ଆଜି ୧୩ ଜିଳ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

heavy rain

ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ବର୍ଷା । ହେଲେ ଚଳିତ ମାସରେ ବର୍ଷାର ପରିମାଣ ବଢ଼ିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୩ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି ।  ଏହି ସବୁ ଜିଲ୍ଲାଗୁଡିକୁ ସତର୍କ ରହିବାପାଇଁ ପରାମର୍ଶ ଦିଆଯିବା ସହ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତା ୧୦ ତାରିଖରୁ ୧୬ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ୨ଟି ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଫଳରେ ଏହି ମାସରେ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।  ଘନ ଘନ ଲଘୁଚାପ ଯୋଗୁଁ ଏହି ବର୍ଷା ହେବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ଅଧିକ ରହିବ । ପୂର୍ବରୁ ୧୨ ତାରିଖରେ ଏକ ଲଘୁଚାପ ହେବ ବୋଲି ବିଭିନ୍ନ ପାଣପିାଗ ସଂସ୍ଥା ସହିତ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଥିଲେ । ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ଆଭାସ ମିଳିଛି । ୧୨ ତାରିଖ ପରେ ୧୬ ତାରିଖ ଅର୍ଥାତ ୫ ଦିନ ବ୍ୟବଧ୍ୟାନରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ପ୍ରକାଶ ପାଇଛି ।

ଅନ୍ୟପଟେ ସମୁଦ୍ର ପତ୍ତନରେ ଥିବା ପୂର୍ବ-ପଶ୍ଚିମ ନିମ୍ନ ଚାପରେଖା ସୋମବାର ଉତ୍ତରପଶ୍ଚିମ-ଉତ୍ତର ପ୍ରଦେଶରୁ ପୂର୍ବ-ଉତ୍ତର ପ୍ରଦେଶ, ବିହାର, ସବ-ହିମାଳୟ ପଶ୍ଚିମବଙ୍ଗ ଏବଂ ଆସାମ ମଧ୍ୟ ଦେଇ ତ୍ରିପୁରା ଯାଏଁ ଲମ୍ବିଛି । ଏହା ସହ ଆଉ ଏକ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନରୁ ୧.୫ କିମି ଯାଏଁ ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗୀୟ ପଶ୍ଚିମ-ବଙ୍ଗ ଉପତ୍ୟକା ଉପରେ ସକ୍ରିୟ ରହିଛି । ତାଛଡା ଉପରୋକ୍ତ ଘୁର୍ଣ୍ଣିବଳୟଠାରୁ ଏକ ଉତ୍ତର-ଦକ୍ଷିଣ ନିମ୍ନ ଚାପ ରେଖା ସମୁଦ୍ର ପତ୍ତନରୁ ୧.୫ କିମି ଉପରେ ଉତ୍ତର ଆନ୍ଧ୍ର ଉପକୂଳ ଉପକୂଳ ଯାଏଁ ଲମ୍ବିଛି । ଉପରୋକ୍ତ ପାଣିପାଗର ନିୟାମକ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି । ଆଗାମୀ ୨୪ ଘଣ୍ଟା ଅର୍ଥାତ୍ ମଙ୍ଗଳବାର ରାଜ୍ୟର ୧୩ ଜିଲ୍ଲା ଯଥା- କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ସଦୃଶ ୟେଲୋ ୱାର୍ଣ୍ଣିର୍ଂ ଜାରି ହୋଇଛି । କିନ୍ତୁ ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ଆହୁରି ବୃଦ୍ଧିପାଇବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ବୁଧବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, କୋରାପୁଟ୍‌, ମାଲକାନାଗିରି ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଉପରୋକ୍ତ ଜିଲ୍ଳାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅନୂରୁପ ଭାବେ ଗୁରୁବାର ଓ ଶୁକ୍ରବାର ମଧ୍ୟ ବହୁ ଜିଲ୍ଲାକୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here