‘ନିର୍ଭୟା’ ଅପରାଧୀଙ୍କୁ ତିହାର କର୍ତ୍ତୃପକ୍ଷଙ୍କ ଚିଠି : ପରିବାର ସହ ଶେଷ ଦେଖା କର

ନୂଆଦିଲ୍ଲୀ : ‘ନିର୍ଭୟା’ ମାମଲାର ଅପରାଧୀଙ୍କୁ ଫାଶୀ ପୂର୍ବରୁ ପରିବାର ସହିତ ଶେଷ ସାକ୍ଷାତ ପାଇଁ ଚିଠି ଲେଖିଛନ୍ତି ତିହାର କାରାଗାର କର୍ତ୍ତୃପକ୍ଷ। ଅକ୍ଷୟ ଠାକୁର ଓ ବିନୟ ଶର୍ମା ସେମାନଙ୍କ ପରିବାର ଓ ଆତ୍ମୀୟଙ୍କୁ ଦେଖା କରିବାକୁ ଚାହୁଁଥିବାବେଳେ ସେମାନଙ୍କୁ ଏହି ସୁଯୋଗ ମିଳିବ। ଅନ୍ୟ ଦୁଇ ଜଣ ମୁକେଶ ସିଂହ ଓ ପବନ ଗୁପ୍ତା ଫେବୃଆରୀ ୧ ପୂର୍ବରୁ ସେମାନଙ୍କ ପରିବାରକୁ ଭେଟିଥିବାରୁ ଆଉ ଆବଶ୍ୟକତା ନ ଥିବା କାରାଗାର କର୍ତ୍ତୃପକ୍ଷଙ୍କ ଚିଠିରେ ଉଲ୍ଲେଖ ରହିଛି। ମାର୍ଚ୍ଚ ୩ ଦୁଇ ଦିନ ପୂର୍ବରୁ ଘାତକ ପବନ ଜହ୍ଲାଦଙ୍କୁ ତିହାର ପଠାଇବା ପାଇଁ କାରାଗାର କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ କାରାଗାର ବିଭାଗ ପ୍ରଶାସନକୁ ଅନ୍ୟ ଏକ ଚିଠି ଲେଖିଛନ୍ତି।
ପୁନଶ୍ଚ କାରାଗାରରେ ବିନୟର ବ୍ୟବହାରରେ ପରିବର୍ତ୍ତନ ଘଟିଥିବାରୁ ତା’ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ୧୬ତାରିଖରେ ସେ କାନ୍ଥରେ ନିଜ ମୁଣ୍ଡ ପିଟି ଦେଇଥିଲା। ମାର୍ଚ୍ଚ ୩ ସକାଳ ୬ଟାରେ ୪ ଅପରାଧୀଙ୍କୁ ଫାଶୀ ଦିଆଯିବା ନେଇ ଗତ ୧୭ ତାରିଖରେ ସାନି ମୃତ୍ୟୁ ପରୱାନା ଜାରି କରାଯାଇଛି। ପୂର୍ବରୁ ଦୁଇଥର ସେମାନଙ୍କ ଫାଶୀ ଦଣ୍ଡାଦେଶ କାର‌୍ୟ୍ୟକାରୀ ଘୁଞ୍ଚିଥିବାରୁ ନିର୍ଭୟାଙ୍କ ମାଆ ଏଥର ନିଶ୍ଚୟ ଫାଶୀ ଦିଆଯିବା ନେଇ ଆଶା ବ୍ୟକ୍ତ କରିଛନ୍ତି।