30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶନୀତିଶ: ୨୨ ବର୍ଷରେ ୭ ଥର ମୁଖ୍ୟମନ୍ତ୍ରୀ

ନୀତିଶ: ୨୨ ବର୍ଷରେ ୭ ଥର ମୁଖ୍ୟମନ୍ତ୍ରୀ

ପାଟନା : ୭୧ ବର୍ଷୀୟ ନୀତିଶ କୁମାର ବିହାର ରାଜନୀତିରେ ଏକ ଜଣାଶୁଣା ନାମ କହିଲେ ଅତ୍ୟୁକ୍ତି ହେବନାହିଁ । ସମତା ପାର୍ଟିରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ନୀତିଶ ସାତଥର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟଲାଭ କରିଛନ୍ତି । ୨୦୦୨ ମାର୍ଚ୍ଚରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରରୋଚନାରେ ନୀତିଶ କେନ୍ଦ୍ରମନ୍ତ୍ରୀ ପଦ ଛାଡି ବିହାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପୂର୍ବରୁ ନୀତିଶ ଇସ୍ତଫା ଦେଇଥିଲେ । ଏହି ନିର୍ବାଚନରେ ଆରଜେଡିର ୧୫୯ ଓ ଏନ୍‌ଡିଏର ୧୫୧ ବିଧାୟକ ଥିବାସତ୍ତ୍ୱେ କୌଣସିପକ୍ଷ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିଲେ ।

୨୦୦୫ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ବିପୁଳ ବିଜୟ ହାସଲ କରିବାପରେ ନୀତିଶ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ଏହି ଶାଳନକାଳରେ ଏକାଧିକ ବିକାଶମୂଳକ କାର୍ଯ୍ୟ ଯୋଗୁଁ ନୀତିଶଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇଥିଲା । ଫଳରେ ୨୦୧୦ ବିଧାନସଭା ନିର୍ବାଚନରେ ଏନ୍‌ଡିଏ ସପକ୍ଷରେ ବହୁମତ ମିଳିଥିବାବେଳେ ହାତୀ ପୁଣି ନୀତିଶଙ୍କ ମୁଣ୍ଡରେ ସୁୁନାକଳସ ଢାଳିଥିଲା । ଫଳରେ ସେ ତୃତୀୟଥର ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିଥିଲେ । ତେବେ ଲୋକସଭା ନିର୍ବାଚନରେ ଜେଡିୟୁର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିବା ଫଳରେ ନୀତିଶ ୨୦୧୪ ମେ’ ୧୭ରେ ସେ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଫଳରେ ଜିତନରାମ ମାଞ୍ଝି ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ୨୦୧୫ ଫେବୃୟାରୀ ୨୨ରେ ନୀତିଶ ପୁଣି ମୁଖ୍ୟମନ୍ତ୍ରୀ ଆସନରେ ବସିିଥିଲେ । ତେବେ ସେହି ନିର୍ବାଚନରେ ନୀତିଶ ଏନ୍‌ଡିଏ ହାତ ଛାଡି ଆରଜେଡି ଓ କଂଗ୍ରେସ ସହ ମହାଗବନ୍ଧନରେ ସାମିଲ ହୋଇଥିଲେ । ବିହାରରେ ବିଜେପିକୁ ଟକ୍କର ଦେବାକୁ ନୀତିଶ ଏଭଳି ନିଷ୍ପତ୍ତି ନେଇଥିଲେ । ଏଥିରେ ମହାଗଠବନ୍ଧନକୁ ୧୭୮ରୁ ଅଧିକ ଆସନ ମିଳିଥିବାବେଳେ ନୀତିଶ ୨୦୧୫ ନଭେମ୍ବର ୨୦ରେ ରେକର୍ଡ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଥିଲେ ।

୨୦୧୭ରେ ତେଜସ୍ୱୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବାରୁ ନୀତିଶ ତାଙ୍କୁ ଇସ୍ତଫା ଦେବାକୁ କହିଥିଲେ । ତେବେ ତେଜସ୍ୱୀ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ନୀତିଶ ୨୦୧୭ ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ପୁଣି ଇସ୍ତଫା ଦେଇଥିଲେ । ଏହାର କିଛି ଘଣ୍ଟାପରେ ନୀତିଶ ଏନ୍‌ଡିଏ ସହ ମେଣ୍ଟକରି ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିଲେ । ୨୦୨୦ ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ ପୁଣି ଏନ୍‌ଡିଏ ଶିବିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ନିର୍ବାଚନରେ ବିଜେପି ଓ ଜେଡିୟୁକୁ ଯଥାକ୍ରମେ ୭୪ ଓ ୪୩ଟି ଆସନ ମିଳିଥିଲା । ଅଧିକ ଆସନ ହାତେଇଥିବା ସତ୍ତ୍ୱେ ବିଜେପି ପକ୍ଷରୁ ନୀତିଶଙ୍କୁ ପୁଣି ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ଗାଦିସୀନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking