28.1 C
Bhubaneswar
Thursday, March 28, 2024
Homeଓଡିଶାଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା

ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର:  ମୌସୁମୀଜନିତ ନିମ୍ନଚାପ ରେଖା ଏବେ ଦେଶର ଉତ୍ତର ପଟେ ସଂଲଗ୍ନ ହୋଇ ବାଂଲାଦେଶ ଯାଏ ଲମ୍ବିଛି । ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ପରି ପଡ଼ୋଶୀ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧିପାଇଛି । ଉପର ମୁଣ୍ଡରେ ବର୍ଷା ଯୋଗୁଁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳିି ଡ୍ୟାମ୍‌ରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରରୁ ବୁଧବାର ଗୋଟିଏ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ରେଙ୍ଗାଳି ଡ୍ୟାମର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାୟୀ, ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର । ମଙ୍ଗଳବାର ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମ୍‌ରେ ଜଳସ୍ତର ୧୧୯.୬୯ ମିଟର ରହିଛି । ଡ୍ୟାମର ଜଳଧାରଣ ସାରଣୀ ଅନୁଯାୟୀ ମଙ୍ଗଳବାର ସୁଦ୍ଧା ଜଳସ୍ତର ୧୧୬.୪୦ ମିଟର ରହିବା କଥା । ହେଲେ ଡ୍ୟାମ୍‌ର ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୨୩୪୭.୨୫ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ପାୱାରଚ୍ୟାନେଲ ଦେଇ ୫୯୭.୧୧ ଘନମିଟର ଜଳ ନିଷ୍କାସନ ହେଉଛି । ପ୍ରତି ଘଣ୍ଟାରେ ଡ୍ୟାମରେ ୨ ସେମି ଜଳସ୍ତର ବୃଦ୍ଧି ପାଉଥିବା ଶ୍ରୀ ଜେନା କହିଛନ୍ତି । ବୁଧବାର ମୋଟ୍ ୨୪ଟି ଗେଟ୍ ମଧ୍ୟରୁ ଗୋଟିଏ ଗେଟ୍ ଖୋଲାଯାଇ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯିବ ।

ରେଙ୍ଗାଳି ଡ୍ୟାମ୍‌ର ନିମ୍ନରେ ବ୍ରାହ୍ମଣୀ ନଦୀର ଉଭୟ କୂଳରେ ବସବାସ କରୁଥିବା ଗ୍ରାମର ଜନସାଧାରଣଙ୍କ ସମେତ ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ନଦୀକୂଳିଆ ଜନସାଧାରଣ ସତର୍କ ରହିବାକୁ ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ୩ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ଖୁବ୍ କମ୍ ରହିଛି । ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି । ଫଳରେ ଅଗଷ୍ଟ ଆରମ୍ଭରୁ ହିଁ ନିଅଣ୍ଟିଆ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଜୁନ୍ ୧ରୁ ଅଗଷ୍ଟ ୩ ମଧ୍ୟରେ ରାଜ୍ୟରେ ମୋଟ୍ ୪୬୫.୯ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ଭାବେ ଏହି ସମୟ ମଧ୍ୟରେ ୫୯୫ ମିମିରୁ ଊର୍ଦ୍ଧ୍ୱ ବର୍ଷା ହୋଇଥାଏ । ଅର୍ଥାତ୍ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୨% ନିଅଣ୍ଟିଆ ବର୍ଷା ହୋଇଛି । ୩ ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ସ୍ଥିତି ଉତ୍କଟ ରହିଛି ।

ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକ, ଯାଜପୁର ଓ ଗଜପତି ରହିଛି । ଏଠାରେ ୪୦%ରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସ୍ୱଳ୍ପ ବୃଷ୍ଟିପାତ ସକାଶେ ସମ୍ପୃକ୍ତ ୩ ଜିଲ୍ଳାରେ ଏବେ ଚାଷ ସ୍ଥିତି ସଙ୍ଗିନ ହୋଇଛି । ବିଲରେ ତଳି ରୁଆ ହୋଇସାରିଥିଲେ ହେଁ ପାଣି ନଥିବା କାରଣରୁ ଜମି ଶୁଖିଲା ପଡ଼ିଥିବା ନଜରକୁ ଆସିଛି । ରାଜ୍ୟର ଅଧା ଜିଲ୍ଲା (୧୫)ରେ ସ୍ୱାଭାବିକ୍ ବର୍ଷା ହୋଇଥିବାବେଳେ ଆଉ ଅଧାକରେ ନିଅଣ୍ଟିଆ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ଜଗତସିଂହପୁରରେ ସର୍ବାଧିକ ୩୬ ମିମି ବର୍ଷା ରେକର୍ଡ ହୋଇଛି । ଏବେ ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି । ହେଲେ ଆସନ୍ତା ୩ ଦିନ ଉତ୍ତର ଓଡ଼ିଶାର ଏକାଧିକ ଜିଲ୍ଲାକୁ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ସମ୍ଭାବନା ରହିଛି । କିନ୍ତୁ ୭ ତାରିଖରୁ ବର୍ଷାର ପରିମାଣ ପୁଣି କମିବ । ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆକାଶ ଆଂଶିକ ମେଘୁଆ ରହିବ । ବର୍ଷା ମଧ୍ୟ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ତଥା ବିଶେଷଜ୍ଞ ଏଚ୍‌ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking