28.1 C
Bhubaneswar
Thursday, March 28, 2024
Homeଓଡିଶାଜାମୁଗୁଡ଼ାବାସୀଙ୍କ ପାଇଁ ଆଲୋକ ଦେଖିବା ସାତ ସପନ

ଜାମୁଗୁଡ଼ାବାସୀଙ୍କ ପାଇଁ ଆଲୋକ ଦେଖିବା ସାତ ସପନ

କୋରୁକୋଣ୍ଡା : ସରକାର ଲୋକଙ୍କ ପାଇଁ ବହୁ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଆଜି ବି ଏପରି ଗ୍ରାମ ରହିଛି ଯେଉଁଠି ଲୋକେ ପାନୀୟ ଜଳ ଏବଂ ବିଦ୍ୟୁତ ସେବାପରି ମୌଳିକ ସୁବିଧାରୁ ବଞ୍ଚିତ ରହୁଛନ୍ତି । ସରକାରଙ୍କ ଯୋଜନା ଗୁଡ଼ିକ କିପରି ହିତାଧିକାରୀ ପାଇବେ ସେ ନେଇ ପ୍ରଶାସନ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବାପରେ ପାହାଡ଼ରେ ବସବାସ କରୁଥିବା ବାସିନ୍ଦା ପାହାଡ଼ ତଳକୁ ଆସିଲେ । ହେଲେ ପ୍ରଶାସନ ପ୍ରତିଶ୍ରୁତି ଭୁଲିଯାଇଯାଇଥିବା ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣା ଚିମଟାପାଲ୍ଲୀ ଅନ୍ତର୍ଗତ ଏମ୍‌ଭି-୧୨୩ ନିକଟସ୍ଥ ଜାମୁଗୁଡ଼ା ଗ୍ରାମବାସୀ ।
ଗ୍ରାମର ୯ ପରିବାରର ୩୬ ଲୋକଙ୍କୁ ନେଇ ଏହି ଗ୍ରାମବାସୀ ପାହାଡ଼ ଉପରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । କିନ୍ତୁ ପାହାଡ଼ ଉପରେ ରହିବା ଦ୍ୱାରା ସେମାନଙ୍କ ପାଖରେ ସରକାରୀ ଯୋଜନା କିଛି ପହଞ୍ଚି ପାରିଲାନାହିଁ । ତେଣୁ ପ୍ରଶାସନ ଗ୍ରାମବାସୀଙ୍କୁ ସରକାରୀ ଯୋଜନାର ଲୋଭ ଦେଖାଇ ତଳକୁ ଆଣି ନୂତନ ଗ୍ରାମ ବସାଇଲା । କିନ୍ତୁ ପରେ ପ୍ରତିଶ୍ରୁତି ଭୁଲିଗଲା ପ୍ରଶାସନ । ଗ୍ରାମବାସୀ ସରକାରଙ୍କ ଯୋଜନାର କିପରି ଲାଭ ଉଠାଇପାରିବେ ତେଣୁ ସେମାନେ ନିଜ ବାସସ୍ଥଳୀକୁ ଛାଡ଼ି ଅନ୍ୟ ଏକ ସ୍ଥାନରେ ନୂଆ ନୂଆ ଘର ତିଆରି କରି ରହିଲେ । କିନ୍ତୁ ଜଙ୍ଗଲକୁ କାଟି ସଫା କରି ତଳେ ଆସି ବସବାସ କରିଥିବା ହେତୁ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଶାସନ ପକ୍ଷରୁ ଦିଆଯାଉ ବୋଲି ନିବେଦନ କରିଛନ୍ତି । ତେବେ ଗ୍ରାମବାସୀ ପ୍ରଶାସନର କଥା ଶୁଣି ପାହାଡ଼ ଉପରୁ ଆସି ତଳେ ଦୀର୍ଘ ୫ ମାସ ହେବ ରହି ଆସୁଛନ୍ତି । ତଥାପି ଏଯାଏଁ ସରକାରଙ୍କ କୌଣସି ପ୍ରକାର ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରିଲାନାହିଁ । ନାଁ ସେମାନଙ୍କ ଲାଗି ଅଛି ପାନୀୟ ଜଳ ନାଁ ଅଛି ବିଦ୍ୟୁତ ସେବା । ପାନୀୟ ଜଳ ଟିକକ ପାଇଁ ଦୀର୍ଘ ୨ କିଲୋମିଟର ଚାଲି ଚାଲି ପାହାଡ଼ ନିକଟରେ ଥିବା ଏକ ଝରଣା ଉପରେ ନିର୍ଭର କରୁଛନ୍ତି । ସେହିପରି ବିଦ୍ୟୁତ ସେବାନଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚିତ ହେବାସହ ରାତ୍ରି ସମୟରେ ବେଳେ ବେଳେ ଜଙ୍ଗଲ ଜୀବଜନ୍ତୁର ଶିକାର ହେଉଛନ୍ତି । ଗ୍ରାମର ଛୋଟ ଛୋଟ ଶିଶୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅଙ୍ଗନବାଡ଼ି କେନ୍ଦ୍ର ଗ୍ରାମରୁ ବହୁ ଦୂରରେ ଥିବା ହେତୁ ପିଲାମାନେ ସେଠାକୁ ପଢ଼ିବାକୁ ଯାଇପାରୁନାହାନ୍ତି । କିନ୍ତୁ ଅଙ୍ଗନବାଡ଼ି ଦିଦି ସେମାନଙ୍କ ନାମ ଲେଖାଇ ଆସୁଥିବା ଅର୍ଥକୁ ହଡ଼ପ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ସରକାରୀ ଯୋଜନା କହିଲେ ଗ୍ରାମର ଦୁଇ ବ୍ୟକ୍ତିଙ୍କ ନାମରେ ଏଯାଏଁ ଇନ୍ଦିରା ଆବାସ ଘର ଆସିଥିଲେ ସୁଦ୍ଧା ଆଉ ଗ୍ରାମର ଅନ୍ୟ ବ୍ୟକ୍ତି ଏଯାଏଁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି । ତେବେ ପାନୀୟ ଜଳ ନିମନ୍ତେ ଯେଉଁ ଝରଣା ପାଣି ଆଣୁଛନ୍ତି । ତାହା ମଧ୍ୟ ପାନୀୟ ଉପଯୋଗୀ ନୁହେଁ । ଏତଦ୍‌ବ୍ୟତୀତ କରୋନା ଭଳି ମହାମାରୀ ସମୟରେ ଏଯାଏଁ ମଧ୍ୟ କୌଣସି ଭ୍ରାମ୍ୟମାଣ ମେଡ଼ିକାଲ ଗାଡ଼ି ସଚେତନତା କିମ୍ବା ସ୍ୱାସ୍ଥ୍ୟ ସେବା ନିମନ୍ତେ ସେହି ଗ୍ରାମରେ ପହଁଞ୍ଚି ପାରିନାହିଁ । ଏହି ଗ୍ରାମ ଦେଇ ବର୍ତ୍ତମାନ ନୂତନ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଯାଇଥିଲେ ମଧ୍ୟ କଲଭର୍ଟ କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିଲା ନାହିଁ । ଯାହାଦ୍ୱାରା ଗ୍ରାମବାସୀ ଯାତାୟତ କରିବାବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ଏ ପର୍ଯ୍ୟନ୍ତ ସେମାନଙ୍କ ଆଧାର କାର୍ଡ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ ଉକ୍ତ ସମସ୍ୟା ଗୁଡ଼ିକ ଉପରେ ଧ୍ୟାନ ନ ଦିଏ ତାହେଲେ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking