ବ୍ଲକ୍‌କୁ ଗୁହାରି କରିବାକୁ ଯାଇ ନିରାଶରେ ଫେରିଲେ ଦିବ୍ୟାଙ୍ଗ (୩)

ନିଶ୍ଚିନ୍ତକୋଇଲି : ରାଜ୍ୟରେ ସ୍ୱଚ୍ଛ ଓ ନିର୍ମଳ ଶାସନ ଚାଲିଛି ବୋଲି ଡ଼ିଣ୍ଡିମ ପିଟାଯାଉଛି । ବାସ୍ତବରେ କିପରି ସ୍ୱଚ୍ଛ ନିର୍ମଳ ଶାସନ ଚାଲିଛି ତାହାର ଏକ ନଗ୍ନ ନମୁନା ଆଜି ମାହାଙ୍ଗା ନିର୍ବାଚନମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍‌ରେ ଦେଖିବାକୁ ମିଳିଛି । ସ୍ଥାନୀୟ ଜିଗ୍ନୀପୁର ପଞ୍ଚାୟତ ମହାଜନପୁର ଦଳିତ ସାହିର ଜଣେ ଦିବ୍ୟାଙ୍ଗ ବ୍ଲକ୍ ପ୍ରଶାସନ ନିକଟରେ ନିଜର ଗୁହାରି କରିବାକୁ ଯାଇ ଉପହାସର ଶୀକାର ହୋଇ ନିରାଶରେ ଫେରିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ମହାଜନପୁର ଦଳିତ ସାହିର ହରେକୃଷ୍ଣ ମଳିକ (୪୦) ଜଣେ ଭୂମିହୀନ ଓ ଗରିବ ଲୋକ । ପତ୍ନୀ ସାରଥୀ, ଦୁଇଝିଅ ଓ ଦୁଇପୁଅଙ୍କୁ ନେଇ ହରେକୃଷ୍ଣଙ୍କ ତେଲ ଲୁଣର ସଂସାର । ହରେକୃଷ୍ଣ ଗାଡ଼ିଚାଳନା କରି ପରିବାର କୌଣସିମତେ ଚଳାଇ ଆସୁଥିଲେ । କିନ୍ତୁ ବିଧିର ବିଧାନ ବଡ଼ ବିଚିତ୍ର ଥିଲା । ଆକସ୍ମିକ ଭାବେ ତାଙ୍କ ପରିବାର ପ୍ରତି ବିପଦ ଘନେଇ ଆସିଲା । ଅସୁସ୍ଥ ହୋଇ ହରେକୃଷ୍ଣ ଦିବ୍ୟାଙ୍ଗ ପାଲଟି ଯାଇଥିଲେ । ପତ୍ନୀ ଜମିବାଡ଼ି ଓ ଘରର ଆସବାପତ୍ର ବିକି ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ ସେ ଭଲ ହେଲେନାହିଁ, ବରଂ ପଙ୍ଗୁ ପାଲଟିଗଲେ । ଘରୁ ପଦାକୁ ବାହାରିବା ତାଙ୍କ ପକ୍ଷେ କାଠିକର ପାଠ ହୋଇପଡ଼ିଲା । ଆର୍ଥିକ ଅନଟନ ଯୋଗୁଁ ଘରଟିଏ କରି ନପାରି ଏକ କୁଡ଼ିଆ ଘରେ ଅତ୍ୟନ୍ତ ଦୟନୀୟ ଭାବେ ୬ ପ୍ରାଣୀ ବାସ କରୁଛନ୍ତି । ଏପରି ସ୍ଥଳେ ଗତ ଫାନି ବାତ୍ୟାରେ ତାଙ୍କ କୁଡ଼ିଆ ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିଲା । ନିଶ୍ଚିନ୍ତକୋଇଲି ତହସିଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଏହି ପରିବାରକୁ ରହସ୍ୟଜନକ ଭାବେ ପ୍ରଶାସନ ତରଫରୁ କୌଣସି ଘରଭଙ୍ଗା ସହାୟତା ପ୍ରଦାନ କରାଯାଇ ନଥିଲା । ଏପରି କି ଏହି ପଞ୍ଚାୟତର ବହୁ ଥିଲାବାଲା ଘରଭଙ୍ଗା ସହାୟତା ରାଶି ହାତେଇଥିଲେ । ଆର୍ଥିକ ଅନଟନ ଯୋଗୁଁ ପ୍ରାୟ ଦୁଇବର୍ଷ ହେଲା ଏହି ପରିବାରର ଭଙ୍ଗା କୁଡ଼ିଆଟି ଛପର ମଧ୍ୟ ହୋଇପାରିନି । ଘର ଉପରେ ଚିରା, ଫଟା ଜରି କେତେଖଣ୍ଡ ଟଙ୍ଗାଯାଇଛି । ସାମାନ୍ୟ ବର୍ଷାହେଲେ ଘରେ ପାଣିର ସୁଅ ଲହଡ଼ି ଖେଳୁଛି । ହରେକୃଷ୍ଣଙ୍କ ପରିବାର ଅତି ଦୟନୀୟ ଭାବେ କାଳାତିପାତ କରୁଥିଲା ବେଳେ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବା ପାଇଁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ନିକଟରେ ଏକାଧିକବାର ଗୁହାରୀ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି । ଏହି ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାସକୁ ୨୪ କେଜି ଚାଉଳ ଓ ୬ କେଜି ଗହମ ଯୋଗାଇ ଦିଆଯାଉଛି । ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ । ସେହିପରି ଦିବ୍ୟାଙ୍ଗ ହରେକୃଷ୍ଣଙ୍କୁ ପ୍ରଶାସନ ତରଫରୁ ଏପର୍ଯ୍ୟନ୍ତ କୌଣସି ଭତ୍ତା ମଧ୍ୟ ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି । ଅପରପକ୍ଷେ ହରେକୃଷ୍ଣଙ୍କ ପତ୍ନୀ ଗାଁରେ ପାଇଟି କରି ୬ ପ୍ରାଣୀଙ୍କୁ ବହୁ କଷ୍ଟରେ ବଞ୍ଚାଇ ରଖିଛନ୍ତି । ଆର୍ଥିକ ଅନଟନ ଯୋଗୁଁ ଏହି ୪ ଭାଇ ଭଉଣୀଙ୍କ ପାଠପଢାରେ ଡ଼ୋରି ବନ୍ଧାହେବା ଆଶଙ୍କା ପ୍ରକାଶ ପାଇଛି । ଏପରି ସ୍ଥଳେ ଆଜି ଦିବ୍ୟାଙ୍ଗ ହରେକୃଷ୍ଣ ନିଜର ଗୁହାରୀ ଜଣାଇବା ନିମନ୍ତେ ବହୁ କଷ୍ଟରେ ପତ୍ନୀଙ୍କୁ ନେଇ ନିଶ୍ଚିନ୍ତକୋଇଲି ବ୍ଲକ୍‌କୁ ଯାଇଥିଲେ । ବ୍ଲକ୍ ପ୍ରଶାସନ ହରେକୃଷ୍ଣର ଗୁହାରୀ ଶୁଣିବା ପରିବର୍ତ୍ତେ ତାଙ୍କୁ ଉପହାସ କରି ନିରାଶରେ ଫେରାଇ ଦେଇଥିଲେ । ଏହି ଘଟଣାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବ୍ଲକ୍ ପ୍ରଶାସନ କାହା ପାଇଁ କାର୍ଯ୍ୟ କରୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରି ଦିବ୍ୟାଙ୍ଗ ହରେକୃଷ୍ଣଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ କରାଯାଉ ବୋଲି ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here