37.1 C
Bhubaneswar
Friday, May 20, 2022
Homeଓଡିଶାଆଜି ଅଧା ଓଡ଼ିଶାରେ ବର୍ଷିବ, ୫ ଜିଲ୍ଲାରେ ପ୍ରବଳ

ଆଜି ଅଧା ଓଡ଼ିଶାରେ ବର୍ଷିବ, ୫ ଜିଲ୍ଲାରେ ପ୍ରବଳ

ଭୁବନେଶ୍ୱର: ରାଜ୍ୟରେ ଅଭାବୀ ବର୍ଷା ଜାରି ରହିଛି । କ୍ରମାଗତ ଭାବେ ମୌସୁମୀ ନୈରାଶ୍ୟଜନକ ରହିଥିବାବେଳେ ଏବେ ମଧ୍ୟ ରାଜ୍ୟରେ ନିଅଣ୍ଟ ବର୍ଷା ପରିମାଣ ସ୍ୱାଭାବିକଠାରୁ ୩୦% କମ୍ ରହିଛି । ଜୁନ୍ ପହିଲାରୁ ଏବେ ସୁଦ୍ଧା ରାଜ୍ୟରେ ୯୬୪.୭ ମିମି ସ୍ୱାଭାବିକ ବର୍ଷା ହେବାର ଥିଲା, ହେଲେ ଏବେସୁଦ୍ଧା ୬୭୭.୨ ମିମି ବର୍ଷା ରେକର୍ଡ ହୋଇଛି । ୨୪ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଥିବାବେଳେ ମାତ୍ର ୬ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି । ଏହା ରାଜ୍ୟବାସୀଙ୍କ ପାଇଁ ଅଡ଼ୁଆ ବଢ଼ାଇଥିବାବେଳେ ଏହି ସ୍ଥିତିରେ ରାଜ୍ୟବାସୀଙ୍କୁ ଆଶ୍ୱସ୍ତିକର ଖବର ଦେଇଛି ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ।

ଏବେ ବଙ୍ଗୋପସାଗରରୁ ବାୟୁମଣ୍ଡଳର ୪.୫ କିମି, ୨.୧ କିମି ଓ ୩.୬ କିମି ଉପରେ ୨ଟି ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି । ସେଥିମଧ୍ୟରୁ ଗୋଟିଏ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ । ଘନୀଭୂତ ହେବା ପରେ ଏହା ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଇଏମ୍‌ଡି ପ୍ରକାଶ କରିଛି । ଏହାଦ୍ୱାରା ରାଜ୍ୟରେ ଚାଷକାର୍ଯ୍ୟ ତ୍ୱରାନ୍ୱିତ ହେବା ଆଶା ପ୍ରକାଶ ପାଇଛି । ପାଣିପାଗ କେନ୍ଦ୍ର ସୂଚନା ମୁତାବକ, ଆନ୍ଧ୍ର ଉପକୂଳ ଏବଂ ଏହାର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଆଉ ଏକ ଘୂର୍ଣ୍ଣିବଳୟ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟିହୋଇଛି । ଆସନ୍ତା ୬ ତାରିଖରେ ଲଘୁଚାପ ଘନୀଭୂତ ହେବ । ଫଳରେ ୬ ଓ ୭ ତାରିଖ ଲଗାତାର ୨ ଦିନ ରାଜ୍ୟକୁ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ୮ ତାରିଖରେ ବର୍ଷା ପରିମାଣ କମିବ ସତ ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ । ତେବେ ଗତ ୪ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିଛି । ଆସନ୍ତା ୮ ତାରିଖ ଯାଏ ବର୍ଷା ପରିମାଣ ବଢ଼ିବ । ଯାହା ଅଭାବୀ ବର୍ଷା ଭରଣା କରିବାରେ ସହାୟକ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ତଥା ପାଣିପାଗ ବିଶେଷଜ୍ଞ ଏସ୍ ଆର୍ ବିଶ୍ୱାସଙ୍କ ସୂଚନା ଅନୁସାରେ, ଉତ୍ତର ବଙ୍ଗୋପସାଗର ଓ ଏହାର ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇପାରେ ବୋଲି ସେ କହିଛନ୍ତି । ତେବେ ବାୟୁମଣ୍ଡଳ ଉପରେ ଲମ୍ବିଥିବା ଘୂର୍ଣ୍ଣିବଳୟ ସକାଶେ ରାଜ୍ୟର ଏକାଧିକ ଜିଲ୍ଲାକୁ ଭାରୀ ବର୍ଷା ସମ୍ଭାବନା ରହିଛି । ରବିବାର ରାଜ୍ୟର ୧୫ ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ସେହି ମଧ୍ୟରୁ ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କତା ଜାରି ହୋଇଛି । କୋରାପୁଟ, ମାଲକାନାଗିରି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡ଼ାକୁ ଭାରୀ ବର୍ଷା ସମ୍ଭାବନା ରହିଛି ।

ସେପ୍ଟେମ୍ବର ୧୧ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବା ଫଳରେ ଉପକୂଳବର୍ତ୍ତୀ ଅଞ୍ଚଳରେ ସେପ୍ଟେମ୍ବର୧୧ ତାରିଖରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଆଗକୁ ରାଜ୍ୟରେ ଭଲ ବର୍ଷା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏବେସୁଦ୍ଧା ଯାଜପୁରରେ ସବୁଠୁ ନିଅଣ୍ଟ (୫୫%) ବର୍ଷା ରେକର୍ଡ ହୋଇଥିବାବେଳେ ଭଦ୍ରକରେ ୪୮% ନିଅଣ୍ଟ ବର୍ଷା ରେକର୍ଡ କରାଯାଇଛି । ଏହାବାଦ୍ ବଲାଙ୍ଗିରରେ ୪୫% ନିଅଣ୍ଟ, ଝାରସୁଗୁଡ଼ାରେ ୪୧% ନିଅଣ୍ଟ ଏବଂ ଅନୁଗୁଳ ଓ ସମ୍ବଲପୁରରେ ୪୦% ନିଅଣ୍ଟ ବର୍ଷା ରେକର୍ଡ ହୋଇଛି । ୬ ଜିଲ୍ଲା ଯଥା; ମାଲକାନାଗିରି, କୋରାପୁଟ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ସ୍ୱାଭାବିକ ବର୍ଷା (୧୯%ରୁ -୧୯% ମଧ୍ୟରେ) ରେକର୍ଡ ହୋଇଥିବାବେଳେ ବାକି ୧୯ ଜିଲ୍ଲାରେ ଅଭାବୀ ବର୍ଷା ପରିମାଣ ୨୦%ରୁ ୪୦% ମଧ୍ୟରେ ରହିଥିବା ପାଣିପାଗ କେନ୍ଦ୍ର ପ୍ରକାଶ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking