29.1 C
Bhubaneswar
Wednesday, April 24, 2024
Homeଓଡିଶାଓଡ଼ିଶା ଚାଷୀ ଉପରେ ଛତିଶଗଡ଼ ପୁଲିସର ଦାଦାଗିରି ଘଟଣା : ଓଡ଼ିଶା-ଛତିଶଗଡ଼ ରାସ୍ତାରୋକ କଲେ କନକତୋରାବାସୀ

ଓଡ଼ିଶା ଚାଷୀ ଉପରେ ଛତିଶଗଡ଼ ପୁଲିସର ଦାଦାଗିରି ଘଟଣା : ଓଡ଼ିଶା-ଛତିଶଗଡ଼ ରାସ୍ତାରୋକ କଲେ କନକତୋରାବାସୀ

ଝାରସୁଗୁଡା : ଓଡ଼ିଶା ସୀମାକୁ ପ୍ରବେଶ କରି ଚାଷୀ ତଥା ସୀମାନ୍ତ ଅଞ୍ଚଳବାସୀଙ୍କ ଉପରେ ବାରମ୍ବାର ଛତିଶଗଡ଼ ପୁଲିସ କରୁଥିବା ଅତ୍ୟାଚାରକୁ ବିରୋଧ କରି ବୁଧବାର ସକାଳ ୧୦ଟାରୁ କନକତୋରାବାସୀ ଓଡ଼ିଶା-ଛତିଶଗଡ଼କୁ ସଂଯୋଗ କରୁଥିବା ଏକତାଲ ଛକରେ ରାସ୍ତା ରୋକ କରିଛନ୍ତି । ସେମାନେ କହିଛନ୍ତି ଗତ ଶନିବାର କନକତୋରା ଗ୍ରାମର ଚାଷୀ ମନୋଜଙ୍କ ଜବତ କରିଥିବା ୩୮ ବସ୍ତା ଧାନକୁ ଛତିଶଗଡ଼ ପୁଲିସ ନଫେରେଇଲେ ଆଗାମୀ ଦିନରେ ଏନଏଚ୍‌-୪୯ ଅବରୋଧ କରାଯିବ । ଏଥିସହ ଆଇନକୁ ଅବମାନନା କରି ସୀମାନ୍ତ ଅଞ୍ଚଳରେ ଛତିଶଗଡ଼ ପୁଲିସ ପଶି ଲୋକଙ୍କୁ ହଇରାଣ କରୁଛି । ଓଡ଼ିଶା ସୀମାନ୍ତରେ ବସବାସ କରୁଥିବା ନିରୀହ ଲୋକେ ଏହାର ଶିକାର ହେଉଛନ୍ତି । ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ଶୀଘ୍ର ଏଥିପାଇଁ ପଦକ୍ଷେପ ଗ୍ରହଣ କରି ଏହାର ସ୍ଥାୟୀ ସମାଧାନ ବାହାର କରି ସୀମାନ୍ତ ଲୋକଙ୍କୁ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ଛତିଶଗଡ଼ ପୁଲିସ ଜବତ କରିଥିବା ମନୋଜଙ୍କ ୩୮ ବସ୍ତା ଧାନ ଓ ଗାଡ଼ିକୁ ଫେରସ୍ତ କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଆଗାମୀ ୨-୩ ଦିନ ଭିତରେ ମନୋଜଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଛତିଶଗଡ଼ ପ୍ରଶାସନ ପ୍ରତ୍ୟାହାର କରି ଗାଡ଼ି ସହ ଧାନ ଫେରସ୍ତ କରିବ ବୋଲି ଛତିଶଗଡ଼ ଜିଲ୍ଲା ପ୍ରଶାସନ ତଥା ପୁଲିସ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଉଭୟ ଜିଲ୍ଲା ପ୍ରଶାସନ ମଧ୍ୟରେ କଥାବାର୍ତ୍ତା ମାଧ୍ୟମରେ ମାମଲାର ସମାଧାନ ନହୁଏ, ତେବେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ସମେତ ଗୃହ ବିଭାଗ ଓ ସାଧାରଣ ପ୍ରଶାସନକୁ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି ।
ସୂଚନା ଅନୁଯାୟୀ, ଶନିବାର ଓଡ଼ିଶା ସୀମା ଭିତରକୁ ପ୍ରବେଶ କରି ଛତିଶଗଡ଼ ପୁଲିସ କନକତୋରା ଗ୍ରାମର ଚାଷ ଜମିରୁ ଧାନ ଅମଳ କରୁଥିବା ଭାଗ ଚାଷୀ ମନୋଜ ମେହେର ଓ ତାଙ୍କ ଧାନକୁ ବଳ ପୂର୍ବକ ରାୟଗଡ଼ ଜିଲ୍ଲା ଝୁଟମିଲ ଥାନାକୁ ନେଇ ଯାଇଥିଲା ।ମନୋଜକୁ ବହୁ ହଇରାଣ ହରକତ କରିବା ପରେ ରାତି ୨ଟାରେ ଛାଡିଥିଲେ ହେଁ ତାଙ୍କ ଧାନ ଓ ଟାଟା ଏସିକୁ ଏପର୍ଯ୍ୟନ୍ତ ଅଟକ ରଖିଛି । ଘଟଣାକୁ ଜିଲ୍ଲା ପ୍ରଶାସନ ତଦାରଖ କରି ଏହି ଜମି ଓଡ଼ିଶା ସୀମାର ଥିବା ପ୍ରକାଶ କରିଥିଲେ ହେଁ ଛତିଶଗଡ଼ ପୁଲିସ ତଥା ରାୟଗଡ଼ ଜିଲ୍ଲା ପ୍ରଶାସନ ଧାନ ଫେରସ୍ତ କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରିନାହିଁ । ଏନେଇ କନକତୋରାବାସୀ ରବିବାର ରେଙ୍ଗାଲି ଥାନାରେ ଓ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ବିଷୟରେ ଖବର ପାଇ ମଙ୍ଗଳବାର ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସୀମାନ୍ତ କନକତୋରା ଗ୍ରାମକୁ ଯାଇ କ୍ଷେତ୍ର ପରିଦର୍ଶନ କରି ସୀମାନ୍ତ ଅଞ୍ଚଳବାସୀଙ୍କ ସମସ୍ତ ଅଭିଯୋଗ ଓ ସମସ୍ୟା ଶୁଣିଲା ପରେ ଛତିଶଗଡ଼ ପୁଲିସ କାର୍ଯ୍ୟକଳାପକୁ ନିନ୍ଦା କରିଥିଲେ । ଏହାସହ ସେ କହିଥିଲେ ଚାଷୀ ମନୋଜକୁ ଧାନ ହସ୍ତାନ୍ତର କରିବା ପାଇଁ ଉଭୟ ଝାରସୁଗୁଡ଼ା ଓ ରାୟଗଡ଼ ଜିଲ୍ଲା ପ୍ରଶାସନ ଏକତ୍ରିତ ହୋଇ ସମାଧାନର ସୂତ୍ର ଖୋଜୁଛନ୍ତି । ଏହାସହ ଆଗାମୀ ଦିନରେ ଯେମିତି ଛତିଗଡ ପୁଲିସ ଓଡିଶା ସୀମାରେ ପ୍ରବେଶ କରି ଲୋକଙ୍କୁ ହଇରାଣ ନ କରୁ ସେଥିପାଇଁ ଝାରସୁଗୁଡା ଓ ରାୟଗଡ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ କରାଯିବ । ଏହାସହ ସୀମାନ୍ତ ଲୋକଙ୍କ ଉପରେ ହେଉଥିବା ଏହି ଅତ୍ୟାଚାର ବିଷୟରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇ ଏହାକୁ ରୋକାଯିବ । ସୀମାନ୍ତ ଲୋକଙ୍କ ସୁରକ୍ଷା ପାଇଁ ଓଡ଼ିଶା ଓ ଛତିଶଗଡ଼କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାର ଓଡ଼ିଶା ସୀମା ଶେଷରେ ସୂଚନା ଫଳକ ଲଗାଯିବ ବୋଲି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି କହିଥିଲେ । ପ୍ରକାଶଯୋଗ୍ୟ ଯେ, ଓଡ଼ିଶାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୧୮୩୫ ଟଙ୍କା ରହିଥିବା ବେଳେ ଗତବର୍ଷଠାରୁ ଛତିଶଗଡ଼ର ସରକାର ଏମ୍‌ଏସ୍‌ପି ୨୫ଶହ ଟଙ୍କା କରିଛନ୍ତି । କ୍ୱିଣ୍ଟାଲ ପିଛା ୬୬୫ ଟଙ୍କାର ପାର୍ଥକ୍ୟ ରହିଥିବାରୁ ଅସାଧୁ ବ୍ୟବସାୟୀ ଏବଂ ଦଲାଲ ଓଡ଼ିଶାରୁ ସ୍ୱଳ୍ପ ମୂଲ୍ୟରେ ଧାନ କିଣି ନେଇ ଛତିଶଗଡ଼ରେ ବିକ୍ରି କରୁଛନ୍ତି । ହେଲେ ଛତିଶଗଡ଼ ପୁଲିସ ଦଲାଲମାନଙ୍କୁ ନଧରି ବେଆଇନ ଭାବେ ଓଡ଼ିଶା ସୀମାକୁ ପ୍ରବେଶ କରି ନିରୀହ ଚାଷୀଙ୍କୁ ହଇରାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking