ଶିଶୁଙ୍କ ଟିକାକରଣରେ ଓଡ଼ିଶା ଦେଶରେ ଏକ ନମ୍ବର

ଭୁବନେଶ୍ୱର : ବୁଧବାର ପ୍ରକାଶିତ ହୋଇଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌-୫), ୨୦୧୯-୨୦ ରିପୋର୍ଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । ପ୍ରଜଜନ ହାର, ଲିଙ୍ଗ ଅନୁପାତ, ମହିଳା ଓ ଶିଶୁ ସ୍ୱାସ୍ଥ୍ୟ ଆଦି ଅନେକ ବିଭାଗରେ ଏହି ରିପୋର୍ଟ ଜାତୀୟ ଚିତ୍ର ସାଙ୍ଗକୁ ରାଜ୍ୟୱାରୀ ତଥ୍ୟ ପ୍ରଦାନ କରିଛି । ରିପୋର୍ଟ ମୁତାବକ ୧୨ରୁ ୨୩ ମାସର ଶିଶୁଙ୍କ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଏକ ନମ୍ବର ସ୍ଥାନରେ ରହିଛି । ଓଡ଼ିଶାରେ ୧୨ରୁ ୨୩ ମାସର ନବଜାତ ଶିଶୁଙ୍କ ଟିକାକରଣ ହାର ୯୦.୫% ରହିଛି । ଯାହାକି ଜାତୀୟ ହାରଠୁ ଢେର ଆଗରେ । ଶିଶୁଙ୍କ ଟିକାକରଣର ଜାତୀୟ ହାର ୭୬.୪% ରହିଛି ।

ପୋଲିଓ ଠାରୁ ଆରମ୍ଭ କରି ହେପାଟାଇଟିସ୍ ଯାଏଁ ଏଭଳି ଅନେକ ପ୍ରକାରର ଟିକା ନବଜାତ ଶିଶୁଙ୍କୁ ୧୨ରୁ ୨୩ ମାସ ମଧ୍ୟରେ ଦିଆଯାଇଥାଏ । ଓଡ଼ିଶାରେ ଜନ୍ମିତ ଶିଶୁଟିଏ ଏହି ସମୟସୀମା ମଧ୍ୟରେ ୧୨ଟି ଟିକା ଗ୍ରହଣ କରିଥାଏ । ଯାହାକୁ ପ୍ରଦାନ କରିବାରେ ରାଜ୍ୟ ସରକାର ସାରା ଦେଶରେ ରେକର୍ଡ କରିଛନ୍ତି । ଓଡ଼ିଶା ପଛକୁ ଏହି ବର୍ଗରେ ହିମାଚଳ ପ୍ରଦେଶ(୮୯.୩%), ତାମିଲନାଡ଼ୁ(୮୯.୨%), ପଶ୍ଚିମବଙ୍ଗ(୮୭.୮%), କର୍ଣ୍ଣାଟକ(୮୪.୧%) ଏବଂ ଗୋଆ(୮୧.୯%) ଆଦି ରାଜ୍ୟ ରହିଛନ୍ତି ।
ପ୍ରକାଶ ଯେ ୨୦୧୫-୧୬ରେ ଯେତେବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ରିପୋର୍ଟ ପ୍ରକାଶ ପାଇଥିଲା, ସେତେବେଳେ ୧୨ରୁ ୨୩ ମାସର ଶିଶୁଙ୍କ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶାର ହାର ଥିଲା ୭୮.୬% ଏବଂ ସେତେବେଳେ ଜାତୀୟ ହାର ଥିଲା ୬୦% ।

ଅର୍ଥାତ୍ ପାଞ୍ଚ ବର୍ଷ ତଳେ ମଧ୍ୟ ଶିଶୁ ଟିକାକରଣରେ ଓଡ଼ିଶାର ହାର ଜାତୀୟ ହାରଠାରୁ ଉପରେ ରହିଥିଲା । ଆଉ ପାଞ୍ଚ ବର୍ଷର ସମୟ ମଧ୍ୟରେ ଦେଶରେ ନମ୍ବର ୱାନ୍ ସ୍ଥାନ ହାସଲ କରି ଓଡ଼ିଶା ସରକାର ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ପ୍ରତି କେତେ ଯତ୍ନବାନ ତାହା ପ୍ରମାଣିତ କରି ଦେଖାଇଛନ୍ତି । ମମତା ଭଳି ଆହୁରି ଅନେକ ଯୋଜନାର ସଫଳ ରୂପାୟନ ଓଡ଼ିଶାରେ ଉଭୟ ମା’ ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାର ଗ୍ୟାରେଣ୍ଟି ପ୍ରଦାନ କରିଛି । ସବୁ ସରକାରୀ ଡାକ୍ତରଖାନାରେ ସ୍ୱତନ୍ତ୍ର ମା’ ଓ ଶିଶୁ ବିଭାଗ ଏବଂ ଉନ୍ନତ ଚିକିତ୍ସା ଭିତ୍ତିଭୂମି ଏହା ସମ୍ଭବ କରି ଦେଖାଇଛି । ଏନ୍‌ଏଫ୍‌ଏଚ୍‌ଏସ୍‌-୫ ତଥ୍ୟ ମୁତାବକ ଓଡ଼ିଶାରେ ୧୨ରୁ ୨୩ ମାସର ୯୭.୩% ଶିଶୁ ବିସିଜି ଟିକା, ୯୧.୭% ଶିଶୁ ପୋଲିଓର ସମସ୍ତ ତିନୋଟି ଡୋଜ୍‌, ୯୪.୭% ଶିଶୁ ଡିପିଟିର ସମସ୍ତ ତିନୋଟି ଡୋଜ୍‌, ୯୫.୯% ଶିଶୁ ପ୍ରଥମ ଡୋଜ୍ ମିଳିମିଳା ଟିକା, ୮୮.୧% ଶିଶୁ ରୋଟା ଭାଇରସରୁ ସମସ୍ତ ତିନୋଟି ଡୋଜ୍ ଟିକା, ୯୪.୪% ଶିଶୁ ହେପାଟାଇଟିସ-ବି’ର ସମସ୍ତ ତିନୋଟି ଡୋଜ୍ ଟିକା ଗ୍ରହଣ କରିଛନ୍ତି ।

୯୮.୧% ନବଜାତ ଶିଶୁ ଓଡ଼ିଶାରେ ବିଭିନ୍ନ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ଗ୍ରହଣ କରିଥିବା ବେଳେ ମାତ୍ର, ୧.୪% ଶିଶୁ ଘରୋଇ ହସ୍ପିଟାଲରେ ଟିକା ଗ୍ରହଣ କରିଛନ୍ତି । ସେହିଭଳି ଓଡ଼ିଶାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ତଥ୍ୟକୁ ଦେଖିଲେ ଗ୍ରାମାଞ୍ଚଳର ୯୯.୧% ଶିଶୁ ଏବଂ ସହରାଞ୍ଚଳର ୯୧.୮% ଶିଶୁ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ନେଇଛନ୍ତି । ଅର୍ଥାତ୍ ସହରାଞ୍ଚଳରେ ମଧ୍ୟ ଅଧିକାଂଶ ପିତାମାତା ନିଜ ଛୁଆର ଟିକାକରଣ ଲାଗି ସରକାରୀ ଟିକାକେନ୍ଦ୍ରକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ସହରାଞ୍ଚଳର ମାତ୍ର, ୬.୮% ପ୍ରତିଶତ ଶିଶୁ ଘରୋଇ ହସ୍ପିଟାଲରେ ଟିକା ନେଇଥିବା ବେଳେ ଗ୍ରାମାଞ୍ଚଳର ମାତ୍ର ୦.୫% ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here