁ ରୂପକାର ସେବକଙ୍କୁ ତିନି ବାଡର ଗୋଟିଏ ଗୋଟିଏ ଚଉପଟ ହୋଇଥିବା ଗୁଜ କାଠ ଯୋଗାଇ ଦେବାପରେ ତିନିରଥର ମୁଖ୍ୟ ରୂପକାର ସେବକ ଗୁଜ କାଠରେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଅନ୍ୟ ରୂପକାର ସେବକଙ୍କ ଉପସ୍ଥିତିରେ ତିନିରଥରେ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରି ପ୍ରାରମ୍ଭିକ କୋଣଗୁଜ ନିର୍ମାଣର ଶୁଭାନୁକୂଳ ସମ୍ପନ୍ନ କରିଥିଲେ । ଏଥି ସହ ତିନି ରଥର ମହାରଣା ମାନେ ପ୍ରତ୍ୟେକ ୨ଟି ଲେଖାଁଏ ଚକପାଇଁ ଆବଶ୍ୟକ ଅର ପ୍ରସ୍ତୁତ କରିବା ସହ  ପ୍ରତ୍ୟେକ ୭ ଗୋଟି ଲେଖାଁଏ ଗୁଜ ଚଉପଟ କାର୍ଯ୍ୟ ଶେଷ କରିଥିଲେ । ଅନ୍ୟପଟେ ଦୋଳବେଦୀ ସ୍ତିତ ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକ ମାନେ ଅରକଣ୍ଟା, ପଂଦାରୀ ଏବଂ ବଳା ନିର୍ମାଣ ଜାରୀ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking