37.1 C
Bhubaneswar
Thursday, March 28, 2024
Homeଓଡିଶାଗୋ-ଚାଲାଣର ନୂଆ ତରିକା, ନଦୀ ପାରକରି ନିଆଯାଉଛି

ଗୋ-ଚାଲାଣର ନୂଆ ତରିକା, ନଦୀ ପାରକରି ନିଆଯାଉଛି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାରେ ଗୋରୁ ଗାଈଙ୍କୁ ଅନ୍ୟତ୍ର ଚାଲାଣ କରିବା ପାଇଁ ଏବେ ଚୋରା ବେପାରୀମାନେ ନୂଆ ତରିକା ଆପଣେଇଛନ୍ତି । ପୂର୍ବରୁ ଅନୁଗୁଳ ଓ ଢେଙ୍କାନାଳର ବିଭିନ୍ନ ସ୍ଥାନରୁ ଗାଈଗୋରୁ ସଂଗ୍ରହ କରି କଣ୍ଟେନର ତଥା ଟ୍ରକ ଯୋଗେ ଢେଙ୍କାନାଳ ସହର ଦେଇ ଗଁଦିଆ, ନିହଲପ୍ରସାଦ ହୋଇ ଯାଜପୁର ଜିଲ୍ଲାର ସୀମାରେ ପ୍ରବେଶ କରି ୫ ନଂ ଜାତୀୟ ରାଜପଥରେ କଲିକତା ଆଡକୁ ଚାଲାଣ କରାଯାଇଥାଏ । ନିକଟରେ ନିହଲପ୍ରସାଦ ଥାନା ପୁଲିସ ୩ଟି ଗୋରୁ ବୋଝେଇ କଣ୍ଟେନର ଜବତ କରିବା ପରେ ଜିଲ୍ଲା ପୁଲିସର ଚେତା ପଶିଥିଲା । ଫଳରେ ଗତ ୧ ମାସ ଧରି ଢେଙ୍କାନାଳ-ନିହଲପ୍ରସାଦ ରାସ୍ତାରେ ଗୋ ଚାଲାଣ ବନ୍ଦ ରହିଥିଲା । ହେଲେ ଗୋ ମାଫିଆମାନେ ଅଭିନବ ଉପାୟରେ ନିଜ ବ୍ୟବସାୟ ଜାରି ରଖିଛନ୍ତି । ପ୍ରତି ମଙ୍ଗଳବାର ଓ ଶୁକ୍ରବାର କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଘାଟରୁ ଗାଈଗୋରୁଙ୍କୁ ଡଙ୍ଗା ଯୋଗେ ବ୍ରାହ୍ମଣୀ ନଦୀ ପାର କରାଇ ଅପରପାଶ୍ୱର୍ ଡମୋଳ ଗ୍ରାମଠାରେ ଗାଈଗୋରୁଙ୍କୁ ଗାଡି ଯୋଗେ ଅନ୍ୟତ୍ର ଚାଲାଣ କରାଯାଉଛି । ଗତ ଶୁକ୍ରବାର ସକାଳେ ପ୍ରାୟ ୪୦୦ରୁ ୫୦୦ ଗାଈଗୋରୁଙ୍କୁ ନଦୀ ପାର କରାଯାଉଥିବା ଦେଖି ଗ୍ରାମର କିଛି ଗୋସୁରକ୍ଷାକାରୀ ଯୁବକ ଏହାର ପ୍ରତିବାଦ କରିବା ସହ ଗାଈଙ୍କୁ ଅଡାଇ ଗାଁ ପଡିଆକୁ ଆଣିଥିଲେ । ଏପରିକି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳକୁ କେହି ଜଣେ ହେଲେ ଆସିନଥିଲେ । ଅପରପକ୍ଷରେ ଏହି ଚୋରା ଗୋଚାଲାଣ ପଛରେ କିଛି ମାଫିଆ ଓ ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତ ରହୁଥିବାରୁ ଗୋସୁରକ୍ଷାକାରୀ ଯୁବକ ଗାଈ ଗୋରୁଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ । ସେମାନଙ୍କ କହିବାନୁଯାୟୀ ଏହି ଚୋରା ଗୋଚାଲାଣ ପଛରେ ଏକ ବଡ ଧରଣର ର‌୍ୟାକେଟ କାମ କରୁଛି । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗାଈ ଗୋରୁ ସଂଗ୍ରହ କରିବା ପରେ ସେମାନଙ୍କୁ କମଳାଙ୍ଗ ଡଙ୍ଗା ଘାଟକୁ ନିଆଯାଇଥାଏ । ଚୋରା ବେପାରୀମାନେ ରାତାରାତି ଏହି କାରବାର କରିବା ସହ ବଡି ଭୋରରୁ ଶହଶହ ସଂଖ୍ୟାରେ ଗାଈଗୋରୁଙ୍କୁ ନଦୀର ଅପରପାଶ୍ୱର୍ରେ ପହଞ୍ଚାଇଥାନ୍ତି । ଗାଈଗୋରୁ ଗୁଡିକ ସେଠାରେ ପହଞ୍ôଚବା ପରେ ଦଲାଲ ଓ ସେମାନଙ୍କ ଲୋକମାନେ ବିଭିନ୍ନ ଗାଡିରେ ଅନ୍ୟତ୍ର ଚାଲାଣ କରିଥାନ୍ତି । ମୁଖ୍ୟତଃ ପଶ୍ଚିମବଙ୍ଗକୁ ଏହି ଗୋଚାଲାଣ କରାଯାଉଥିବାରୁ ଅନେକ ଗାଡି ଭୁବନ ଓ ଯାଜପୁର ରୋଡ ହୋଇ ଓ ଆଉ କେତେକ ଗାଡି ତେଲକୋଇ କେଉଁଝର ରାସ୍ତାରେ ଚାଲାଣ କରାଯାଉଥିବା ଜଣାଯାଇଛି । ତେବେ ଏହି ଚୋରା ଗୋ ଚାଲାଣ ପଛରେ ସ୍ଥାନୀୟ ପୁଲିସର ଭୂମିକା ରହୁଥିବା ଯୁବଗୋଷ୍ଠୀ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking