19.1 C
Bhubaneswar
Saturday, November 23, 2024
Homeଓଡିଶାବୟସର ଅପରାହ୍ଣରେ ଦମ୍ପତି : ନା ମିଳିଛି ଭତ୍ତା, ନା ରହିବାକୁ ଅଛି ଘର

ବୟସର ଅପରାହ୍ଣରେ ଦମ୍ପତି : ନା ମିଳିଛି ଭତ୍ତା, ନା ରହିବାକୁ ଅଛି ଘର

ମୁନିଗୁଡ଼ା : ସାଧାରଣ ଜନତାଙ୍କୁ  ମୌଳିକ ଆବଶ୍ୟକତା ଯୋଗାଇ ଦେବା ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ହେଲେ  ଏ ଯୋଜନା କାହାପାଇଁ ବୋଲି ବୟସର ଅପରାହ୍ଣରେ ଦୁଇ ଦମ୍ପତିଙ୍କର ଅଭିଯୋଗ ଭରା ପ୍ରଶ୍ନ । ଆଉ କେତେ ଦିନ ପଞ୍ଚାୟତ ଠାରୁ ବ୍ଲକ୍ ଯାଏ ଦୌଡ଼ିବାକୁ ପଡ଼ିବ । ଆଉ କେବେ କଚାଘର ପତ୍ର କୁଡ଼ିଆ ଉପରେ ବିଡିଓ, ତହସିଲଦାର ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନଜର ପଡ଼ିବ  ବୋଲି  ଅତି କ୍ଷୋଭର ସହ କହିଛନ୍ତି ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକର ସୀମାନ୍ତ ଗାଁ ଅଶୁରପଡା ଗାଁର ୭୦ବର୍ଷର ବୃଦ୍ଧ ଦମ୍ପତି ରାମ ଯାକେସିକା ଆଉ ସ୍ତ୍ରୀ କମ୍ବାଲି ଯାକେସିକା । ବୟସର ଅପରାହ୍ଣରେ  ନିଜ ବୃଦ୍ଧା ସ୍ତ୍ରୀଙ୍କ ସହ ଏକ ଭଙ୍ଗା ଘରେ ଦିନ କାଟୁଛନ୍ତି । ସେମାନଙ୍କର ପୁଅ ଝିଅ କେହି ନାହାନ୍ତି । ଏଭଳି ପରିସ୍ଥିତିରେ ବୁଢ଼ା ରାମର ଆଖିକୁ ବି ଭଲରେ ଦିଶୁନି । ପର ଲୋକଙ୍କ ବିଲବାଡ଼ିରେ କୁଲି କରି ବୁଢ଼ୀ ଦୁଇ ଜଣଙ୍କ ପେଟ ଭରୁଛି । ବୁଢ଼ୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ୭୦୦ଟଙ୍କା ମିଳୁଛି । ସେଥିରେ ଦୁଇ ଜଣଙ୍କ ଔଷଧପତ୍ର, ତେଲଲୁଣ ଓ ଖଦିପଟା ଖର୍ଚ୍ଚକୁ ବି ନିଅଣ୍ଟ ହେଉଥିବା ଲୁହଭରା ଆଖିରେ ବୃଦ୍ଧା କହିଛନ୍ତି । ଆଜିକୁ ୧୦ବର୍ଷ ହେବ  ସରକାରୀ ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତରୁ ବ୍ଲକ ଦୌଡ଼ିଦୌଡ଼ି ଆମ ବଳ ବଅସ ଚାଲିଗଲା ସିନା ଘରଖଣ୍ଡେ ମିଳିଲା ନାହିଁ । ସମସ୍ତେ ହୋଇ ଯିବାର ଭରସା ଦେଉଛନ୍ତି । ଏଠି ଗରିବକୁ କେହି ପଚାରିବାକୁ ନାହିଁ । ଏ ବିଷୟ କହିବା ବେଳେ ବୁଢ଼ାଙ୍କୁ ଭତ୍ତା ମିଳି ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।  ବାର୍ଦ୍ଧକ୍ୟ ଭତ୍ତା ମିଳିଯିବ ବୋଲି ତାଙ୍କୁ ମୁନିଗୁଡ଼ା ବିଡିଓ ଆଶ୍ୱାସନା ଦେଇଥିବା ସେ ପ୍ରକାଶ କରିଥିଲେ । ରାମ ଯାକେ ସିକା ଜଣେ ନିସହାୟ ଗରିବ ବୃଦ୍ଧ ମଣିଷ । ସତୁରି ବୟସ ପରେ ମଧ୍ୟ ସେ ଭତ୍ତା ପାଇବାରୁ ଆଜି ବଞ୍ଚିତ । ଦଶ ବର୍ଷ ହେବ ଏହି ଦମ୍ପତି ଆଶା ବାନ୍ଧି ବସିଛନ୍ତି ପକ୍କା ଘର ଖଣ୍ଡିକ ମିଳିଲେ ଟିକେ ଶାନ୍ତିରେ ରହିବେ । ମାଟି କାନ୍ଥ ଭଙ୍ଗା ଆଜବେଷ୍ଟ ମିଶା ଖପର ଘରେ ବର୍ଷା ଦିନେ ଜୀବନମରଣ ମଧ୍ୟରେ ସମୟ ଗଡୁଛି । କେତେବେଳେ ସାପ,ବେଙ୍ଗ,ମୁଷା ପସିଯାଉଛନ୍ତି ତ କେତେବେଳେ କାନ୍ଥ ପଡିଯିବାର ଭୟ ଘାରୁଛି । ବୁଢା ଏବେ ବେଶୀ ବାଟ ଯା ଆସ କରି ପାରୁନାହିଁ,ତଥାପି ବୁଢ଼ୀ ଶିବପଦର ପଂଚାୟତରୁ ମୁନିଗୁଡା ବ୍ଲକ ଯାଏ ବୁଢ଼ାର ଭତ୍ତା ଆଉ ସେମାନଙ୍କ ଘର ଖଣ୍ଡେ ପାଇଁ ଦୌଡୁଛି । ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking