34.1 C
Bhubaneswar
Friday, March 29, 2024
Homeଓଡିଶାମୟୁରଭଞ୍ଜରେ ‘ୟାଶ’ର ତାଣ୍ଡବ: କାନ୍ଥ ପଡ଼ି ବୃଦ୍ଧା ମୃତ, ପବନ ଓ ବର୍ଷା ଜାରି

ମୟୁରଭଞ୍ଜରେ ‘ୟାଶ’ର ତାଣ୍ଡବ: କାନ୍ଥ ପଡ଼ି ବୃଦ୍ଧା ମୃତ, ପବନ ଓ ବର୍ଷା ଜାରି

ମୟୂରଭଞ୍ଜ: ମୟୂରଭଞ୍ଜ ଉପରେ ରହିଛି ବାତ୍ୟା ୟାଶର ମୁହଁ । ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାକୁ ଘନେଇ ଆସୁଛି ବିପଦ । ବେଳକୁ ବେଳ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଆଜି ଜିଲ୍ଲାରେ ହାରାହାରି ୬୨.୬୫ ମିମି ବର୍ଷା ରେକର୍ଡ କରାଯାଇଛି । କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ହେଇଛି । ଯାହାକି ସମଗ୍ର ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ଶିମିଳିପାଳ ଉପର ମୁଣ୍ଡରେ ବର୍ଷା ବଢ଼ୁଥିବାରୁ ଜିଲ୍ଲାରେ ପ୍ରବାହିତ ବୁଢ଼ାବଳଙ୍ଗ ଏବଂ ଅନ୍ୟାନ୍ୟ ନଦୀର ଜଳସ୍ତର ବଢିବା ଆଶଙ୍କା ଦେଖାଦେଇଛି । ଯଦିଓ ଆଜି ସକାଳ ସୁଦ୍ଧା ଜିଲ୍ଲାର ବିଭିନ୍ନ ନଦୀ ଜଳସ୍ତର ସ୍ଥିର ଅଛି । ତଥାପି ଏନେଇ ଜିଲ୍ଲାରେ ବନ୍ୟା ଆଶଙ୍କା ଦେଖାଦେଇଛି । ଜିଲ୍ଲାପାଳ ବିନିଥ ଭରଦ୍ୱାଜ, ଏସ୍‌ପି ସ୍ମିତ ପି. ପରମାରଙ୍କ ସହିତ ବରିଷ୍ଠ ଅଧିକାରୀମାନେ ବୁଢ଼ାବଳଙ୍ଗ ନଦୀ ପାଖକୁ ଯାଇ ସ୍ଥିତି ପରଖିଛନ୍ତି । ସେହିପରି ପବନର ବେଗ ମଧ୍ୟ ୧୦୦ ପାଖାପାଖି ରହିଛି । ଜିଲ୍ଲାରୁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଗଲାଣି । ଜିଲ୍ଲାରେ ୧୦ଟି ସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳ ସହିତ ଅତିରିକ୍ତ ୫୯୨ଟି ଆଶ୍ରୟ ସ୍ଥଳ କାର୍ଯ୍ୟ କରୁଛି । ତେବେ ଜିଲ୍ଲାରେ ବାତ୍ୟା ୟାଶ ପ୍ରଥମ ମୁଣ୍ଡ ନେଇଥିବା ଜଣାପଡ଼ିଛି । ମୋରଡ଼ା ବ୍ଲକ ପଳସମୁଣ୍ଡି କୁସୁମତାଣ୍ଡି ଗାଁର ବୁଦିନି ସିଂ(୭୫)ଙ୍କର ଘର କାନ୍ଥ ପଡିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ରାତି ପ୍ରାୟ ୩ ରୁ ସାଢ଼େ ୩ ମଧ୍ୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ମାଟି ଘରେ ଶୋଇଥିବା ବେଳେ ଏପରି ଅଘଟଣ ଘଟିଥିବା ସୂଚନା ଦେଇଛନ୍ତି ମୃତକଙ୍କ ପୁଅ ବଳରାମ ସିଂ । ସ୍ଥାନୀୟ ବିଧାୟକ ରାଜ କିଶୋର ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ଏନେଇ ଖୁବଶୀଘ୍ର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପବନର ବେଗ ବଢ଼ୁଥିବାରୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଛି । ରାସ୍ତା ସଫା ଏବଂ ଉଦ୍ଧାର କାର୍ଯ୍ୟରେ ୯ ଏନ୍‌ଡିଆରଏଫ୍ ଓ ୩ଟି ଓଡ୍ରାଫ ଟିମ୍ କାମରେ ଲାଗିଛନ୍ତି । ସରକାରୀ ଆଶ୍ରୟ ସ୍ଥଳରେ ଥିବା ଲୋକଙ୍କୁ ଗତକାଲି ରାତିରୁ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି । ସେହିପରି ଆଶ୍ରୟ ସ୍ଥଳରେ କୋଭିଡ କଟକଣା ମାନିବା ଏକପ୍ରକାର ଚ୍ୟାଲେଞ୍ଜ ହୋଇପଡିଛି । ଆଗାମୀ କିଛି ଘଣ୍ଟା ଜିଲ୍ଳା ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବା କହିଛନ୍ତି ଜିଲ୍ଲାପାଳ । ଗତ ଅମ୍ଫାନ ବାତ୍ୟାରେ ଜିଲ୍ଲା ର ବାରିପଦା ଭଳି କିଛି ସ୍ଥାନରେ ପାଣି ପସିଯାଇଥିଲା । ଫାଇଲିନ, ଫନି ଓ ଅମ୍ଫାନ ବାତ୍ୟାର ଭୟାବହତାକୁ ଭୁଲିନଥିବା ମୟୂରଭଞ୍ଜବାସୀଙ୍କ ପାଇଁ ବାତ୍ୟା ୟାଶ ପୁନର୍ବାର ଭୟ ସଞ୍ଚାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking