ନର୍ସଙ୍କୁ ଆକ୍ରମଣ ଘଟଣା: ଆତ୍ମସମର୍ପଣ କଲେ ବବୁଲୁ ,ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କେବେ

ବଲାଙ୍ଗିର,- ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମୁଖ୍ୟ ଅଭୀଯୁକ୍ତ ଅବଦୁଲ ରଫିକ ଓରଫ ବବୁଲୁ । ତାଙ୍କ ବିରୋଧରେ ଧାରା ୪୨୭/୩୪୧/୨୯୪/୩୫୪/୩୫୪(ବି)/୫୦୬ ଓ ଆଇପିସର ଧାରା ୩୪ ଲଗାଇ ମାମଲା ରୁଜୁ କରିବା ସଙ୍ଗେ କୋର୍ଟ ଚାଲାଣ କରିଛି । ଏହା ସହିତ ପୁଲିସ ଘଟଣାସ୍ଥଳରୁ ଏକ ବିପି ମେସିନ ଓ ଆଡମିସନ ପାଇଁ ୱାର୍ଡକୁ ଅଣାଯାଇଥିବା ରୋଗୀଙ୍କ ପ୍ରେସକ୍ରିପସନ ଜବତ କରିଛି । ସୂଚନାଯୋଗ୍ୟ ଯେ , ବବଲୁଙ୍କ ମା’ଙ୍କୁ ଗୁୁରୁତର ଅବସ୍ଥାରେ ଡାକ୍ତରଖାନାକୁ ଅଣାଯାଇଥିଲା । ତାଙ୍କୁ ୱାର୍ଡକୁ ପଠାଇବା ସମୟରେ ପ୍ରତିମା ଡ୍ୟୁଟିରେ ଥିଲେ ।
ରୋଗୀଙ୍କୁ ଦେଖିବା ବଦଳରେ ସେ କୁଆଡେ ମୋବାଇଲରେ ଗେମ ଖେଲୁଥିଲେ । ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ତାଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ସେ କର୍ଣ୍ଣପାତ କରିନଥିଲେ । ତେଣୁ ରୋଗୀଙ୍କ ସମ୍ପର୍କିୟମାନେ ମୋବାଇଲରେ ନର୍ସଙ୍କ ଭିଡିଓ କରୁଥିଲେ । ଏଥିରେ ରାଗିଯାଇ ନର୍ସ ଜଣଙ୍କ ରାଗିଯାଇ ମୋବାଇଲ ଛଡାଇବା ଆଣିବା ସହିତ ପ୍ରଥମେ ଦୁର୍ବବ୍ୟହାର କରିଥିଲେ ବୋଲି ବବଲୁ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଗୁରୁତର ଅବସ୍ଥାରେ ବବଲୁଙ୍କ ମା’ ଘରେ ଚିକତ୍ସିତ ହେଉଛନ୍ତି । ନର୍ସଙ୍କ ମୋବାଇଲ ଛଡାଇବା ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ଭାଇରାଲ ହେଲା ପରେ ସମ୍ପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇର୍ ଜନସାଧାରଣରେ ଦାବି ହେଉଛି ।
ତେବେ ନର୍ସଙ୍କ ବିରୁଦ୍ଧରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ବୋଲି ଜନସାଧାରଣରେ ଆଲୋଚନା ହେଉଛି ।
ପ୍ରକାଶ ଥାଉ ଯେ, ଗତ ୧୩ ତାରିଖ ରାତିରେ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାର କାର୍ଯ୍ୟରତ ଥିବା ବେଳେ ପ୍ରତିମା ପ୍ରଧାନ ନାମ୍ନି ଜଣେ ନର୍ସଙ୍କୁ ଦୁଇଜଣ ଦୁବୁର୍ତ୍ତ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ପ୍ରତିମା ପୁଲିସରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତଙ୍କୁ ଗିରଫ କରାନଯିବାରୁ ୧୫ ତାରିଖ ଦିନ ୮ ଘଣ୍ଟା ଧରି ନର୍ସମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଫଳରେ ଚିକିତ୍ସା ସେବା ସମ୍ପୁର୍ଣ୍ଣ ରୂପେ ଠପ୍ପ ହୋଇଯାଇଥିଲା ଓ ଏହାକୁ ନେଇ ଡାକ୍ତରଖାନା ପରିସରରେ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ , ଚିକିତ୍ସା ସେବାରୁ ବଂଚିତ ହୋଇଥିବା ରୋଗୀମାନଙ୍କ ସମ୍ପର୍କିୟମାନେ ରାସ୍ତା କୁ ମଧ୍ୟ ଅବରୋଧ କରିଥିଲେ । ପରେ ଜିଲ୍ଲାପାଳ ଓ ଏସପି ଡାକ୍ତରଖାନାରେ ପହଂଚି ଆନ୍ଦୋଳନରତ ନର୍ସମାନଙ୍କ ସହ ଆଲୋଚନା କରିଥିଲେ ଓ ୭ ଦିନ ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଆନ୍ଦୋଳନକାରୀଙ୍କୁ ପ୍ରତିଶୃତି ଦେଇଥିଲେ ।