27.1 C
Bhubaneswar
Thursday, April 25, 2024
Homeଓଡିଶା୮ ଜିଲ୍ଳାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

୮ ଜିଲ୍ଳାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ନୈରାଶ୍ୟ ଜନକ ରହିଛି ମୌସୁମୀ ବର୍ଷା । ଜୁନ ୧ରୁ ଜୁଲାଇ ୭ ମଧ୍ୟରେ ଓଡ଼ିଶାରେ ୨୨୪.୪ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ ୨୨% କମ୍ । ଦୈନିକ ଭାରୀ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଉଛି, ହେଲେ ବାସ୍ତବରେ ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ପର୍ଯ୍ୟାପ୍ତ ହେଉନଥିବା ପରିଲିକ୍ଷିତ ହୋଇଛି । ଅଧା ଓଡ଼ିଶାରେ ପ୍ରବାହ ପ୍ରଭାବଶୂନ୍ୟ ରହିଛି । ବର୍ଷା ପରିମାଣ କମିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଲାଣି । ବିଶେଷ କରି ରାୟଗଡା, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ, ନବରଙ୍ଗପୁର, ସମ୍ବଲପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ନିଅଣ୍ଟିଆ ବର୍ଷା କାରଣରୁ ଚାଷ କାର୍ଯ୍ୟ ଏଯାବତ୍ ଆରମ୍ଭ ହୋଇପାରିନାହିଁ । ଏବେ ବିହନ ବୁଣା କାମ ସରିବା ପରେ ଅଗଷ୍ଟକୁ ତଳି ରୁଆ ଆରମ୍ଭ ହେବ । ହେଲେ ପର୍ଯ୍ୟାପ୍ତ ବର୍ଷା ହେଉନଥିବା କାରଣରୁ କୃଷି କାର୍ଯ୍ୟ ବ୍ୟାପକ ମାତ୍ରାରେ ବାଧାପ୍ରାପ୍ତ ହେବାରେ ଲାଗିଛି । ତେବେ ଏବେଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୧୧ ତାରିଖରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବାବେଳେ ବାୟୁମଣ୍ଡଳ ଉପରେ ଲମ୍ବିଥିବା ନିମ୍ନଚାପଗୁଡ଼ିକ ପାଇଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଖାଲି ସେତିକି ନୁହେଁ, ବଙ୍ଗୋପସାଗରର ଉତ୍ତର ପଟକୁ ଏକ ଘୁର୍ଣ୍ଣିବଳୟ ମଧ୍ୟ ସୃଷ୍ଟି ହେଉଛି । ଏଥିସହ ଓଡ଼ିଶା ଉପକୂଳବର୍ତ୍ତି ଅଞ୍ଚଳ ଦେଇ ଆନ୍ଧ୍ର ପ୍ରଦେଶ ଯାଏ ଏକ ବଡ଼ ନିମ୍ନଚାପ ରେଖା ଲମ୍ବିଛି । ଯାହାପାଇଁ ଆସନ୍ତା ୨ରୁ ୩ ଦିନ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ପ୍ରବଳ ବର୍ଷା ଓ ଆଭ୍ୟନ୍ତରୀଣ ତଥା କେନ୍ଦ୍ରୀୟ ଓଡ଼ିଶାର ବହୁ ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଉକ୍ତ ପାଣିପାଗ ନିୟାମକ ପ୍ରଭାବରେ ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧିପାଇବ । ପରବର୍ତ୍ତି ସମୟରେ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ମଧ୍ୟ ବର୍ଷା ଜାରି ରହିବ ।

ଯାହା ଚାଷ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ବୋଲି ପାଣିପାଗ କେନ୍ଦ୍ରର ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।
ସେପଟେ ଗୁରୁବାର ରାଜ୍ୟର ୮ ଜିଲ୍ଳାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳବର୍ତ୍ତୀ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, କେନ୍ଦୁଝର, ସୋନପୁର, ଢେଙ୍କାନାଳ, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଭଳି ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ । ଏହା ସହ ଉପକୂଳର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ସେହିପରି ଶୁକ୍ରବାର ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ଓ ଆଭ୍ୟନ୍ତରୀଣ ଏକାଧିକ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଶନିବାର, ରବିବାର ଓ ସୋମବାର ମଧ୍ୟ ଭାରୀ ବର୍ଷା ଜାରି ରହିବା ସମ୍ଭାବନା ରହିଛି । ଏବେ ବର୍ଷା କାରଣରୁ ବହୁ ଜିଲ୍ଲାରେ ଗୁଳୁଗୁଳିର ପରିମାଣ ବଢ଼ିବ । ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking