ନୂଆଦିଲ୍ଲୀ : ନ୍ୟାସନାଲ୍ ଟେକନିକାଲ୍ ଆଡଭାଇଜରି ଗ୍ରୁପ ଅନ୍ ଇମ୍ୟୁନାଇଜେସନ୍ (ଏନଟିଏଜିଆଇ) ୧୨-୧୭ ବର୍ଷର ପିଲାଙ୍କ ଟିକାକରଣ ଲାଗି ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କୋଭୋଭାକ୍ସ ଟିକାକୁ ଅନୁମୋଦନ ପ୍ରଦାନ କରିଛି । ଫଳରେ ଦେଶରେ କିଶୋରଙ୍କ କ୍ଷେତ୍ରରେ କରୋନା ନିରୋଧୀ ଟିକାକରଣ କ୍ଷେତ୍ରରେ ଆଉ ଏକ ସଫଳତା ମିଳିଛି । ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ ତାରିଖରୁ ଭାରତରେ ୧୨ରୁ ୧୪ ବର୍ଷ ବୟସ୍କ ଶିଶୁଙ୍କ ଲାଗି ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହା ପୂର୍ବରୁ ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ୨୦୨୧ ଡିସେମ୍ବର ୨୮ରେ ବୟସ୍କମାନଙ୍କ କ୍ଷେତ୍ରରେ କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଦେଇଥିଲା ।
ଏଥିସହ ୧୨ରୁ ୧୭ ବର୍ଷ ବୟସ୍କ ବର୍ଗ କିଶୋରଙ୍କୁ ନିର୍ଦ୍ଦିଷ୍ଟ ସ୍ଥଳରେ ଟିକା ଦେବାଲାଗି ଅନୁମୋଦନ ବି କରିଥିଲା । ପରେ ସେରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଶିଶୁ ଓ କିଶୋରଙ୍କ କ୍ଷେତ୍ରରେ କୋଭୋଭାକ୍ସର ପ୍ରୟୋଗ ଲାଗି ସ୍ଥାୟୀ ଅନୁମତି ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଆବେଦନ କରାଯାଇଥିଲା । ଏନଟିଏଜିଆଇଙ୍କ ସୁପାରିସ ପରେ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କ ନିକଟକୁ ଯିବ । ଡିସିଜିଆଇ କୋଭୋଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିପାରନ୍ତି । ସୂଚନାଯୋଗ୍ୟ, ଭାରତରେ ୧୨-୧୪ ବର୍ଷର ପିଲାମାନଙ୍କୁ ମାର୍ଚ୍ଚ ୧୬ ତାରିଖ ଠାରୁ କରୋନା ନିରୋଧୀ ଟିକାକରଣ ଆରମ୍ଭ ହୋଇ ସାରିଛି । ଏହି କ୍ରମରେ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କୋର୍ବେବାକ୍ସ ଟିକାକୁ ବ୍ୟବହାର କରାଯାଉଛି ।