ଚୂଆପାଣି ପିଇ ବଞ୍ଚିଛନ୍ତି ୨୦ ପରିବାର

ମୟୁରଭଞ୍ଜ: ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଏବେ ମଧ୍ୟ ଅବହେଳିତ । ଗାଁ’ର ବିକାଶରେ ରାଜ୍ୟର ବିକାଶ ନାରା ସହ ସମସ୍ତ ଗ୍ରାମକୁ ପାଇପ ପାଣି ଏବଂ ବିଜେପିର ନବ ଭାରତ ନିର୍ମାଣ ମୟୂରଭରୁ ଆରମ୍ଭ ଘୋଷଣାର କୌଣସି ଛାପ ଦେଖିବାକୁ ମିଳୁ ନାହିଁ ମୟୂରଭ ଜିଲ୍ଲାରେ । ଜିଲ୍ଲାବାସୀଙ୍କୁ ମିଳିପାରୁ ନାହିଁ ମୌଳିକ ସୁବିଧା ସୁଯୋଗ । ସରକାରଙ୍କ ଜନହିତକର ଯୋଜନାରୁ ବଞ୍ଚିତ ହେଉଛନ୍ତି ଏଠାକାର ଜନସାଧାରଣ । ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ଅଧୀନ ଚନ୍ଦନପୁର ପଞ୍ଚାୟତର ବାହାଦୂରପୁର ଗ୍ରାମ ରାଜଭାଡ଼ି ସାହିରେ । ଉକ୍ତ ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୦ ପରିବାରର ଶତାଧିକ ସଦସ୍ୟମାନଙ୍କୁ ସରକାର ସେମାନଙ୍କର ମୌଳିକ ଅଧିକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ପାରିନାହାନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗ୍ରାମରେ ଏକ ସରକାରୀ ନଳକୂପ ରହିଥିଲେ ମଧ୍ୟ ସେଥିରୁ ବର୍ଷ ସାରା ଲାଲ ରଙ୍ଗର ଆଇରନଯୁକ୍ତ ପାଣି ବାହାରୁଥିବାରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଉକ୍ତ ନଳକୂପକୁ ବାଦ୍ ଦେଲେ ଦ୍ୱିତୀୟ ବିକଳ୍ପ ନଥିବା କିମ୍ବା ପାଖଆଖରେ କୌଣସି ନଳକୂପ ନଥିବା କାରଣରୁ ବିଲରେ ରହିଥିବା ଚୁଆପାଣି ପିଇ ଏହି ପରିବାର ବଞ୍ଚି ରହିଛନ୍ତି । ବର୍ଷା ଋତୁରେ କୃଷି କାର୍ଯ୍ୟ ନିମନ୍ତେ ଜମିରେ ବ୍ୟବହାର କରାଯାଉଥିବା ରାସାୟନିକ ସାର, କୀଟନାଶକ ଆଦି ସିଧାସଳଖ ଭାବେ ପ୍ରବାହିତ ହୋଇ ଉକ୍ତ ଚୁଆ ପାଣିରେ ମିଶୁଛି । ଫଳରେ ଜନସାଧାରଣ ଚୂଆପାଣିକୁ ବ୍ୟବହାର କରି ବିଭିନ୍ନ ସମୟରେ ରୋଗାଗ୍ରସ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଏ ବାବଦରେ ବାଙ୍ଗିରିପୋଷି ବିଡିଓ ଓ ଚନ୍ଦନପୁର ସରପଞ୍ଚଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ ବୋଲି କହିଛନ୍ତି । ବାହାଦୂରପୁର ଗ୍ରାମର ବୁଦ୍ଧୁରାୟ ମାର୍ଣ୍ଡିଙ୍କ କହିବା ଅନୁସାରେ ଗ୍ରାମରେ ଗୋଟାଏ ସରକାରୀ ନଳକୂପ ରହିଥିବା ବେଳେ ସ୍କୁଲରେ ଗୋଟାଏ ନଳକୂପ ଓ ସ୍କୁଲ ପଛରେ ଏକ କୂପ ରହିଛି । ନଳକୂପ ଓ କୂପର ପାଣି ପିଇବା ଉପଯୋଗୀ ନୁହେଁ । ପୁଣି ଗ୍ରୀଷ୍ମ ଋତୁ ଆସିଲେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବାରମ୍ବାର ଅଭିଯୋଗ ପରେ ଅନ୍ୟ ଗୋଟାଏ ନଳକୂପ ବସାଇବାର କେବଳ ଆଶ୍ୱାସନା ମିଳୁଛି । ହେଲେ ତାହା କାର୍ଯ୍ୟରେ ପରିଣତ ହୋଇପାରୁନାହିଁ ବୋଲି ସେ କହିଛନ୍ତି । ଏ ବିଷୟରେ ବାଙ୍ଗିରିପୋଷି ବିଡିଓ ରାମଦାସ ଟୁଡ଼ୁ ଛୁଟିରେ ଥିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here