34.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱରବୋନ୍ କ୍ୟାନ୍ସର ପୀଡ଼ିତା ଅବହେଳିତ ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

ବୋନ୍ କ୍ୟାନ୍ସର ପୀଡ଼ିତା ଅବହେଳିତ ସୁମତିଙ୍କ ମୁହଁରେ ହସ ଫୁଟାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ଝିଅ ତୁମର ଦିଲ୍ଲୀରେ ରହିବ, ତା’ର ପାଠପଢା ବ୍ୟବସ୍ଥା ମଧ୍ୟ କରାଯିବ । ଏଭଳି କିଛି ମିଠା ପ୍ରତିଶୃତି ଦେଇ ଦିଲ୍ଲୀରେ ରହୁଥିବା ଏକ ଦମ୍ପତ୍ତି ବାପା ମା’ଙ୍କର ଗେଲ ବସରିଆ ଝିଅ ସୁମତିକୁ ତାଙ୍କ ସହିତ ଦିଲ୍ଲୀ ନେଇଯାଇଥିଲେ । କିନ୍ତୁ ସେହି ପ୍ରତିଶ୍ରୁତିକୁ ଗୋଡ଼ରେ ଆଡେଇ ଦେଇ ଝିଅଟିକୁ ତାଙ୍କ ଘରର ଚାକରାଣୀ ସଜେଇ ଦେଲେ । ଶେଷରେ ସୁମତି କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିଲେ ଓ ଦମ୍ପତ୍ତି ଦୁହେଁ ତାକୁ ତା ଗାଁରେ ଛାଡିଦେଇଥିଲେ । କ୍ୟାନ୍ସର ଶରୀରରେ ସଂକ୍ରମିତ ହେବା ପୂର୍ବରୁ ଗୋଡ଼ କାଟିବା ନିହାତି ଜରୁରୀ ଥିଲା । ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ଅସ୍ତ୍ରୋପଚାର ହୋଇ ଗୋଡ଼ କଟା ହେଲା ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସୁମତି ।
ସୂଚନାନୁସାରେ, ବାଲେଶ୍ଵର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗେଙ୍ଗୁଟି ଅଞ୍ଚଳରେ ସୁମତିଙ୍କ ଘର । ପିତା ରଥ ସିଂଙ୍କର କିଛି ବର୍ଷ ପୂର୍ବରୁ ପରଲୋକ ଘଟିଛି । ସୁମତିକୁ ୮ବର୍ଷ ହୋଇଥିବା ବେଳେ ଏକ ଦମ୍ପତ୍ତି ତା’ର ଘରକୁ ଆସିଥିଲେ । ଆର୍ଥିକ ଅନଟନ ଭିତରେ ଗତି କରୁଥିବା ସୁମତିର ପରିବାରକୁ ପ୍ରଲୋଭନ ଦେଖାଇଥିଲେ । ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସୁମତିକୁ ସେମାନେ ଦିଲ୍ଲୀ ନେବାକୁ କହିଥିଲେ । ଦମ୍ପତ୍ତିଙ୍କ କଥାରେ ରାଜି ହୋଇ ଏହି ଅଭାବୀ ପରିବାର ନିଜ ଝିଅକୁ ତାଙ୍କ ହାତକୁ ଟେକି ଦେଇଥିଲେ । ଦିଲ୍ଲୀ ଯିବା ପରେ ଅନେକ ଅକଥନୀୟ ଅତ୍ୟାଚାର ଭୋଗିଥିଲା ସୁମତି । ଏହା ଭିତରେ ସୁମତିର କୌଣସି ପ୍ରକାରେ ବାମ ଗୋଡ଼ ଭାଙ୍ଗି ଯାଇଥିଲା । ଦମ୍ପତ୍ତି ଦୁହେଁ ଅନାଦର କରି ସୁମତିକୁ ଆଣି ଘରେ ଛାଡି ଦେଇଥିଲେ । ଗୋଡ଼ରେ ଅତ୍ୟଧିକ ଯନ୍ତ୍ରଣା ଭୋଗିବାରୁ ଘର ଲୋକେ ଧାରଉଧାର କରି ସୁମତିକୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ବୋନ୍ କ୍ୟାନ୍ସର ହୋଇଥିବାର ଜଣା ପଡିଥିଲା । କ୍ୟାନ୍ସର ଶରୀରରେ ସଂକ୍ରମିତ ହେବା ପୂର୍ବରୁ ନିହାତି ଗୋଡ଼ କାଟିବା ଜରୁରୀ ଥିଲା । ଘରୋଇ ହସ୍ପିଟାଲରେ ଦୀର୍ଘକାଳୀନ ଚିକିତ୍ସା କରାଇବା ପାଇଁ ଅର୍ଥ, ବାଧକ ସାଜିଥିଲା । ଏହି ଘଟଣା ସମ୍ପର୍କରେ ଜଣେ ଯୁବ ସମାଜସେବୀ ସୁଶାନ୍ତ ପରିଡ଼ା ବାଲେଶ୍ଵରର ମାନବାଧିକାର କର୍ମୀ ଶ୍ରୀ ସୁଧାକର ସେଠୀଙ୍କୁ ଜଣାଇଥିଲେ ଏବଂ ଶ୍ରୀ ସେଠୀ ଅସହାୟ ଝିଅକୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ମୋ ପରିବାରକୁ ଯୋଗାଯୋଗ କରିଥିଲେ । ଏହି ଘଟଣା ଓଡ଼ିଶା ମୋ ପରିବାର ନଜରକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ବାଲେଶ୍ଵର ଜିଲ୍ଲା ସଂଯୋଜକ ଶ୍ରୀ ଶୁଭେନ୍ଦୁ ମଙ୍ଗରାଜଙ୍କ ସହାୟତାରେ ସୁମତିଙ୍କୁ କଟକସ୍ଥିତ ଆଚାର‌୍ୟ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଭର୍ତ୍ତି କରାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ହସ୍ପିଟାଲରେ ଉଭୟ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ୍ ରଥ ଓ ସନ୍ତୋଷ ଦାସ ଉପସ୍ଥିତ ରହି ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦେଉଥିଲେ ଓ ଅସ୍ତ୍ରୋପଚାର ସମୟରେ ଆବଶ୍ୟକ ଥିବା ରକ୍ତ ୟୁନିଟ୍ ମଧ୍ୟ ଯୋଗାଇ ଦେଇଥିଲେ । ହସ୍ପିଟାଲରେ ଯେପରି ସୁମତିଙ୍କ ପରିବାର ସଦସ୍ୟଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନପଡ଼େ ସେଥିପ୍ରତି ମଧ୍ୟ ଧ୍ୟାନ ଦେଇଥିଲେ ହେଲ୍ପଡ଼େସ୍କ ସହଯୋଗୀ ସନ୍ତୋଷ । ଏ ସମସ୍ତ ପ୍ରକ୍ରିୟାକୁ ଜୀବନ ବିନ୍ଦୁ କଟକ ସିଟି ସଂଯୋଜକ ଶ୍ରୀ ରଞ୍ଜନ ବିଶ୍ଵାଳ ସଂଯୋଜନା କରିଥିଲେ ଏବଂ ସୁମତିଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଶେଷରେ ପରିବାର ଲୋକଙ୍କର ଚିନ୍ତା ଦୂର ହେଲା । ଦୀର୍ଘ ୧ ମାସର ଚିକିତ୍ସା ପରେ ବର୍ତ୍ତମାନ ଧୀରେଧୀରେ ସୁସ୍ଥ ହେଉଛନ୍ତି ସୁମତି । ତାଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି ଓ ପରିବାର ସଦସ୍ୟମାନେ ଖୁସିରେ ଆତ୍ମହରା ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking